ମାଲକାନଗିରି ୨୬।୧୧: ଛତିଶଗଡ ବସ୍ତରରେ ମାଓବାଦୀଙ୍କୁ ଲାଗିଲା ଡବଲ୍ ଝଟ୍‌କା । ଗୋଟିଏ ପଟେ ଜଙ୍ଗଲରୁ ଠାବ ହୋଇଛି ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଡମ୍ପ୍, ଅନ୍ୟପଟେ ମାଟି ତଳୁ ମିଳିଛି ପ୍ରାୟ ୪୦ ଲକ୍ଷ ଟଙ୍କାର ଗୁପ୍ତ ଭଣ୍ଡାର । ନାରାୟଣପୁର ଓ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଦୁଇଟି ବଡ଼ ଅପରେସନରେ ମାଓବାଦୀଙ୍କୁ ଶକ୍ତ ଧକ୍କା ଲାଗିଛି ।

ନାରାୟଣପୁର ଜିଲ୍ଲା ଓରଛା ଥାନା ଅନ୍ତର୍ଗତ ଚାଲଚେର ଜଙ୍ଗଲରେ ପୋଲିସ ଓ ବିଏସ୍ଏଫ୍‌ର ମିଳିତ ସର୍ଚ୍ଚ ଅପରେସନ୍ ବେଳେ ଠାବ ହୋଇଛି ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର । ଯାହା ମଧ୍ଯରେ ରହିଛି ଏସ୍ଏଲ୍ଆର୍, ଇନସାସ୍ ବନ୍ଧୁକ ସହ ଗୁଳି, ମ୍ୟାଗାଜିନ୍ ଓ ୨ଟି ୱାକିଟକି ।

Also Read:-କୋଟିଆ ପାଇଁ ବିଧାନସଭାରେ ଲଢ଼େଇ, ଆତ୍ମାହୁତି ନିଷ୍ପତ୍ତି ବଦଳାଇଲେ ତାରା

ସେହିପରି ବିଜାପୁର ଜିଲ୍ଲା ବଡ଼େପଲ୍ଲୀ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଆଉ ଏକ ଅପରେସନ ବେଳେ ମାଟି ତଳେ ଲୁଚା ଯାଇଥିବା ଏକ ଷ୍ଟିଲ୍ ଡବା ଠାବ ହୋଇଛି । ଯାଞ୍ଚ ପରେ ସେଥିରୁ ୫୦୦ ଟଙ୍କିଆ ନୋଟ୍‌ର ମୋଟ୍ ୩୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଛି । ପୂର୍ବରୁ ମାଓବାଦୀଙ୍କ ଗୁପ୍ତ ଡମ୍ପରୁ ୭ କୋଟି ୬୦ ଲକ୍ଷରୁ ଅଧିକ ଟଙ୍କା ସହ ୮.୫ କିଲୋଗ୍ରାମ ସୁନା ଜବତ ହୋଇଥିଲା । ଲଗାତାର ଚଢ଼ାଉ ମାଧ୍ୟମରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ନେଟୱର୍କକୁ ଧ୍ବଂସ କରିବା ପାଇଁ ସୁରକ୍ଷାକର୍ମୀଙ୍କ ଅଭିଯାନ ଜାରି ରହିଛି ।