ଜୟପୁର ୧୭।୧୦: ଭାଙ୍ଗିବ କୋରାପୁଟ ପୋଷ୍ଟାଲ ଡିଭିଜନ। କଳାହାଣ୍ଡି ଜିଲ୍ଲାର କିଛି ଡାକଘର ସମେତ ନବରଙ୍ଗପୁର ଜିଲ୍ଲା ଓ କୋରାପୁଟ ଜିଲ୍ଲାର ଜୟପୁର ସହରରେ ଥିବା ମୁଖ୍ୟ ଡାକ ଘରକୁ ନେଇ ଗଠନ ହେବ ନୂଆ ପୋଷ୍ଟାଲ ଡିଭିଜନ।ଆଉ ଏହାକୁ ନେଇ ଏବେ ଦେଖା ଦେଇଛି ବିରୋଧ।

ନୂତନ ଭାବେ ଗଠନ ହେବାକୁ ଥିବା ନବରଙ୍ଗପୁର ପୋଷ୍ଟାଲ ଡିଭିଜନ ସ୍ବାଗତ ଯୋଗ୍ୟ କିନ୍ତୁ କୋରାପୁଟ ଜିଲ୍ଲାର ଜୟପୁରରେ ଥିବା ମୁଖ୍ୟ ଡାକଘରକୁ କେଉଁ ଆଧାରରେ ନବରଙ୍ଗପୁର ଡିଭିଜନରେ ମିଶାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ। ଦଶହରାରେ ଏହା ଡବଲ ଇଂଜିନ ସରକାରଙ୍କ ଜୟପୁର ସହରବାସୀଙ୍କୁ ଧୋକା ବୋଲି ସେ କହିଛନ୍ତି ।ତୁରନ୍ତ କେନ୍ଦ୍ର ସରକାର ଏହି ନିଷ୍ପତ୍ତିରୁ ଓହରନ୍ତୁ ନଚେତ ଆନ୍ଦୋଳନକୁ ବିଜେଡି ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

Also Read:- ଦଶହରା ପାଇଁ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି, ପୂଜା ମଣ୍ଡପରେ ଅଗ୍ନିକାଣ୍ଡ ରୋକିବାକୁ ମକ୍ ଡ୍ରିଲ୍

ପୂର୍ବରୁ କୋରାପୁଟ ପୋଷ୍ଟଲ ଡିଭିଜନ ଅଧିନରେ କୋରାପୁଟ ସମେତ ମାଲକାନଗିରି , ନବରଙ୍ଗପୁର ଓ ରାୟଗଡା ଡିଭିଜନ ରହି ଆସିଛି। ସେପଟେ ଏହି ନିଷ୍ପତ୍ତିକୁ ସହରର ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକଙ୍କ ସହ ପୋଷ୍ଟଲ କର୍ମଚାରୀ ବି ବିରୋଧ କରିଛନ୍ତି।ଏହା ଜୟପୁର ସହରବାସୀଙ୍କ ଭାବନା ସହ ଖେଳ ବୋଲି ସେମାନେ କହିଛନ୍ତି। ଏପରି ନିଷ୍ପତ୍ତି ଦ୍ବାରା କେବଳ ଡାକ କର୍ମଚାରୀ ନୁହଁ ବରଂ ସାଧାରଣ ଜମାକାରୀ ବି ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ଦେଖା ଦେଇଛି। ଆର୍ଥିକ କାରବାର ବିଶେଷ କରି ଟଙ୍କା ଉଠାଣରେ ସମସ୍ୟା ଦେଖା ଦେବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।