ନୂଆଦିଲ୍ଲୀ: ଡଲାରର ଲୋଭ, ସିଲିକନ୍ ଭ୍ୟାଲିରେ ଚାକିରି, ଏକ ବଡ଼ ଘର, ଏକ ବଡ଼ ଗାଡ଼ି। ଲକ୍ଷ ଲକ୍ଷ ଭାରତୀୟ ଏହି ସ୍ୱପ୍ନକୁ ପୂରଣ କରିବାକୁ ଆମେରିକା ଯାଉଛନ୍ତି । କିନ୍ତୁ ଏବେ ଆମେରିକା ପ୍ରତି ମୋହ ଭଙ୍ଗ ହେଉଥିବା ଜଣାପଡ଼ିଛି । ଭାରତୀୟମାନେ ଆମେରିକାରେ ରହିବାକୁ ଆଉ ପସନ୍ଦ କରୁନାହାନ୍ତି । ପ୍ରତି ୧୦ ଜଣରୁ ୪ ଜଣ ଭାରତୀୟ ଆମେରିକା ଛାଡ଼ିବାକୁ ଚାହୁଁଛନ୍ତି । ଏକ ସର୍ଭେ ରିପୋର୍ଟରୁ ଏହି ବଡ଼ ଖୁଲାସା ହୋଇଛି ।

Carnegie Endowmentର ସର୍ଭେ ରିପୋର୍ଟ ଅନୁସାରେ, ୪୦ ପ୍ରତିଶତ ଭାରତୀୟ ବଂଶୋଦ୍ଭବ ଆମେରିକାରେ ରହିବାକୁ ଚାହୁଁନାହାନ୍ତି । ରାଜନୈତିକ, ଆର୍ଥିକ ଏବଂ ସାମାଜିକ ଚାପ ଯୋଗୁଁ ସେମାନେ ଏଭଳି ଚିନ୍ତା କରୁଛନ୍ତି । ଗତକାଲି ପର୍ଯ୍ୟନ୍ତ, ଯେଉଁମାନେ ଡଲାର ରୋଜଗାର କରି ସିଲିକନ୍ ଭ୍ୟାଲିରେ ବସବାସ କରିବାର ସ୍ୱପ୍ନ ଦେଖୁଥିଲେ, ସେମାନେ ଏବେ ନିଜର ବ୍ୟାଗ୍ ପ୍ୟାକ୍ କରିବାକୁ ଚିନ୍ତା କରୁଛନ୍ତି। କାର୍ନେଗି ଏଣ୍ଡୋମେଣ୍ଟ ଫର୍ ଇଣ୍ଟରନ୍ୟାସନାଲ୍ ପିସର ୨୦୨୬ ରିପୋର୍ଟ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ସୁପରପାୱାର ଆମେରିକାରେ ଏପରି କଣ ଘଟିଛି ଯେ, ୪୦% ଭାରତୀୟ ସେଠାରୁ ପଳାଇଯିବାକୁ ଚାହୁଁଛନ୍ତି ?

ହଇଚଇ ସୃଷ୍ଟି କରିଛି ସର୍ଭେ ରିପୋର୍ଟ

୨୦୨୬ ମସିହା ଫେବୃଆରୀ ଏବଂ ଏପ୍ରିଲ ମଧ୍ୟରେ ପ୍ରକାଶିତ କାର୍ନେଗି ଏଣ୍ଡୋମେଣ୍ଟ ଫର୍ ଇଣ୍ଟରନ୍ୟାସନାଲ୍ ପିସର ତଥ୍ୟ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି। ସର୍ଭେରୁ ଜଣାପଡ଼ିଛି ଯେ, ପ୍ରାୟ ୪୦% ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ଏବେ ଆମେରିକା ଛାଡିବାକୁ ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ଏକଦା ଆମେରିକାର ଅର୍ଥନୀତିର ମେରୁଦଣ୍ଡ ଭାବରେ ବିବେଚିତ ଏହି ସମ୍ପ୍ରଦାୟ ଏବେ ଅସ୍ଥିରତାର ସମୟ ଦେଇ ଗତି କରୁଛି। ଏହା ସୁପରପାୱାର ଆମେରିକାର ମୌଳିକ ନୀତି ଉପରେ ପ୍ରଶ୍ନ ଉଠାଇଛି।

Also Read: ଆମେରିକା ନୌସେନା ସଚିବ ଜନ୍ ଏଫ୍ ଫେଲାନ ଦେଲେ ଇସ୍ତଫା, ଯୁଦ୍ଧ ପରିସ୍ଥିତିରେ ଛାଡିଲେ ପଦ

ରାଜନୈତିକ ଧ୍ରୁବୀକରଣ

ଆମେରିକା ଛାଡ଼ିବାକୁ ବିଚାର କରୁଥିବା ୫୮% ଲୋକ ଏକ ଖରାପ ରାଜନୈତିକ ପରିବେଶକୁ ପ୍ରମୁଖ କାରଣ ଭାବରେ ଉଲ୍ଲେଖ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଧ୍ରୁବୀକରଣ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ମଧ୍ୟରେ ଥିବା ନିଜର ଭାବନାକୁ କ୍ଷୁର୍ଣ୍ଣ କରିଛି। ପ୍ରାୟ ୭୧% ଭାରତୀୟ ବଂଶୋଦ୍ଭବ ଟ୍ରମ୍ପ ପ୍ରଶାସନର କାର୍ଯ୍ୟଦକ୍ଷତାରେ ଅସନ୍ତୁଷ୍ଟ। ବିଶ୍ଳେଷକଙ୍କ ଅନୁସାରେ, ‘ଆମେରିକା କେବଳ ଆମେରିକୀୟମାନଙ୍କ ପାଇଁ’ ଭଳି ନୀତି ଭାରତୀୟମାନଙ୍କୁ ଏକ ବାର୍ତ୍ତା ଦେଇଛି ଯେ, ସେମାନେ ଯେତେ ଯୋଗଦାନ ଦେଲେ ମଧ୍ୟ, ସେମାନଙ୍କୁ ସର୍ବଦା ବାହାର ଲୋକ ଭାବରେ ବିବେଚନା କରାଯିବ। ଏହା ସେମାନଙ୍କ ପରିଚୟ ଏବଂ ସୁରକ୍ଷା ବିଷୟରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।

ଭେଦଭାବ, ଜୀବନଯାପନର ମୂଲ୍ୟ ବୃଦ୍ଧି

ବଢ଼ୁଥିବା ଭେଦଭାବ ଏବଂ ସାମାଜିକ ଅଶାନ୍ତିର ଭାବନା ମଧ୍ୟ ଏହା ସହିତ ଜଡିତ। ୨୦୨୦ ପରଠାରୁ, ପ୍ରତ୍ୟକ୍ଷ ହିଂସାରେ ବଡ଼ ବୃଦ୍ଧି ହୋଇନାହିଁ, କିନ୍ତୁ ଲୋକମାନେ ପ୍ରତିଦିନ ପକ୍ଷପାତିତା ବିଷୟରେ ଅଧିକ ଚିନ୍ତିତ । ଅନେକ ଲୋକ କହିଛନ୍ତି ଯେ, ସେମାନେ ସେମାନଙ୍କର ଆଚରଣ ପରିବର୍ତ୍ତନ କରିଛନ୍ତି, କିଛି ବାର୍ତ୍ତାଳାପକୁ ଏଡ଼ାଇ ଦେଇଛନ୍ତି, କିମ୍ବା ସାର୍ବଜନୀନ ଭାବରେ କମ୍ ସୁରକ୍ଷିତ ଅନୁଭବ କରିଛନ୍ତି। ଆର୍ଥିକ ଚାପ ଆଉ ଏକ ପ୍ରମୁଖ କାରଣ। ଆମେରିକାରେ ବଢ଼ୁଥିବା ଜୀବନଯାପନ ଖର୍ଚ୍ଚ ଅନେକ ମଧ୍ୟବିତ୍ତ ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି ।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୁରୁବାର ଭାରତକୁ ଏକ ନର୍କ ବୋଲି ବର୍ଣ୍ଣନା କରିଛନ୍ତି । ସେ ତାଙ୍କ ସୋସିଆଲ୍ ମିଡିଆରେ ଏକ ଚିଠି ଶେୟାର କରିଛନ୍ତି। ଚିଠିରେ କାର୍ଲିଫର୍ଣ୍ଣିଆ ଟେକ୍ ସେକ୍ଟରରେ ନିଯୁକ୍ତି ପ୍ରକ୍ରିୟାକୁ ସମାଲୋଚନା କରାଯାଇଛି। ଏଥିରେ ଦାବି କରାଯାଇଛି ଯେ କାର୍ଲିଫର୍ଣ୍ଣିଆ ଟେକ୍ ସେକ୍ଟରରେ ଦିଆଯାଉଥିବା ଚାକିରି କ୍ଷେତ୍ରରେ ଭାରତୀୟ ଓ ଚୀନ ନାଗରିକଙ୍କ ପ୍ରଭାବ ଅଧିକ ରହିଛି। ଏଠାରେ(ଆମେରିକାରେ) ଜନ୍ମ ହୋଇଥିବା ପିଲା ତୁରନ୍ତ ନାଗରିକ ହୋଇଯାଏ ଏବଂ ତା’ପରେ ସେମାନେ ଚୀନ୍, ଭାରତ କିମ୍ବା ବିଶ୍ୱର ଅନ୍ୟ କୌଣସି 'ନର୍କ'ରୁ ସେମାନଙ୍କର ସମ୍ପୂର୍ଣ୍ଣ ପରିବାରକୁ ଏଠାକୁ ନେଇ ଆସନ୍ତି।