ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗନ ମନ୍ତ୍ରୀ ପଦ ଏବଂ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏକାସଙ୍ଗରେ ସେ ଦୁଇଟି ଯାକ ପଦରୁ ଇସ୍ତଫା ଦେଇଛନ୍ତି । ଏଲ୍ ମୁରୁଗନ୍ ଦୀର୍ଘ ବର୍ଷ ଧରି କେନ୍ଦ୍ର ସରକାରରେ ରାଷ୍ଟ୍ର ମନ୍ତ୍ରୀ ଭାବେ କାମ କରୁଥିଲେ ।

ଏଲ୍ ମୁରୁଗନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ନିଜ ଇସ୍ତଫାରେ କହିଛନ୍ତି ଯେ ସେ ତାମିଲନାଡ଼ୁରେ ବିଜେପିକୁ ମଜଭୁତ କରିବାରେ ପୂରା ସମୟ ଦେବାକୁ ଚାହୁଁଛନ୍ତି । ନିଜ ପତ୍ରରେ ମୁରୁଗନ ଲେଖିଛନ୍ତି, ନିକଟରେ ଆପଣଙ୍କ ତାମିଲନାଡ଼ୁ ଗସ୍ତ ଗଭୀର ଭାବେ ମୋତେ ପ୍ରଭାବିତ କରିଛି । ଆପଣଙ୍କ ପ୍ରତି ଲୋକଙ୍କ ଭଲ ପାଇବା ମୁଁ ସବୁଠି ଦେଖିଲି ଏବଂ ଆପଣଙ୍କ ଉପସ୍ଥିତି ସେମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଥିଲା । ତାମିଲନାଡୁରେ ଆପଣ ଯେଉଁ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣର କାମ କରୁଛନ୍ତି ତାହା ପ୍ରତି ସେମାନଙ୍କର ଉତ୍ସାହ ଆପଣଙ୍କ ପ୍ରତି ଗଭୀର ବିଶ୍ୱାସକୁ ପ୍ରତିଫଳିତ କରୁଛି । ଆମ ରାଜ୍ୟ ପ୍ରତି ଆପଣଙ୍କର ସମର୍ପଣ ଏବଂ ଆପଣଙ୍କ ପ୍ରତି ଆମର ଲୋକଙ୍କର ପ୍ରେମ ମୋତେ ଗର୍ବ ଏବଂ କୃତଜ୍ଞତାରେ ଭରିଦିଏ । ଏହା ତାମିଲନାଡୁ, ଆମ ଦଳ ଏବଂ ଦେଶ ପାଇଁ ଆହୁରି ଅଧିକ କିଛି କରିବାର ମୋର ସଂକଳ୍ପକୁ ଦୃଢ଼ କରେ ।

 

ସେ ଲେଖିଛନ୍ତି, "ମୁଁ କୌଣସି ରାଜନୈତିକ ପରିବାରରୁ ଆସିନାହିଁ । ମୁଁ ଅତ୍ୟନ୍ତ ଗରିବ ପରିବାରରୁ ଆସିଛି । ମୋ ବାପା ମାଆ, ଦିନ ମଜୁରିଆ ଶ୍ରମିକ । ସେମାନେ ଏବେ ବି କୋନୁର ଗାଁରେ ଏକ ସରଳ ଜୀବନଯାପନ କରନ୍ତି । ସେମାନେ କେବେ କଳ୍ପନା କରିନଥିବେ ଯେ ତାଙ୍କ ପୁଅ ଦିନେ କେନ୍ଦ୍ର ସରକାରରେ ସେବା କରିବ । ମହାକବି ଭାରତୀ, ସର୍ଦ୍ଦାର ପଟେଲ ଏବଂ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜାତୀୟତାବାଦୀ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ, ମୁଁ ମୋର କଲେଜ ସମୟରେ ଏବିଭିପିରେ ଯୋଗ ଦେଇଥିଲି । ଏବିଭିପି ଏବଂ ବିଜେପିରେ ପ୍ରାୟ ତିରିଶ ବର୍ଷ ଧରି ମୋର ମୂଳ ମନ୍ତ୍ର ହେଉଛି ପ୍ରଥମେ ଦେଶ, ପରେ ଦଳ, ଏବଂ ଶେଷରେ ମୁଁ ।"

ଉଲ୍ଲେଖଯୋଗ୍ୟ ଯେ ଏଲ୍ ମୁରୁଗନ ୨୦୨୧ରେ ପ୍ରଥମ ଥର ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୨୪ରେ ଦ୍ୱିତୀୟ ଥର ତାଙ୍କୁ ରାଜ୍ୟସଭା ପଠାଯାଇଥିଲା । ମୁରୁଗନଙ୍କ ଇସ୍ତଫା ପରେ ରାଜ୍ୟସଭାରେ ତାଙ୍କର ଆସନ ଖାଲି ହୋଇଯିବ । ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।