ଭୁବନେଶ୍ୱର : ଆପଣ ଦହିବରା ଖାଉଛନ୍ତି କି? ଯଦି ଖାଉଛନ୍ତି ତାହା ସ୍ୱାସ୍ଥ୍ୟକର ତ ? ମୁଁ ଯଦି କହେ ଆପଣ କାହାର ଆଇଁଠା ଦହିବରା, କିମ୍ବା ଡଷ୍ଟବିନରୁ ବାହାରୁଥିବା ଦହିବରା ଖାଉଛନ୍ତି। ଏ କଥା ଶୁଣି ହୁଏତ ଆପଣଙ୍କ ପାଦ ତଳୁ ମାଟି ଖସି ଯାଇପାରେ। କିମ୍ବା ଏମିତି ହୋଇପାରେ କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଇଏ କେଉଁ ମନଗଢ଼ା କାହାଣୀ ନୁହେଁ ସତ।

ଏ ଅଇଁଠା ଦହିବରାକୁ ପୁଣି ବିକ୍ରି କରିଛନ୍ତି ଦୋକାନୀ । ଯାହାର କାରନାମାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ପରେ ଦେଖା ଦେଇଛି ଉତ୍ତେଜନା। କେନ୍ଦୁଝର ଜିଲ୍ଲା ଚମ୍ପୁଆର ଏ ଘଟମା। ଯେଉଁଠି ଜଣେ ଦହିବରା ଦୋକାନୀଙ୍କ ଏଭଳି ଘୃଣ୍ୟ କାରନାମା ଆସିଛି ସାମ୍ନାକୁ । ରୋଜଗାର ବଢ଼ାଇବାକୁ ଗ୍ରାହକଙ୍କୁ ଠକିବାକୁ ବି ପଛାଇନି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗ୍ରାହକମାନେ ଖାଇସାରି ଛାଡ଼ିଦେଇଥିବା ଅଇଁଠା ଦହିବରାକୁ ଗୋଟାଇ ତାକୁ ପୁଣିଥରେ ଭଲ ଦହିବରାରେ ମିଶାଇ ଅନ୍ୟ ଗ୍ରାହକଙ୍କୁ ବିକ୍ରି କରିଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଚମ୍ପୁଆ ଅଞ୍ଚଳ ସହ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଚମ୍ପୁଆ ବସ୍ ଷ୍ଟାଣ୍ଡ ସାମ୍ନା ରାସ୍ତା କଡ଼ରେ ବେପାର କରୁଥିବା ଜଣେ ଦହିବରା ଦୋକାନୀ ଏଭଳି ଘୃଣ୍ୟ କାମ କରୁଥିବାବେଳେ କେହି ଏହାର ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ । ଭିଡିଓରେ ଦେଖିବାକୁ ମିଳିଛି ଯେ, ଗ୍ରାହକ ଛାଡ଼ିଥିବା ଦହିବରାକୁ ପୁଣିଥରେ ସେହି ପାତ୍ରରେ ମିଶାଇ ଅନ୍ୟ ଗ୍ରାହକଙ୍କୁ ଦେଉଛନ୍ତି । ଏ କଥା ଜାଣିବା ପରେ ଉତ୍ତ୍ୟକ୍ତ ଲୋକେ ଦୋକାନୀଙ୍କୁ ଘେରାଉ କରିବା ସହ ଉତ୍ତମ ମଧ୍ୟମ ଦେଇଥିଲେ । ପରେ ଖବର ପାଇ ଚମ୍ପୁଆ ପୋଲିସ୍ ଓ NAC କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୋକାନୀଙ୍କ ଦୁଇ ଚକିଆ ଯାନ ସହ ବିକ୍ରି ପାଇଁ ରଖାଯାଇଥିବା ସମସ୍ତ ଦହିବରା ଓ ଅନ୍ୟାନ୍ୟ ସାମଗ୍ରୀକୁ ପ୍ରଶାସନ ପକ୍ଷରୁ ଜବତ କରି ଖାଦ୍ୟ ନଷ୍ଟ କରାଯାଇଛି । ଚମ୍ପୁଆ ପୋଲିସ୍ ସମ୍ପୃକ୍ତ ଦୋକାନୀ ରମାକାନ୍ତ ଖୁଣ୍ଟିଆଙ୍କୁ ଥାନାରେ ଅଟକ ରଖିଛ ତଦନ୍ତ ଚଳାଇଛି ।

ଏହି ଘଟଣା ପରେ ଖାଦ୍ୟ ସୁରକ୍ଷାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା । ଯାହା ସ୍ୱାଭାବିକ ବି। ଆମେ ଦୋକାନୀଙ୍କ ଠାରୁ ବିଶ୍ୱାସରେ କିଛି ଖାଦ୍ୟ ସାମଗ୍ରୀ କିଣି ଖାଉଛେ। ସେମାନେ ଯଦି ଏମିତି କରିବେ ତାହେଲେ ବଜାରରୁ ଖାଦ୍ୟ କିଣିକି ଖାଇବା କଷ୍ଟ ହୋଇଯିବ। ସେପଟେ ଖାଦ୍ୟ ବ୍ୟବସାୟୀଙ୍କ ଉପରେ ନିୟମିତ ଯାଞ୍ଚ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସୀନ୍ଦା ।

Also Read- ଆନ୍ଧ୍ରର ପାଗଳ କୁକୁର ଓଡ଼ିଶାରେ, ଲୋକେ ଆତଙ୍କିତ ! ଆଇନଜୀବୀ କହିଲେ ଲାଗିବ ଦଫା