ଭୁବନେଶ୍ୱର: ଯିଏ ଯେଉଁ ଚିନ୍ତାଧାରାର ସମର୍ଥକ ହୁଅନ୍ତୁ ନା କାହିଁକି ସମସ୍ତଙ୍କ ପାଇଁ ‘ରାଷ୍ଟ୍ର ସର୍ବୋପରି’ ହେବା ଉଚିତ୍। ଆପଣ ସରକାରଙ୍କୁ ସମାଲୋଚନା କରି ଧରିବେ। କିନ୍ତୁ ଏହି ସମାଲୋଚନା କରିବା ଆଳରେ ‘ଦେଶକୁ’ ଅସମ୍ମାନ କରିବା କେବେ ବି ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଇନପ୍ଳୁଏନ୍ସର ଏବଂ ଡିଜିଟାଲ୍ କ୍ରିଏଟରମାନଙ୍କୁ କହିଛନ୍ତି।

ରାଜ୍ୟ ସରକାରଙ୍କ ୨ ବର୍ଷ ପୂ ଅବସରରେ ସୋସିଆଲ ମିଡିଆ ଇନପ୍ଳୁଏନ୍ସରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ବତନ୍ତ୍ର ଆଲୋଚନାଚକ୍ରରେ ମୁଖ୍ୟମନ୍ତ୍ରୀ ଡିଜିଟାଲ୍ କ୍ରିଏଟରମାନଙ୍କୁ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶାର ସବୁଠାରୁ ଶକ୍ତିଶାଳୀ ‘ଡିଜିଟାଲ୍ ଆମ୍ବାସଡରସ୍’ ଏବଂ ଭବିଷ୍ୟତର ‘ଓପିନିଅନ ଲିଡରସ୍’ ବୋଲି କହିଥିଲେ। ସୋସିଆଲ ମିଡିଆରେ ଆପରିଜନକ ପୋଷ୍ଟି ଯୋଗୁଁ ଯୁବପିଢ଼ି ଯେଭଳି ବିବାଦରେ ଛନ୍ଦି ହୋଇ ନିଜ ଭବିଷ୍ୟତ ନଷ୍ଟ ନ କରନ୍ତି, ସେଥିପ୍ରତି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀ ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ କଣ୍ଟେଣ୍ଟ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ବୋଲି କହିଥିଲେ।

ଆପଣମାନଙ୍କ କଣ୍ଟେଣ୍ଟର ଉଦ୍ଦେଶ୍ୟ କେବଳ ‘ଭିଉଜ୍’ ବଢ଼ାଇବା କିମ୍ବା କିଛି ସେକେଣ୍ଡର ମନୋରଞ୍ଜନ ମଧ୍ୟରେ ସୀମିତ ନ ରହି, ସମାଜ ପାଇଁ ଏକ ସୁସ୍ଥ ବାର୍ତ୍ତା ବହନ କରିବା ଆବଶ୍ୟକ। କ୍ଲିକ୍ ବେଟ୍ ଏବଂ ଶସ୍ତା ପ୍ରସିଦ୍ଧିର ମୋହରୁ ଦୂରେଇ ରଖ୍ ମହତ ଉଦ୍ଦେଶ୍ୟଭିଭିକ ସୃଜନଶୀଳତା ଆଡ଼କୁ ଆକର୍ଷିତ କରିବାକୁ ସେ କଣ୍ଟେଣ୍ଟ କ୍ରିଏଟର୍ମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ‘ଜେନ୍-ଜି’ ବା ନୂତନ ପିଢ଼ିର ମାନସିକ ସ୍ଥିତି ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ, ଏହି ପିଢ଼ି ଖୁବ୍ ସ୍ମାର୍ଟ ଓ ସୃଜନଶୀଳ। ମାତ୍ର ସୂଚନାର ଅତିରିକ୍ତ ବୋଝ, ଆତ୍ମପରିଚୟର ସଂଘର୍ଷ, ମାନସିକ ଚାପ ଏବଂ ସାଇବର ଜଗତର ନକାରାତ୍ମକତା ଯୋଗୁଁ ବେଳେବେଳେ ବିଭାନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ଇନଫ୍ଲୁଏନ୍ସରମାନଙ୍କର ଗୋଟିଏ ‘ରିଲ୍’ କିମ୍ବା ‘ଭିଡିଓ’ ହଜାର ହଜାର ଯୁବପିଢ଼ିଙ୍କ ମନୋଭାବକୁ ବଦଳାଇ ଦେଇପାରେ।

ସୋସିଆଲ ମିଡିଆର ବ୍ୟବହାର ଓ ସଂଯମତା ରକ୍ଷା ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିର ପବିତ୍ର ଭୂମି, ଯେଉଁଠି ‘ବସୁଧୈବ କୁଟୁମ୍ବକମ୍'ର ଶିକ୍ଷା ଦିଆଯାଇଥାଏ। ତେଣୁ କେବଳ ଟିଆରପି ପାଇଁ କୌଣସି ବିପଦଜନକ ଷ୍ଟଣ୍ଟ୍, କ୍ଷତିକାରକ ଆହ୍ବାନ କିମ୍ବା ଜାତି, ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରୁଥିବା ବିଷୟବସ୍ତୁ ପ୍ରସ୍ତୁତ କରିବା ଉଚିତ ନୁହେଁ । ସେହିପରି ଗୁଜବ ଓ ମିଥ୍ୟା ଖବର ବିରୋଧରେ ସଜାଗ ରହିବାକୁ ସେ ଆହ୍ୱାନ ଦେଇଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷ, ଶିକ୍ଷାବିତ, ସ୍ବାସ୍ଥ୍ୟ ବିଶେଷଜ୍ଞ, କଳା ଏବଂ ସାହିତ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ୍ର ଶର୍ମା, ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କ ସହିତ ବରିଷ୍ଠ ବିଭାଗୀୟ ଅଧୂକାରୀ ଓ ବିଭିନ୍ନ ବିଭାଗର ଲୋକ ସମ୍ପର୍କ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।