ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଅଶାନ୍ତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ ହୁତି ବିଦ୍ରୋହୀଙ୍କ ଆଗରେ ଆତ୍ମ ସମର୍ପଣ କଲା କି ସାଉଦି ଆରବ ? ହୁତିଙ୍କ ଆକ୍ରମଣକୁ ଡରିଗଲା କି ଏହି ଦେଶ ?  ଏହି ପ୍ରଶ୍ନ ଏଥିପାଇଁ ଉଠିଛି କାରଣ ହୁତିଙ୍କ ସହ ବୁଝାମଣା କରିବାକୁ ଖୋଦ୍ ଆଗକୁ ଆସିଛି ସାଉଦି ଆରବ। ୟେମେନର ହୁତି ବିଦ୍ରୋହୀଙ୍କ ଆକ୍ରମଣରୁ ନିଜର ତୈଳ ପ୍ରକଳ୍ପ, ବିମାନବନ୍ଦର ଓ ସାମରିକ ଘାଟିଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସାଉଦି ଆରବ ଏକ ବଡ଼ ଆପୋଷ ବୁଝାମଣା ପ୍ରସ୍ତାବ ଦେଇଥିବା ଦାବି ହୋଇଛି। ହୁତି ଓ ସାଉଦି ମଧ୍ୟରେ ମଧ୍ୟସ୍ଥତା ସାଜିଛି ଇରାନ।

ଇସ୍ରାଏଲୀ ଗଣମାଧ୍ୟମ 'ଇସ୍ରାଏଲ୍ ହାୟୋମ୍'ର ଏକ ରିପୋର୍ଟ ଅନୁଯାୟୀ, ଆକ୍ରମଣ ବନ୍ଦ କରିବା ବଦଳରେ ସାଉଦି ଆରବ ହୁତି ବିଦ୍ରୋହୀଙ୍କୁ ୧ ବିଲିୟନ୍ ଡଲାର (ପ୍ରାୟ ୧ ଶହ କୋଟି ଡଲାର)ର ଆର୍ଥିକ ସହାୟତା ପ୍ୟାକେଜ୍ ଯୋଗାଇଦେବାକୁ ସମ୍ମତି ପ୍ରକାଶ କରିଛି। ଏହି ପ୍ରସ୍ତାବ ଇରାନ ଜରିଆରେ ହୁତି ସଂଗଠନ ପାଖକୁ ପଠାଯାଇଛି।

Also Read: ନିର୍ବାଚନ ପାଇଁ ପ୍ରସ୍ତୁତ ଇସ୍ରାଏଲ୍‌, କ’ଣ ହେବ ଫଳାଫଳ ?

ପ୍ରସ୍ତାବରେ କ’ଣ ରହିଛି ?

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହୁତି ନିୟନ୍ତ୍ରଣରେ ଥିବା ଅଞ୍ଚଳଗୁଡ଼ିକରେ ବକେୟା ସରକାରୀ କର୍ମଚାରୀଙ୍କ ଦରମା ପ୍ରଦାନ ଏବଂ ନଷ୍ଟ ହୋଇଯାଇଥିବା ଭିତ୍ତିଭୂମିର ପୁନଃନିର୍ମାଣ ପାଇଁ ଏହି ଅର୍ଥ ବ୍ୟବହାର ହେବ। ଏହାର ପ୍ରତିବଦଳରେ ହୁତି ବିଦ୍ରୋହୀମାନେ ଅସ୍ତ୍ରବିରତି ଘୋଷଣା କରିବା ସହ ସାଉଦି ଆରବର ଗୁରୁତ୍ଵପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ଉପରେ ରକେଟ୍ ଓ ଡ୍ରୋନ୍ ଆକ୍ରମଣ ବନ୍ଦ କରିବେ।

ପୂର୍ବରୁ ହୋଇଥିବା କେତେକ ସାଧାରଣ ସହମତିକୁ ସାଉଦି ପୂରଣ କରିନଥିବା ନେଇ ହୁତି ବିଦ୍ରୋହୀମାନେ ଅଭିଯୋଗ ଆଣିବା ପରେ ନିକଟରେ ଆକ୍ରମଣ ବୃଦ୍ଧି ପାଇଥିଲା। ଏହି ପରିସ୍ଥିତିରେ ପୁରୁଣା ବୁଝାମଣାକୁ ପୁଣି ଥରେ କାର୍ଯ୍ୟକାରୀ କରିବାକୁ ରିୟାଦ ଚେଷ୍ଟା ଚଳାଇଛି।

Also Read: ବିଜୁଳି ବଳରେ ବଳିୟାନ ନେପାଳ, ବନ୍ୟାଜଳରୁ ଆଣୁଛି କୋଟି କୋଟି ଟଙ୍କାର ରାଜସ୍ବ

ଇରାନ ଗସ୍ତରେ ହେଲା ନିଷ୍ପତ୍ତି

ରିପୋର୍ଟ ଅନୁଯାୟୀ, ସାଉଦି ପ୍ରତିରକ୍ଷା ମନ୍ତ୍ରୀ ଶାହଜାଦା ଖାଲିଦ ବିନ୍ ସଲମାନ ସୋମବାର ତେହେରାନ ଗସ୍ତ କରି ଇରାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସେଠାକୁ ଏକ 'C-130' ସାମରିକ ବିମାନ ଯୋଗେ ନଗଦ ଅର୍ଥ ନିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ସାଉଦି ସରକାରଙ୍କ ପକ୍ଷରୁ କୌଣସି ଅର୍ଥ ହସ୍ତାନ୍ତର ନେଇ ଆନୁଷ୍ଠାନିକ ସୂଚନା ଦିଆଯାଇ  ନାହିଁ।

ଇରାନର ମଧ୍ୟସ୍ଥତା

ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା କମାଇବା ପାଇଁ ଇରାନ ନିଜକୁ ଜଣେ କୂଟନୈତିକ ମଧ୍ୟସ୍ଥ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛି। ଗତ ଅକ୍ଟୋବର ୨୦ରେ ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଗଚି କହିଥିଲେ ଯେ ଶାନ୍ତି ଆଲୋଚନା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ କୌଣସି ପକ୍ଷରୁ ସ୍ପଷ୍ଟ ଉତ୍ତର ମିଳିନି। ତେବେ ବର୍ତ୍ତମାନର ଗସ୍ତରୁ ସଙ୍କେତ ମିଳୁଛି ଯେ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ପଛପଟେ କୂଟନୈତିକ ପ୍ରଚେଷ୍ଟା ତୀବ୍ର ହୋଇଛି।