ଭୁବନେଶ୍ୱର ୨୦।୧୦ : କେନ୍ଦ୍ରରେ ସରକାର ବଞ୍ଚାଇବା ପାଇଁ ଆନ୍ଧ୍ର ପାଖରେ ଆତ୍ମସମର୍ପଣ କରିଛି ଓଡିଶା । କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ନେଇ ନବୀନଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ବିଜେଡିକୁ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।  

ଅରୁଣ ସାହୁ କହିଛନ୍ତି ଯେ, କୋଟିଆ ହେଉଛି ଓଡ଼ିଆ ଅସ୍ମିତାର ଗୋଟିଏ ଉଦାହରଣ । ଅଢେଇ ବର୍ଷରେ ଓଡ଼ିଆ ଅସ୍ମିତାକୁ ବିଜେପି ସରକାର କେତେ ବଞ୍ଚାଇଛନ୍ତି ତାହା କୋଟିଆ ପ୍ରସଙ୍ଗରେ ସ୍ପଷ୍ଟ ବାରି ହୋଇପଡ଼ୁଛି। କୋଟିଆ ପାଇଁ ରାଜ୍ୟ ସରକାର କମିଟି ଗଠନ କରିଥିଲେ। ସେ କମିଟିରେ କେତେ ଥର ବୈଠକ ବସିଛି ? ବିଜେପିର ଓଡ଼ିଆ ଅସ୍ମିତା ନାରା ଗୋଟେ ଫାଙ୍କା ଆବାଜ୍। କେନ୍ଦ୍ରରେ ସରକାର ବଞ୍ଚାଇବା ପାଇଁ ଓଡିଶା ସରକାର ଆତ୍ମ ସମର୍ପଣ କରିଛନ୍ତି । କେନ୍ଦ୍ରରେ ବିଜେପି ସରକାର, ରାଜ୍ୟରେ ବିଜେପି ସରକାର ଓ ଆନ୍ଧ୍ରରେ ଭାଗୁଆଳି ସରକାର. ହେଲେ ବିଜେପି ସରକାର ବଞ୍ଚାଇବାକୁ ମାଟି ନୁହେଁ ପାଟିକୁ ବିଜେପି ଗୁରୁତ୍ବ ଦେଇଛି ବୋଲି କହିଛନ୍ତି ଅରୁଣ ସାହୁ ।

ସେପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜସ୍ବ ବିଭାଗ କୋଟିଆ ଦାୟିତ୍ବ ନେବା ପରେ ମନ୍ତ୍ରୀ ନିଜେ ୫ ଥର କୋଟିଆ ଗସ୍ତ କରିଛନ୍ତି । ପ୍ରଥମ ଗସ୍ତରେ ସେଠାକାର ଅଧିବାସୀ ଓଡିଶା ସରକାର ପ୍ରତି ବିମୁଖ ହେଉଥିଲେ । ଗତ ୨୫ ବର୍ଷରେ ପୂର୍ବ ସରକାର କିଛି କରିନଥିଲେ । ନୂଆ ସରକାର ଆସିବା ପରେ ବିକାଶ ଆରମ୍ଭ ହୋଇଛି । କୋଟିଆବାସୀ ମାଉସୀ ଆନ୍ଧ୍ରକୁ ଛାଡି ମାକୁ ଭରସା କରିବା ଆରମ୍ଭ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅନୁଭବୀ ଲୋକ, ଖାଲି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଦେଲେ ହେବ ନାହିଁ । ସେ ଲେଖିଥିବା ଚିଠିର ଆମେ ଉତ୍ତର ଦେବୁ ।

Also Read:-ଏଠି ନିଆରା ଢଙ୍ଗରେ ହୁଏ ପୂଜା... ଗାଡ଼ିରେ ମାଆଙ୍କୁ ବିସର୍ଜନ କଲେ ଅଞ୍ଚଳକୁ କ୍ଷତି...

ସେପଟେ କୋଟିଆରେ ଆନ୍ଧ୍ରର ମନମାନିର ଉଚିତ୍ ଜବାବ ଦିଆଯିବ, ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।ଏଥି ସହ ଲ’ ସେକ୍ରେଟାରୀ, ଆଡଭୋକେଟ ଜେନେରାଲଙ୍କ ସହ ମଧ୍ୟ ଆଲୋଚନା ହେବ । ଆନ୍ଧ୍ର ଯେଉଁ ନୂଆ ହଟ୍ଟଚମଟ ପ୍ରସ୍ତୁତ କରିଛି ସେନେଇ କାଉଣ୍ଟର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଗରୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ । ସମସ୍ତଙ୍କ ମତାମତ ନେଇ ରଣକୌଶଳ ପ୍ରସ୍ତୁତ ହେବ । ଅଦାଲତସ୍ତରରେ, ରାଜନୈତିକ ସ୍ତରରେ ଓ ସାମାଜିକ ଜୀବନରେ ଯାହା କରଣୀୟ ତାହା କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।