ଦିଗପହଣ୍ଡି: ସାନଖେମୁଣ୍ଡି ବ୍ଲକ ମହାନଳା ଗାଁରେ ପାଗଳ କୁକୁରଙ୍କ ଆତଙ୍କ। ଲୋକେ ଭୟଭୀତ ହୋଇ ପଡିଛନ୍ତି । ଭୟଭୀତ ହେବା ସ୍ୱାଭାବିକ। ହାତରେ ଠେଙ୍ଗା ବାଡ଼ି ଧରି ବାହାରକୁ ବାହାରୁଛନ୍ତି। ଏକୁଟିଆ କୁଆଡେ ଯିବାକୁ ଭୟ କରୁଛନ୍ତି ଲୋକେ। କାହିଁକି ନା ଓଡ଼ିଶାକୁ ଆସୁଛି ଆନ୍ଧ୍ରରୁ ପାଗଳ କୁକୁର। ପାଗଳ କୁକୁରକୁ ରାତି ଅଧରେ ଲୁଚାଇ ଛାଡ଼ୁଛି ଆନ୍ଧ୍ର। ଆନ୍ଧ୍ରର ଏଭଳି ଆଚରଣ କେତେଦୂର ଆଇନ ସଙ୍ଗଗତ ତାହା ଶିନ୍ତର ବିଷୟ।

ଗତ ୨୨ ତାରିଖରେ ଗାଁର ଜଣେ କୁନି ଶିଶୁକୁ ୪ ରୁ ୫ ଟି କୁକୁର ଝୁଣି କ୍ଷତାକ୍ତ କରିଥିଲେ। ଏପରିକି ମୁଣ୍ଡର ଖପୁରିର ଏକ ଅଂଶ ବାହାର କରି ଦେଇଥିବା ଅଭିଯୋଗ କରିଛନ୍ତି ପରିଵରବର୍ଗ ଓ ଗ୍ରାମବାସୀ । ଏହା ପୂର୍ବରୁ ଗାଁର ଏକାଧିକ ଲୋକେ କୁକୁର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । କୌଣସି ପ୍ରଶାସନ ଅଧିକାରୀଙ୍କୁ ଯେତେ ଗୁହାରି କଲେ ବି କିଏ ଶୁଣିନଥିବା ଅଭିଯୋଗ କରିଛନ୍ତି. ଓଡି଼ଶାରେ ଆନ୍ଧ୍ର କୁକୁରଙ୍କ ପାଦୁର୍ଭାବରେ ଗ୍ରାମବାସୀ ଭୟଭୀତ ସହ ଅତିଷ୍ଟ ହୋଇ ପଡ଼ିଥିବା ଅଭିଯୋଗ କରିଛନ୍ତି.

ଏଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ ବୋଲି କହିଛନ୍ତି ଆଇନଜୀବୀ। ହିଂସ୍ର ପଶୁ ଏବଂ ଆକ୍ରମଣ କରିବା ଦୁଇଟି ଅପରାଧ। ପ୍ରଶାସନ ଚାହିଁଲେ ମାମଲା ରୁଜୁ ହୋଇ ପାରିବ। ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି କହିଛନ୍ତି ଆଇନଜୀବୀ। ଆନ୍ଧ୍ରପ୍ରଦେଶ ଓଡିଶାକୁ କୁକୁର ଚାଲାଣ କରିବା ସମ୍ପୂର୍ଣ୍ଣ ବେଆଇନ ଅଟେ। ଏହାକୁ ରୋକିବା ପାଇଁ ଦେଶରେ କଠୋର ଆଇନଗତ ବ୍ୟବସ୍ଥା ରହିଛି।

ପଶୁ କ୍ରୁରତା ନିରୋଧ ଅଧିନିୟମ, ୧୯୬୦ (PCA Act, 1960) ଧାରା ୧୧(୧)(i) ରେ ଯଦି କୌଣସି ବ୍ୟକ୍ତି ବା କର୍ତ୍ତୃପକ୍ଷ କୌଣସି ଜୀବକୁ ଏପରି ପରିସ୍ଥିତିରେ ପରିତ୍ୟାଗ କରନ୍ତି, ଯେଉଁଠି ସେ ଯନ୍ତ୍ରଣା, ଆଘାତ କିମ୍ବା ଭୋକ-ଶୋଷରେ ଆତୁର ହେବାର ସମ୍ଭାବନା ଥାଏ, ତେବେ ତାହା ଏକ ଦଣ୍ଡନୀୟ ଅପରାଧ। ସୀମାନ୍ତ ରାସ୍ତା କିମ୍ବା ଜନଶୂନ୍ୟ ଅଞ୍ଚଳରେ କୁକୁରମାନଙ୍କୁ ଛାଡ଼ିଦେବା ଏହି ଆଇନ ଅନୁଯାୟୀ ବେଆଇନ। ଗାଡ଼ିରେ ବୁହାଇ କରି ଯନ୍ତ୍ରଣାଦାୟକ ଭାବେ ପଶୁମାନଙ୍କୁ ଚାଲାଣ କରିବା ମଧ୍ୟ ଅପରାଧ ଅଟେ। ଧାରା ୧୧(୧)(d) ଅନୁଯାୟୀ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି।

ଆନିମଲ ବାର୍ଥ କଣ୍ଟ୍ରୋଲ (ABC) ରୁଲ୍ସ, ୨୦୨୩ ଅନୁଯାୟୀ ବୁଲା କୁକୁରମାନଙ୍କ ନିୟନ୍ତ୍ରଣ ପାଇଁ ଭାରତରେ ଏହା ସର୍ବୋଚ୍ଚ ଆଇନଗତ ନିୟମାବଳୀ।

ନିୟମ ୭ ଅନୁଯାୟୀ ଏହି ଆଇନ ଅନୁସାରେ, ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ (Sterilization) ଏବଂ ଜଳାତଙ୍କ ଟୀକାକରଣ (Vaccination) ପାଇଁ ଯେଉଁ ସ୍ଥାନ ବା ୱାର୍ଡରୁ ଧରାଯିବ, ସେମାନଙ୍କୁ ଠିକ୍ ସେହି ସ୍ଥାନରେ ହିଁ ପୁନର୍ବାର ଛାଡ଼ିବା ବାଧ୍ୟତାମୂଳକ ନିୟମ ରହିଥିବା କହିଛନ୍ତି ଆଇନଜିବୀ । ସେମାନଙ୍କୁ ନିଜ ଅଞ୍ଚଳ ବାହାରକୁ, ବିଶେଷ କରି ଅନ୍ୟ ଏକ ରାଜ୍ୟର ସୀମାକୁ ସ୍ଥାନାନ୍ତରିତ କରିବା ସମ୍ପୂର୍ଣ୍ଣ ନିଷେଧ। ସର୍ବୋଚ୍ଚ ନ୍ୟାୟାଳୟ (Supreme Court) ଙ୍କ ନିର୍ଦ୍ଦେଶ

ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ କୌଣସି ବି ସ୍ଥାନୀୟ ପ୍ରଶାସନ ବୁଲା କୁକୁରମାନଙ୍କୁ ଜୋରଜବରଦସ୍ତ ଅନ୍ୟ ସ୍ଥାନକୁ ଘଉଡ଼ାଇ ପାରିବେ ନାହିଁ। ଏପରି ବେଆଇନ ସ୍ଥାନାନ୍ତରଣ ଦ୍ୱାରା ଓଡ଼ିଶା ସୀମାନ୍ତ ଅଞ୍ଚଳର ଲୋକମାନଙ୍କ ଜୀବନ ପ୍ରତି ବିପଦ (ରାବିସ୍ ବା ଜଳାତଙ୍କ ବ୍ୟାପିବା ଏବଂ କୁକୁର କାମୁଡ଼ା) ସୃଷ୍ଟି ହେଉଛି, ଯାହା ସମ୍ବିଧାନର ଧାରା ୨୧ (Right to Life) ର ଉଲ୍ଲଂଘନ କରୁଛି ବୋଲି ଆଇନଜିବୀ କହିଛନ୍ତି । ସେପଟେ କୁକୁରଙ୍କ ଏଭଳି ଉତ୍ପାତ ବଢୁଥିବା ବେଳେ ସ୍ଥାନୀୟ ପ୍ରଶାସନ କାହିଁକି ନୀରବ ସାଜିଛି. ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରି ହିଂସ୍ର କୁକୁରଙ୍କୁ ଗାଁରୁ ବିତାଡିତ କରିବା ସହ ଆନ୍ଧ୍ରରୁ ଆଣି ଓଡ଼ିଶାରେ ଛାଡୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ସମାଜସେବୀ।