ନୂଆଦିଲ୍ଲୀ ୮।୨: କେନ୍ଦ୍ର ସରକାର କୋର୍ଟରେ ପ୍ରତିନିଧିତ୍ୱ କରୁଥିବା ସରକାରୀ ଓକିଲଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି। ପାଖାପାଖି ୧୧ ବର୍ଷ ପରେ କେନ୍ଦ୍ରୀୟ ଆଇନ ମନ୍ତ୍ରାଳୟ ସରକାରୀ ଓକିଲଙ୍କ ଫି ବୃଦ୍ଧି ନିମନ୍ତେ ପଦକ୍ଷେପ ନେଇଛି। ମୁଦ୍ରାସ୍ଫୀତି ଓ ଆଇନ ସେବାର ବ୍ୟୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ସଂଶୋଧନ ଆବଶ୍ୟକ ଥିଲା। ଆଇନ ମନ୍ତ୍ରାଳୟ ଦ୍ୱାରା ୫ ଫେବୃଆରୀରେ ଜାରି ନୂଆ ଅଧିସୂଚନା ସରକାରୀ ଓକିଲଙ୍କ ମଧ୍ୟରେ ଖୁସିର ଲହର ଖେଳାଇ ଦେଇଛି।

ଏହି ନିଷ୍ପତ୍ତି ଭବିଷ୍ୟତରେ ଆଇନସେବାକୁ ଅଧିକ ପ୍ରଭାବୀ ଓ ନ୍ୟାୟସଙ୍ଗତ କରିବାରେ ସହାୟକ ହେବ। ଅକ୍ଟୋବର ୨୦୧୫ ପରେ ସରକାରୀ ଓକିଲଙ୍କ ଫିରେ କୌଣସି ପରିବର୍ତ୍ତନ ହୋଇ ନଥିଲା। ଏହି ୧୧ ବର୍ଷରେ ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଓ ମୁଦ୍ରାସ୍ଫୀତି ସରକାରୀ ଓକିଲଙ୍କ ପେଷାଦାର ବ୍ୟୟକୁ ବଢାଇ ଦେଇଥିଲା। ସଂଶୋଧିତ ଶୁଳ୍କ ବୃଦ୍ଧି ଲାଗୁ ହେବା ପରେ ସରକାରୀ ଓକିଲଙ୍କୁ ସେମାନଙ୍କ କଠିନ ପରିଶ୍ରମର ଉଚିତ ମୂଲ୍ୟ ମିଳିବ।

ସରକାରୀ ଓକିଲଙ୍କ ଫି ସଂରଚନା ଅନୁସାରେ ଗ୍ରୁପ ‘ଏ’ ଓକିଲଙ୍କୁ ଏବେ ନିୟମିତ ଅପିଲ ଓ ଡିଫେଣ୍ଡେଡ ପିଟିସନର ଚୂଡ଼ାନ୍ତ ଶୁଣାଣି ନିମନ୍ତେ ପ୍ରତି ମୋକଦ୍ଦମା ଦୈନିକ ୨୧,୬୦୦ ଟଙ୍କା ଦିଆଯିବ। ପୂର୍ବରୁ ଏହି ରାଶି ୧୩,୫୦୦ ଟଙ୍କା ଥିଲା। ଏହାର ଅର୍ଥ ସରକାର ବରିଷ୍ଠ ଓକିଲଙ୍କ ଅନୁଭବ ଓ ବିଶେଷଜ୍ଞତାକୁ ସମ୍ମାନ କରି ଶୁଳ୍କରେ ଉଲ୍ଲେଖନୀୟ ବୃଦ୍ଧି କରିଛନ୍ତି।ଏହି ଶୁଳ୍କ ବୃଦ୍ଧିରେ ସରକାର ମଧ୍ୟମ ଓ କନିଷ୍ଠ ଓକିଲଙ୍କୁ ମଧ୍ୟ ଧ୍ୟାନରେ ରଖିଛନ୍ତି।

ଗ୍ରୁପ ‘ବି’ ଓ ‘ସି’ଶ୍ରେଣୀର ଓକିଲଙ୍କ ଫି ୯୦୦୦ ଟଙ୍କାରୁ ବଢାଇ ପ୍ରତି ମୋକଦ୍ଦମା ପ୍ରତି ଦିନ ୧୪,୪୦୦ ଟଙ୍କା କରାଯାଇଛି। ଏହି ବୃଦ୍ଧି ଯୁବ ଓକିଲଙ୍କୁ ପ୍ରୋତ୍ସାହିତ କରିବ। କେବଳ କୋର୍ଟ ଶୁଣାଣି ନୁହେଁ କେନ୍ଦ୍ରୀୟ ମନ୍ତ୍ରାଳୟ ସହିତ ଗୁରୁତ୍ୱପୂର୍ଣ୍ଣ ଆଇନ ପରାମର୍ଶ ବୈଠକ ଫି ମଧ୍ୟ ବୃଦ୍ଧି କରାଯାଇଛି। ଯଦି କୌଣସି ସରକାରୀ ଓକିଲ ମୁଖ୍ୟାଳୟରୁ ଦୂରରେ କୌଣସି ଅନ୍ୟ ସହରର କୋର୍ଟରେ ଶୁଣାଣି କରିବାକୁ ଯାଆନ୍ତି ଏଥି ପାଇଁ ତାଙ୍କୁ ମିଳୁଥିବା ସ୍ୱତନ୍ତ୍ର ଭତ୍ତା ଓ ପୈଠ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଓକିଲଙ୍କୁ ପ୍ରଶାସନିକ ଓ ପରାମର୍ଶ ସମ୍ପର୍କିତ କାର୍ଯ୍ୟ ନିମନ୍ତେ ଭଲ ପାରିତୋଷିକ ମିଳିବ।

ଏହା ବି ପଢନ୍ତୁ:-ଭୟଙ୍କର ବିମାନ ଦୁର୍ଘଟଣା ୨ ଗୁରୁତର ଆହତ, ଗାଁ ନିକଟରେ ଖସିପଡ଼ିଲା ପ୍ରାଇଭେଟ ଜେଟ୍