ନୂଆଦିଲ୍ଲୀ: ସିବିଏସ୍ଇ (CBSE) ବୋର୍ଡ ପକ୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏଣିକି ୯ମ ଏବଂ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା (Third Language)କୁ ବାଧ୍ୟତାମୂଳକ କରାଯାଇଛି। ବୋର୍ଡ ପକ୍ଷରୁ ଜାରି ସର୍କୁଲାର ଅନୁଯାୟୀ, ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷରୁ ୯ମ ଏବଂ ୨୭-୨୮ ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀରେ ଏହି ନୂଆ ନିୟମ ଲାଗୁ ହେବ।

ସିବିଏସ୍ଇ ସ୍ପଷ୍ଟ କରିଛି ଯେ, ତୃତୀୟ ଭାଷା ବିଷୟଟି ୧୦ମ ଶ୍ରେଣୀର ମୂଳ ବୋର୍ଡ ପରୀକ୍ଷାର ଅଂଶ ହେବ ନାହିଁ। ତଥାପି, ମାଧ୍ୟମିକ ସ୍କୁଲ ପରୀକ୍ଷା ପାସ୍ ପ୍ରମାଣପତ୍ର ପାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ସ୍ତରରେ ହେବାକୁ ଥିବା Internal Assessmentରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ।

ଯଦି କୌଣସି ଛାତ୍ର ବୋର୍ଡ ଫଳାଫଳ ପୂର୍ବରୁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ବିଫଳ ହୁଅନ୍ତି, ତେବେ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ପୁନଃମୂଲ୍ୟାୟନ କରିବାକୁ ପଡ଼ିବ। ତେବେ ପୁନଃମୂଲ୍ୟାୟନରେ ବି ଫେଲ୍ ହେଲେ ଫଳାଫଳ ସ୍ଥଗିତ ରହିବ କି ନାହିଁ, ସେ ନେଇ ବୋର୍ଡ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

ଯଦି କୌଣସି ଛାତ୍ର କିମ୍ବା ଛାତ୍ରୀ ୯ମ ଶ୍ରେଣୀର ତୃତୀୟ ଭାଷା ମୂଲ୍ୟାଙ୍କନରେ ଫେଲ୍ ହୁଅନ୍ତି, ତେବେ ସେମାନଙ୍କୁ ୧୦ମ ଶ୍ରେଣୀକୁ ପଦୋନ୍ନତି (Promote) ଦିଆଯିବ। କିନ୍ତୁ ସେମାନେ ୧୦ମ ଶ୍ରେଣୀରେ ପଢ଼ୁଥିବା ସମୟରେ ହିଁ ୯ମ ଶ୍ରେଣୀର ସେହି ବାକି ରହିଥିବା ତୃତୀୟ ଭାଷାର ମୂଲ୍ୟାଙ୍କନ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଏହାଦ୍ୱାରା ପିଲାଙ୍କ ବର୍ଷ ନଷ୍ଟ ହେବନାହିଁ, କିନ୍ତୁ ଶିକ୍ଷା ସମାପ୍ତ ପୂର୍ବରୁ ଭାଷାଗତ ଯୋଗ୍ୟତା ପୂରଣ ହୋଇପାରିବ।

ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷରୁ ଷଷ୍ଠ ଶ୍ରେଣୀରୁ ହିଁ ତ୍ରିଭାଷା ସୂତ୍ର (Three-Language Formula) ଲାଗୁ ହେବ। ଏହି ନୂଆ ଢାଞ୍ଚାରେ ପିଲାମାନେ ୩ଟି ଭାଷା ପଢ଼ିବେ, ଯେଉଁଥିରେ ଅତି କମରେ ୨ଟି ଭାରତୀୟ ଭାଷା ରହିବା ବାଧ୍ୟତାମୂଳକ।

୭ମ, ୮ମ ଏବଂ ୯ମ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଇଂରାଜୀ ସହିତ କୌଣସି ଅତିରିକ୍ତ ବିଦେଶୀ ଭାଷା (ଯେପରିକି ଫ୍ରେଞ୍ଚ୍, ଜର୍ମାନ ଇତ୍ୟାଦି) ବାଛିଛନ୍ତି, ସେମାନେ ତାହା ଜାରି ରଖିପାରିବେ। କିନ୍ତୁ ଏହା ସହିତ ସେମାନଙ୍କୁ ଭାରତର ଯେକୌଣସି ଗୋଟିଏ ଆଞ୍ଚଳିକ ତୃତୀୟ ଭାଷା ମଧ୍ୟ ଶିଖିବାକୁ ପଡ଼ିବ।