ଭୁବନେଶ୍ୱର, ୧୫/୦୯ ସୋମବାର ସନ୍ଧ୍ୟାରେ ଆକାଶରେ ଏକ ଚିତ୍ତାକର୍ଷକ ତଥା ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ ପାଇଁ ପାଇଁ ଚନ୍ଦ୍ର ପଛରେ ଶୁକ୍ର ଗ୍ରହ ଅଦୃଶ୍ୟ ହୋଇଯାଇଥିଲା। ଯାହାକୁ ଜ୍ୟୋତିର୍ବିଜ୍ଞାନ ଭାଷାରେ ଲୁନାର ଅକଲଟେସନ୍ ବା ଚନ୍ଦ୍ର କୃତି ଶୁକ୍ର ସମାବରଣ କୁହାଯାଏ ।

ଭାରତୀୟ ସମୟ ଅନୁସାରେ ଏହି ଆଚ୍ଛାଦନ ପ୍ରକ୍ରିୟା ଅପରାହ୍ନ ପ୍ରାୟ ୫ଟା ୨୦ ରୁ ୫ଟା୩୦ ମିନିଟ୍ ମଧ୍ଯରେ ଆରମ୍ଭ ହୋଇ ସନ୍ଧ୍ୟା ପ୍ରାୟ ୬ଟା ୪୧ ରୁ ୬ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟରେ ଶୁକ୍ର ଗ୍ରହ ଚନ୍ଦ୍ର ପଛରେ ଅଦୃଶ୍ୟ ହୋଇଯାଇଥିଲା। ୬ଟା ୪୫ ପରେ ଶୁକ୍ର ଗ୍ରହ ଚନ୍ଦ୍ର ଆଲୋକିତ ପାର୍ଶ୍ବରୁ ବାହାରକୁ ଆସିଥିଲା ଓ ଚନ୍ଦ୍ର ସହ ଲାଗି ରହିଥିବାର ଦେଖାଯାଇଥିଲା।

Also Read :- Horoscope Today : ସେପ୍ଟେମ୍ବର ୧୫ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଏହି ମହାଜାଗତିକ ଘଟଣାଟି ମୁଖ୍ୟତଃ ଦକ୍ଷିଣ ଓ ମଧ୍ୟ ଭାରତ, ୟୁରୋପ, ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା ଏବଂ ଏସିଆର କିଛି ଅଞ୍ଚଳରେ ଦୃଶ୍ୟମାନ ହୋଇଛି। ଭୁବନେଶ୍ଵର ତଥା ଓଡ଼ିଶାର ଅନେକ ସ୍ଥାନରେ ଦିଗବଳୟ ନିକଟରେ ଚନ୍ଦ୍ର ଏବଂ ଉଜ୍ଜ୍ଵଳ ଶୁକ୍ର ଗ୍ରହ ଏକାଠି ଅତି ନିକଟତର ହୋଇ ଏକ ଆକର୍ଷଣୀୟ ଯୁଗଳବନ୍ଦୀ ବା ସଂଯୋଗ ଭାବେ ଖାଲି ଆଖିରେ ଖୁବ୍ ସୁନ୍ଦର ଦେଖାଯାଇଥିଲା।

ସନ୍ଧ୍ୟା ୬ଟା ୪୫ ରୁ ୭ଟା୩୦ ଯାଏଁ ଆକାଶ ପରିଷ୍କାର ଥିବା ସ୍ଥାନମାନଙ୍କରେ ଲୋକେ ଏହି ଚମତ୍କାର ଦୃଶ୍ୟ ଉପଭୋଗ କରିଛନ୍ତି। ଚନ୍ଦ୍ର ଦ୍ଵାରା ଶୁକ୍ର ଗ୍ରହର ଆଚ୍ଛାଦନ ବର୍ଷକୁ ଥରେ ବା ଦୁଇଥର ଘଟିପାରେ। କିନ୍ତୁ ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ (ଯଥା ଭାରତରୁ) ଏହା ଦୃଶ୍ୟମାନ ହେବା ବେଶ୍ ବିରଳ। ପ୍ରାୟ କିଛି ବର୍ଷ ବ୍ୟବଧାନରେ ଥରେ ଦେଖିବାକୁ ମିଳିଥାଏ। ଚଳିତ ବର୍ଷର ପରବର୍ତ୍ତୀ ଶୁକ୍ର ଆଚ୍ଛାଦନ ୭ ନଭେମ୍ବର ୨୦୨୬ରେ ଘଟିବ । ଯାହା ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗରୁ ଦୃଶ୍ୟମାନ ହେବ ବୋଲି ଜନବିଜ୍ଞାନୀ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।