ନୂଆଦିଲ୍ଲୀ, ୧୫/୦୯ : ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଏଲଏସିରେ ନିଜ ସୈନ୍ୟ ସଂଖ୍ୟା କମାଇଛି ବୋଲି ଭାରତୀୟ ସେନା ପକ୍ଷରୁ ୨୦୨୫-୨୬ ବାର୍ଷିକ ରିପୋର୍ଟରେ କୁହାଯାଇଛି। ଏଲଏସି ଏବଂ ଚୀନର ମିଲିଟାରୀ ଟ୍ରେନିଂ ସେଣ୍ଟରରେ ଏବେ ପ୍ରାୟ ୧୦ କମ୍ବାଇନ୍ଡ ଆର୍ମ୍ ବ୍ରିଗେଡ ସୈନ୍ୟ ମୁତୟନ ଅଛନ୍ତି । ଗୋଟିଏ ବ୍ରିଗେଡରେ ପ୍ରାୟ ୩ ହଜାର ସୈନିକ ରହିଥାନ୍ତି। କମ୍ବାଇଡ ଆର୍ମ୍ ବ୍ରିଗେଡରେ ଚାଲି ଚାଲି ପାଟ୍ରୋଲିଂ କରୁଥିବା ସେନା, ଟ୍ୟାଙ୍କ, ତୋପଖାନା ଏବଂ ଏୟାର ଡିଫେନ୍ସ ଭଳି ଅଲଗା ଅଲଗା ସୈନ୍ୟ କ୍ଷମତା ସାମିଲ ହୋଇଥାଏ।

ରିପୋର୍ଟରେ କୁହାଯାଇଛି, ଏଲଏସିର ସବୁ ସେକ୍ଟରରେ ଭାରତୀୟ ସେନାର ଉପସ୍ଥିତି ମଜଭୂତ ରହିଛି ଏବଂ ଯେ କୌଣସି ପ୍ରକାର ସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ଅଛି। ସେହିପରି ଜମୁ-କାଶ୍ମୀର ସ୍ଥିତିରେ ବି ସୁଧାର ଆସିଥିବା ରିପୋର୍ଟରେ କୁହାଯାଇଛି। ସେଠାରେ ୨୦୨୫ରେ ଗୋଟିଏ ହେଲେ ବି ପଥରମାଡ଼ ଘଟଣା ଘଟିନାହିଁ। ହିଂସା ଏବଂ ବିକ୍ଷୋଭ ପ୍ରଦର୍ଶନ କମିଛି। ୨୦୨୫ରେ କେବଳ ଜଣେ ସ୍ଥାନୀୟ ଯୁବକ ଆତଙ୍କୀ ସଙ୍ଗଠନରେ ସାମିଲ ହୋଇଛି। ସ୍ଥାନୀୟ ଲୋକେ ସରକାର ଏବଂ ସେନାର ବିକାଶ ଯୋଜନାରେ ବେଶ୍ ସହାୟତା କରୁଛନ୍ତି । ତେବେ ଏଲ୍ଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ମାମଲା ବଢ଼ିଛି। ୨୦୨୪ ତୁଳନାରେ ୨୦୨୫ରେ ଅସ୍ତ୍ରବିରତି ଉଲଂଘନ ସଂଖ୍ୟା ୨ରୁ ବଢ଼ି ୧୬୩ ହୋଇଥିଲା। ସେହିପରି ଗତବର୍ଷ ୧୨ ପାକିସ୍ତାନୀ ଆତଙ୍କୀକୁ ନିପାତ କରାଯାଇଛି।

ରିପୋର୍ଟ ମୁତାବକ, ଗତବର୍ଷ ଭାରତ ଏବଂ ଚୀନ୍ ମଧ୍ଯରେ ସୈନ୍ୟ ଆଲୋଚନା ପୁଣି ଆରମ୍ଭ ହୋଇଛି। ମାର୍ଚ୍ଚ ଏବଂ ଜୁଲାଇରେ ଡବଲୁଏମସିସି ( ୱାକିଂ ମେକାନିଜମ ଫର୍ କନ୍ସଲଟେସନ ଆଣ୍ଡ କୋଅର୍ଡିନେସନ)ର ୩୩ତମ ଏବଂ ୩୪ତମ ବୈଠକ ହୋଇଥିଲା I ସୀମା ବିବାଦର ସମାଧାନ ଲାଗି ସ୍ବତନ୍ତ୍ର ପ୍ରତିନିଧିମାନଙ୍କ ଆଲୋଚନା ବି ୨୦୨୪ ଡିସେମ୍ବର ଏବଂ ୨୦୨୫ ଅଗଷ୍ଟରେ ହୋଇଥିଲା। ୨୦୨୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ଯାଇଥିଲେ ଏବଂ ତିଆନଜିନରେ ଏସସିଓ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ଏହା ପରେ ଅକ୍ଟୋବର ୨୫-୨୬ରେ ପୂର୍ବ ଲଦାଖରେ ୨୩ତମ କୋର କମାଣ୍ଡର ସ୍ତରରେ ବୈଠକ ହୋଇଥିଲା। ସୀମାରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ବର୍ଡର ପର୍ସନାଲ ମିଟିଂ ବି ଚାଲିଥିଲା । ଏହି ବୈଠକଗୁଡ଼ିକରେ ମାହୋଲ ଶାନ୍ତିପୂର୍ଣ୍ଣ ଥିଲା ଏବଂ ଆପୋସ ବିବାଦଗୁଡ଼ିକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି।

Also Read :- ଓଡିଶା ଆକାଶରେ ଏ କି ଦୃଶ୍ୟ ? ଜହ୍ନ ପଛରେ ଲୁଚିଗଲା ଶୁକ୍ର ଗ୍ରହ...ମିଳିଲା କିଛି ସଙ୍କେତ !

ରିପୋର୍ଟ ମୁତାବକ, ୨୦୨୫ରେ ଅନ୍ତର୍ଜାତୀୟ ସୀମା ନିକଟରୁ ସୁରକ୍ଷାକର୍ମୀମାନେ ୨ ଏକେ-୪୭ରାଇଫଲ, ୭୫ ପିସ୍ତଲ, ୨୮୧.୪୧ କେଜି ନିଶା ସାମଗ୍ରୀ ଜବତ କରିଛନ୍ତି। ଏହା ଡ୍ରୋନ ଜରିଆରେ ସୀମା ଆରପଟୁ ପଠାଯାଇଥିଲା। ବିଶେଷକରି ପଞ୍ଜାବରେ ଡ୍ରୋନ୍ ଜରିଆରେ ଅସ୍ତ୍ରଶସ୍ତ୍ର ଏବଂ ନିଶାଯୁକ୍ତ ପଦାର୍ଥର ଚାଲାଣ ପଶ୍ଚିମ ସୀମା ପାଇଁ ବଡ଼ ଆହ୍ଵାନ ପାଲଟିଛି। ଅପରେସନ ସିନ୍ଦୂର ପରେ ଜମ୍ମୁ-କାଶ୍ମୀର ଏବଂ ଏଲଓସିରେ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। ୨୦୨୫ ମେ' ୧୦ ଏବଂ ୧୨ ତାରିଖରେ ଭାରତ ଏବଂ ପାକିସ୍ତାନର ଡିଜିଏମଓ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପରଠାରୁ ଏଲଓସିରେ ସ୍ଥିତି ବେଶ୍ ସ୍ଥିର ରହିଛି। ତେବେ ସୀମାରେ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଅପରେସନ ସିନ୍ଦୂର ପରେ ସେନା ନିଜ କ୍ଷମତାରେ ଥିବା ଅଭାବକୁ ସମୀକ୍ଷା କରିବା ସହ ଏଥିରେ ପରିବର୍ତ୍ତନ, ପୁନର୍ଗଠନ ଏବଂ ୩ ସେନା ମଧ୍ୟରେ ସମନ୍ୱୟ ବଢ଼ାଇବା ଉପରେ ଜୋର ଦେଇଛି ବୋଲି ରିପୋର୍ଟରେ କୁହାଯାଇଛି।