ଭୁବନେଶ୍ବର ୧୬।୪: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଚିଲିକା ପୁସ୍ତକ ମେଳା । ଏହି ମେଳା ଆସନ୍ତା ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଚିଲିକା କୂଳରେ ଥିବା ବାଲୁଗାଁ କଲେଜ ପଡିଆରେ ଏହି ପୁସ୍ତକ ମେଳା ଅନୁଷ୍ଠିତ ହେବ ।

ଏଥିପାଇଁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଓ ଭୁବନେଶ୍ବର ପ୍ରକାଶକ ସଂଘର ସଦସ୍ୟମାନେ ଯୋଗଦେଇ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି । ଏଥିସହିତ ଏହି ମେଳାର ସଫଳତା ଉପରେ ସେମାନେ ନିଜସ୍ବ ମତ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରିଥିଲେ ।

୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ରାଜ୍ୟର ପ୍ରତିଷ୍ଠିତ ପ୍ରକାଶକ ମାନେ ପ୍ରାୟ ୮୦ଟି ଷ୍ଟଲ ମାଧ୍ୟମରେ ସେମାନଙ୍କର ପୁସ୍ତକ ପ୍ରଦର୍ଶନ ତଥା ବିକ୍ରୟ କରିବେ । ଏଥିସହିତ ଏହି ମେଳାରେ ବିଭିନ୍ନ ଖାଦ୍ୟ ଷ୍ଟଲ ମଧ୍ୟ ସ୍ଥାପନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।

ପ୍ରଥମ ଦିନରେ ଏହି ମେଳାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ପ୍ରଥମ ଦିନରେ ସାଂସଦ ସମ୍ବିତ ପାତ୍ର, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଡ. ଅଚ୍ୟୁତ ସାମନ୍ତ, ସାହିତ୍ୟିକ ଡ. ଶଶାଙ୍କ ଶେଖର ଚୂଡାମଣି ଯୋଗ ଦେବେ । ସେହିପରି ଅନ୍ୟ ଦିନ ମାନଙ୍କରେ ମନ୍ତ୍ରୀ ରବି ନାରାୟଣ ନାୟକ, ମନ୍ତ୍ରୀ ସଂପଦ ସ୍ବାଇଁ, ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବିଧାୟକ ବାବୁ ସିଂ, ବିଧାୟକ ବିଭୂତି ବଳବନ୍ତରାୟ, ବିଧାୟିକା ଉପାସନା ମହାପାତ୍ର, ବିଧାୟକ ପ୍ରଦୀପ ସାହୁ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ବିଧାୟକ ନବ ମଲ୍ଲିକ ବିଭିନ୍ନ ଦିନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସାହିତ୍ୟ ତଥା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିତ୍ବ ସୌମ୍ୟରଞ୍ଜନ ପଟ୍ଟନାୟକ, ସାହିତ୍ୟିକା ଅର୍ଚ୍ଚନା ନାୟକ, ସାହିତ୍ୟିକ ଗୌରହରି ଦାସ, ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଏହି ମେଳାରେ ଅତିଥି ଭାବେ ଯୋଗଦେବେ ।

ଏହି ବୈଠକରେ ପୁସ୍ତକ ମେଳା କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟ, କମିଟି ଉପସଭାପତି ସୁବାସ ଶ୍ରୀଚନ୍ଦନ, ଉପଦେଷ୍ଠା ଡକ୍ଟର ଶଶାଙ୍କ ଶେଖର ଚୂଡାମଣି, ପ୍ରକାଶ ପ୍ରଧାନ ଏବଂ ସନ୍ତୋଷ ବଳିୟାରସିଂ ପ୍ରମୁଖ ଯୋଗ ଦେଇଥିଲେ ।