• ସୁଭାଷ ଚନ୍ଦ୍ରା ବିଦେଶ ଫେରାର ହେବାର ମଧ୍ୟ ଆଶଙ୍କା କରାଯାଇଛି
  • ସେ ଜମା କରିଥିବା ନେଟୱର୍ଥ ସାର୍ଟିଫିକେଟରେ ତାଙ୍କ ମୋଟ ନେଟୱର୍ଥ ୫୯,୧୧୩ କୋଟି ଦର୍ଶା ଯାଇଥିଲା
  • ପରେ ବ୍ୟକ୍ତିଗତ ଦେବାଲିଆ କାର୍ଯ୍ୟାନୁଷ୍ଠାନରେ ସୁଭାଷ ଚନ୍ଦ୍ରା ତାଙ୍କର ନେଟୱର୍ଥକୁ ଅସ୍ୱୀକାର କରିଥିଲେ

ନୂଆଦିଲ୍ଲୀ: ଏସେଲ ଗ୍ରୁପର ମାଲିକ ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ଆକ୍ସନ ମୋଡରେ ସିବିଆଇ । ଏଲଆଇସି ହାଉସିଂ ଫାଇନାନ୍ସ ଅଭିଯୋଗ ଆଧାରରେ ସିବିଆଇ ଚନ୍ଦ୍ରା ଓ ଏସେଲ ଗ୍ରୁପର ୩ ନିର୍ଦ୍ଦେଶକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ୨୨ ହଜାର କୋଟି ଟଙ୍କାର ଋଣକୁ ମାତ୍ର ସାଢେ ୬ କୋଟି ଟଙ୍କାରେ ସେଟେଲ କରିବା ନେଇ ସୁଭାଷ ଚନ୍ଦ୍ରା ଦେଶରେ ଚର୍ଚ୍ଚାକୁ ଆସିଥିଲେ। ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)ଙ୍କ ରାୟ ପରେ ରୁଜୁ ହୋଇଥିବା ଏଫଆଇଆରରେ ସୁଭାଷ ଚନ୍ଦ୍ରା, ଏସେଲ ଗ୍ରୁପର ୩ କମ୍ପାନୀ ଓ ନିର୍ଦ୍ଦେଶକଙ୍କ ଉପରେ ୧୩୨୨ କୋଟି ଟଙ୍କା ଠକେଇର ଅଭିଯୋଗ ହୋଇଛି। ଏହି ଏଫଆଇଆରରେ ଅଜ୍ଞାତ ସରକାରୀ ଅଧିକାରୀଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି।

ଏଲଆଇସି ହାଉସିଂ ଫାଇନାନ୍ସ ଦ୍ୱାରା କରାଯାଇଥିବା ଅଭିଯୋଗରେ ସୁଭାଷ ଚନ୍ଦ୍ରା ବିଦେଶ ଫେରାର ହେବାର ମଧ୍ୟ ଆଶଙ୍କା କରାଯାଇଛି। ଅଭିଯୁକ୍ତ ଅନେକବାର ସାର୍ବଜନିକ ଭାବେ ଭାରତ ଛାଡିବାକୁ ଇଛା ପ୍ରକାଶ କରୁଥିବାରୁ ଏଫଆଇଆର ରୁଜୁ କରିବା ଜରୁରି ହୋଇପଡିଛି ବୋଲି ଏଲଆଇସି ହାଉସିଂ ଫାଇନାନ୍ସ କହିଛି। ଏଣୁ ସିବିଆଇ ଶୀଘ୍ରାତି ଶୀଘ୍ର ପୁରା ପ୍ରକରଣରେ ଋଣ ରାଶିର ଅସଲ ଲାଭାର୍ଥୀ ଓ ଏଥିରେ ସାମିଲ ଲୋକଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ କରୁ ବୋଲି ଏଲଆଇସି ହାଉସିଂ ଫାଇନାନ୍ସ ଦାବି କରିଛି।

ମାମଲାରେ ଏନସିଏଲଟି ଅଗଷ୍ଟ ୨୭ ତାରିଖରେ ତାଙ୍କର ରାୟ ଦେଇଥିଲେ। ଏହି ନିଷ୍ପତ୍ତିର ୪ ଦିନ ପରେ ଅର୍ଥାତ ଅଗଷ୍ଟ ୩୧ ତାରିଖ ଦିନ ଏଲଆଇସି ହାଉସିଂ ଫାଇନାନ୍ସ ଅଭିଯୋଗ ରୁଜୁ କରିଥିଲା। ସିବିଆଇ ସେହି ଦିନ ଏଫଆଇଆର ରୁଜୁ କରି ଥିଲା। କୁହାଯାଉଛି ସୁଭାଷ ଚନ୍ଦ୍ରା ଓ ଅନ୍ୟମାନଙ୍କୁ ଖୁବ ଶୀଘ୍ର ସିବିଆଇ ପଚରା ଉଚରା ଆରମ୍ଭ କରିବ। ଏଲଆଇସି ହାଉସିଂ ଫାଇନାନ୍ସ ଅଭିଯୋଗ ଅନୁସାରେ ୫୦୦ କୋଟି ଓ ୪୮୦ କୋଟି ଲୋନ ସୁବିଧା ଲାଗି ସୁଭାଷ ଚନ୍ଦ୍ର ବ୍ୟାକ୍ତିଗତ ଗ୍ୟାରେଣ୍ଟି ଥିଲେ। ଏଥି ପାଇଁ ସେ ଜମା କରିଥିବା ନେଟୱର୍ଥ ସାର୍ଟିଫିକେଟରେ ତାଙ୍କ ମୋଟ ନେଟୱର୍ଥ ୫୯,୧୧୩ କୋଟି ଦର୍ଶା ଯାଇଥିଲା।

ତେବେ ପରେ ବ୍ୟକ୍ତିଗତ ଦେବାଲିଆ କାର୍ଯ୍ୟାନୁଷ୍ଠାନରେ ସୁଭାଷ ଚନ୍ଦ୍ରା ତାଙ୍କର ନେଟୱର୍ଥକୁ ଅସ୍ୱୀକାର କରିଥିଲେ ଓ ୨୦୨୪ରେ ତାଙ୍କ ମୋଟ ନେଟୱର୍ଥ ମାତ୍ର ୩୧.୭୯ କୋଟି ଟଙ୍କା ବୋଲି କହିଥିଲେ। ଲୋନ ମଞ୍ଜୁର କରିବା ଓ ଆବଣ୍ଟନ ନିମନ୍ତେ ପ୍ରେରିତ କରିବା ଲାଗି ପୂର୍ବର ସାର୍ଟିଫିକେଟ ଜମା କରାଯାଇଥିଲା। ଏହି ଅଭିଯୋଗ ଆଧାରରେ ରୁଜୁ ମାମଲାରେ ସିବିଆଇ ଚନ୍ଦ୍ରା ହଜାରହଜାର କୋଟି ଟଙ୍କା ନେଟୱର୍ଥ ଦର୍ଶାଇବା ଲାଗି ମିଥ୍ୟା କାଗଜପତ୍ର ଦାଖଲ କରିଥିବା ଓ ଲୋନ ମଞ୍ଜୁରୀରେ ଏଲଆଇସି ହାଉସିଂ ଫାଇନାନ୍ସର ତତ୍କାଳୀନ ଅଧିକାରୀଙ୍କ ଅସାଧୁ ସମ୍ପର୍କର ଆଶଙ୍କା ପ୍ରକାଶ କରିଛି।

ଏଫଆଇଆରରେ ସୁଭାଷ ଚନ୍ଦ୍ରାଙ୍କ ସହିତ ବସନ୍ତ ସାଗର ପ୍ରପର୍ଟିଜ୍ ପ୍ରାଇଭେଟ ଲିମିଟେଡ ଓ ଏହାର ନିର୍ଦ୍ଦେଶକ ପଙ୍କଜ ସୁରୋଲିୟା, ପ୍ୟାନ ଇଣ୍ଡିଆ ଇଂଫ୍ରା ପ୍ରୋଜେକ୍ଟସ୍ ପ୍ରାଇଭେଟ ଲମିଟେଡ, ଡିଜିଟାଲ ସବସ୍କ୍ରାଇବର ମ୍ୟାନେଜମେଣ୍ଟ ଆଣ୍ଡ କନସଲ୍ଟାନ୍ସୀ ସର୍ଭିସେସ ପ୍ରାଇଭେଟ ଲିମିଟେଡ ଓ ଏହାର ନିର୍ଦ୍ଦେଶକ ଅମିଶ ପାଣ୍ଡ୍ୟା, ସ୍ପିରିଟ୍ ଇନଫ୍ରା ପାୱାର ଆଣ୍ଡ ମଲ୍ଟି ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ ଓ ଏହାର ନିର୍ଦ୍ଦେଶକ ରାଜୀବ ଢୋଲକିୟାଙ୍କ ସମେତ ଅଜ୍ଞାତ ସିଭିଲ ସର୍ଭିସ ଅଧିକାରୀ ଏବଂ ଅନ୍ୟମାନଙ୍କୁ ନାମିତ କରାଯାଇଛି।

୧୫ ଦିନ ପୂର୍ବରୁ ଏନସିଏଲଟି ସୁଭାଷ ଚନ୍ଦ୍ରାଙ୍କ ୨୨୦୦୬ କୋଟି (ଗ୍ୟାରେଣ୍ଟି ସହିତ ଅନ୍ୟ ମାମଲାରେ) ଲୋନ କୁ ମାତ୍ର ୬.୫ କୋଟି ଟଙ୍କାରେ ସେଟେଲ କରିଦେଇଥିଲେ। ପରେ ବିବାଦ ବଢିବାରୁ ୫ ସଦସୀୟ ଏନସିଏଲଟି ଏହି ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ତେବେ ଚନ୍ଦ୍ରାଙ୍କ ପକ୍ଷରୁ ଏପରି ସଫେଇ ଦିଆଯାଉଥିଲା ଯେ ଏହା ଛଡା ଅନ୍ୟ ଡିବେଟରଙ୍କ ଉପରେ ୧୫ ହଜାର କୋଟିର ଲାଇବେଲିଟି ଏବେବି ଆଉଟଷ୍ଟାଣ୍ଡିଂ ରହିଛି।