ଭୁବନେଶ୍ୱର ୩୦।୧୨ : ନବ ନିଯୁକ୍ତ ଅଧିକାରୀଙ୍କୁ ସୁଶାସନର ତିନୋଟି ମନ୍ତ୍ର । ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ନବନିଯୁକ୍ତ ଅଧିକାରୀଙ୍କୁ ସ୍ୱଛତା, ଉତ୍ତର ଦାୟିତ୍ୱ, ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ନିଜ ଦାୟିତ୍ୱକୁ ସଠିକ୍ ଭାବେ ନିର୍ବାହ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ହେଉଛି ୧୪ ତମ ନିଯୁକ୍ତି ମେଳା । ଏହା ହେଉଛି ପଞ୍ଚମ ବୃହତମ ନିଯୁକ୍ତି ମେଳା । ୩୯୪୫୯ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିସାରିଛୁ । ଆମ ସରକାର ୫ ବର୍ଷରେ ଦେଢ ଲକ୍ଷଙ୍କୁ ସରକାରୀ ଚାକିରି ଦେବୁ ବୋଲି ପ୍ରତିଶୃତି ଦେଇଥିଲୁ । ପ୍ରଥମ ଦୁଇ ବର୍ଷ ପାଇଁ ୬୫ ହଜାର ଲକ୍ଷ ରଖିଥିଲୁ। ଆଉ ଏବେ ସୁଦ୍ଧା ୪୦ ହଜାର ନିଯୁକ୍ତି ଦେଇସାରିଛୁ । ଦୁଇ ବର୍ଷ ଶେଷ ସୁଦ୍ଧା ଆମେ ଆମ ଲକ୍ଷ ପୂରଣ କରିବୁ । କ୍ରୀଡା ଶିକ୍ଷକଙ୍କୁ ଅଲମ୍ପିକ ମେଡାଲ ଜିତାଇବାକୁ ଲକ୍ଷ୍ୟ ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ | ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଦୋହରାଇଛନ୍ତି  କ୍ରୀଡାଶିକ୍ଷକମାନଙ୍କୁ ମଧ୍ୟ ଏନେଇ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୁବନେଶ୍ୱର ରେଳ ଅଡିଟୋରିୟମରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ଆୟୋଜନ ହୋଇଥିଲା । ଏଥିରେ ନୂତନ ଭାବେ ଚୟନ ହୋଇଥିବା ୧୧ଟି ବିଭାଗର ୧୫୪୩ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ବଣ୍ଟନ ହୋଇଥିବା ନିଯୁକ୍ତ ପତ୍ର ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ୭୫୫, କୃଷି ବିଭାଗରୁ ୩୯୨, ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗରୁ ୧୧୬, ଅର୍ଥ ବିଭାଗରୁ ୧୨୧ ଜଣ, ଶ୍ରମ ବିଭାଗରୁ ୧୦୬ ଜଣ, ସମବାୟ ବିଭାଗରୁ ୧୫ ଜଣ, ପର୍ଯ୍ୟଟନ ବିଭାଗରୁ ୧୮, ସ୍ଵରାଷ୍ଟ୍ର ବିଭାଗରୁ ୬ ଜଣ, ଯୋଗାଣ ବିଭାଗରୁ ୫ ଜଣ, ଯୋଜନା ଓ ସଂଯୋଜନା ବିଭାଗରୁ ୮ ଜଣ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରୁ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି ।