ଚେନ୍ନାଇ: ତାମିଲନାଡୁରେ ଫ୍ଲୋର ଟେଷ୍ଟ (Tamil Nadu Floor Test) ପୂର୍ବରୁ ରାଜନୈତିକ ହଟଚମଟ ତୀବ୍ର ହୋଇଛି । ଆମ୍ମା ମକ୍କଲ ମୁନେତ୍ର କାଜଗମ୍ (AMMK) ଦଳର ସାଧାରଣ ସଂପାଦକ ଟିଟିଭି ଦୀନାକରନ ନିଜ ଦଳର ଏକମାତ୍ର ବିଧାୟକ ଏସ୍. କାମରାଜଙ୍କୁ ବହିଷ୍କାର କରିଛନ୍ତି । କାମରାଜ ଦଳର ଅନୁମତି ବିନା ମୁଖ୍ୟମନ୍ତ୍ରୀ ବିଜୟ ଏବଂ ତାଙ୍କ ଦଳ ଟିଭିକେକୁ ଖୋଲା ସମର୍ଥନ ଦେଇଛନ୍ତି ।

ସମର୍ଥନ ଏବଂ କାର୍ଯ୍ୟାନୁଷ୍ଠାନ

ବିଧାନସଭାରେ ମଙ୍ଗଳବାର କାମରାଜ ଟିଭିକେକୁ ସମର୍ଥନ ନେଇ ଘୋଷଣା କରିଥିଲେ । ଏହା ପରେ ଦୀନାକରନ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ, କାମରାଜଙ୍କୁ ଦଳରୁ ବହିଷ୍କାର କରାଯାଇଛି । କାମରାଜ ଦଳୀୟ ନୀତିରୁ ବାହାରକୁ ଯାଇ କାମ କରିଛନ୍ତି ବୋଲି ଦୀନାକରନ କହିଛନ୍ତି । କାମରାଜଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ବହିଷ୍କାର କରାଯାଇଛି । କାମରାଜ ମନ୍ନାରଗୁଡ଼ି ଆସନରେ ଡିଏମକେ ପ୍ରାର୍ଥୀ ଟିଆରଭି ରାଜାଙ୍କୁ ୧୫୬୬ ଭୋଟରେ ପରାସ୍ତ କରିଥିଲେ । କାମରାଜଙ୍କୁ ବହିଷ୍କାର କରି AMMK ବିଧାୟକ ଶୂନ୍ୟ ହୋଇଯାଇଛି ।

ପୂର୍ବରୁ ବିବାଦ

ଏହି ସମ୍ପୂର୍ଣ୍ଣ ମାମଲା ଗତ ଶନିବାରଠାରୁ ଆରମ୍ଭ ହୋଇଥିଲା। ଟିଭିକେ ରାଜ୍ୟପାଳଙ୍କୁ କାମରାଜଙ୍କ ସମର୍ଥନ ପତ୍ରର ଏକ ନକଲି କପି ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ଦୀନାକରନ ଏହି ମାମଲାରେ ଟିଭିକେକୁ ଟାର୍ଗେଟ କରିଥିଲେ। ସେ ବିଜୟଙ୍କୁ ରାଜ୍ୟପାଳଙ୍କ ନିକଟରେ ପ୍ରକୃତ ଚିଠି ଏବଂ ଭିଡିଓ ଉପସ୍ଥାପନ କରିବାକୁ ଚ୍ୟାଲେଞ୍ଜ କରିଥିଲେ।

ଦୀନାକରନ କହିଥିଲେ, ‘ଯଦି ଏହା ସତ୍ୟ, ତେବେ ଭିଡିଓ ଏବଂ ଚିଠି ରାଜ୍ୟପାଳଙ୍କୁ ଦିଅନ୍ତୁ। ନକଲି କାଗଜପତ୍ର ପ୍ରଦାନ କରି ଆପଣ କ'ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ?’ ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଥାନାରେ ଅଭିଯୋଗ କରିଥିଲେ।

ଟିଭିକେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା । ଦଳ ଏକ ଭିଡିଓ ଜାରି କରି ଦାବି କରିଥିଲା ଯେ, କାମରାଜ ନିଜ ଇଚ୍ଛାରେ ଏବଂ ଖୁସିରେ ତାଙ୍କର ସମର୍ଥନ ପତ୍ର ଲେଖିଛନ୍ତି। ଦୀନାକରନ୍ ସତ୍ୟକୁ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଥିଲା ଟିଭିକେ । ଆଉ ଆଜି କାମରାଜ ଟିଭିକେ ପ୍ରତି ଖୋଲାଖୋଲି ନିଜର ସମର୍ଥନ ପ୍ରକାଶ କରିବା ପରେ ଦୀନାକରନଙ୍କୁ ଝଟକା ଲାଗିଛି । ଏହା ପରେ ଦୀନାକରନ ଏକମାତ୍ର ବିଧାୟକ କାମରାଜଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।