ଭୋପାଳ: ଭାରତର 'ଚିତା ପୁନଃସ୍ଥାପନ ପ୍ରକଳ୍ପ' ପାଇଁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚାରିଟି ନବଜାତ ଚିତା ଶାବକଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ପାଇଁ ଏକ ବଡ଼ ଶକ୍ତ ଧକ୍କା ବୋଲି କୁହାଯାଉଛି ।

ମାଆ ଚିତା 'KGP12' ଗତ ଏପ୍ରିଲ ୧୧ରେ ଏହି ଶାବକମାନଙ୍କୁ ଜନ୍ମ ଦେଇଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ମଙ୍ଗଳବାର ସକାଳେ ମନିଟରିଂ ଟିମ୍ ସେମାନଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ରିପୋର୍ଟ ଅନୁଯାୟୀ, ଶାବକମାନଙ୍କ ମୃତ୍ୟୁର କାରଣ ପଛରେ କୌଣସି ଶିକାରୀ ଜନ୍ତୁର ଆକ୍ରମଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ମୃତ ଶାବକଙ୍କ ଶରୀରରେ ଆହତ ଚିହ୍ନ ମିଳିଛି । ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ସେମାନଙ୍କୁ ଅନ୍ୟ କୌଣସି ପ୍ରାଣୀ ଶିକାର କରିଛନ୍ତି ।

ଖୋଲା ଜଙ୍ଗଲରେ ଶାବକମାନେ ସବୁବେଳେ ଅନ୍ୟ ହିଂସ୍ର ଜନ୍ତୁଙ୍କ ଟାର୍ଗେଟରେ ଥାଆନ୍ତି । ମାଆ ଚିତା ସୁରକ୍ଷିତ ଥିଲେ ମଧ୍ୟ ସେ ନିଜ ସନ୍ତାନଙ୍କୁ ବଞ୍ଚାଇବାରେ ବିଫଳ ହୋଇଥିବା ଜଣାପଡୁଛି । ଭାରତରେ ଚିତା ବଂଶ ବୃଦ୍ଧି କରିବା ପାଇଁ ହେଉଥିବା ଚେଷ୍ଟାରେ ଏହି ମୃତ୍ୟୁ ସଂଖ୍ୟା ଏକ ଚିନ୍ତାର ବିଷୟ ।ଏହା ପୂର୍ବରୁ ମଧ୍ୟ କୁନୋରେ ଅତ୍ୟଧିକ ଗରମ ଏବଂ ଅନ୍ୟାନ୍ୟ ରୋଗ କାରଣରୁ କିଛି ଶାବକ ଓ ବୟସ୍କ ଚିତାଙ୍କ ମୃତ୍ୟୁ ଘଟିସାରିଛି । ଏହି ୪ ଶାବକଙ୍କ ମୃତ୍ୟୁ ପରେ, କୁନୋରେ ବର୍ତ୍ତମାନ ଚିତାଙ୍କ ସଂଖ୍ୟା ୫୦କୁ ହ୍ରାସ ପାଇଛି । ସମଗ୍ର ଭାରତରେ (ଗାନ୍ଧୀ ସାଗର ଅଭୟାରଣ୍ୟକୁ ମିଶାଇ) ବର୍ତ୍ତମାନ ମୋଟ ୫୩ଟି ଚିତା ଅଛନ୍ତି ।

Also Read:MLA Kamaraj expelled: ବିଜୟଙ୍କୁ ଖୋଲା ସମର୍ଥନ କଲେ କାମରାଜ୍, AMMKର ଏକମାତ୍ର ବିଧାୟକ ଦଳରୁ ବହିଷ୍କୃତ