ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ନୂଆତିହୁରା କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରା ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଧିକ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁରା ନୋଡାଲ ଉଚ୍ଚ ବିଦ୍ୟାଳୟ, ସାଙ୍ଗ୍ରାମାଲ (ଏ) ୟୁପି ସ୍କୁଲ, କୁଦପାଲି ୟୁପି ସ୍କୁଲ, ସାଙ୍ଗ୍ରାମାଲ (ବି) ୟୁପି ସ୍କୁଲ ଏବଂ ଡିପିଏ କଲେଜ, ମୁରା ସ୍କୁଲର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ମୁରା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ମିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅମିୟ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ କ୍ଲଷ୍ଟର ସିଆରସିସି ନରେନ୍ଦ୍ର କାଲୁ ଉପସ୍ଥିତ ରହିଥିଲେ । କୈଳାସ ଚନ୍ଦ୍ର ନାଥ ସଭା ପରିଚାଳନା କରିଥିଲେ ।

ସୁରଭି କାର୍ଯ୍ୟକ୍ରମରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର, ପିଏମ୍ ପୋଷଣ ଚିତ୍ରକଳା, ପିଏମ୍ ପୋଷଣ ଶିଳ୍ପକଳା ଏବଂ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ପୂର୍ଣ୍ଣିମା ସାହୁ, କଲ୍ୟାଣୀ ଭୋଇ, ଏଲୋରା ନାଥ, ସୁମତି ତିରୁ, ଇପ୍ସୀତା ସାହୁ, ଆଦିତ୍ୟନାରାୟଣ ଭୋଇ, ନିଳାଦ୍ରୀ ଗୁପ୍ତା, ବିଶ୍ୱନାଥ ସାଏ ଏବଂ ନିହାର ରଞ୍ଜନ ସ୍ୱାଇଁ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଏହି ପ୍ରତିଯୋଗିତାରେ ମୁରା ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ବିତର୍କ ପ୍ରତିଯୋଗିତାରେ ପୁନମ୍ ବାରିକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଚିତ୍ରାଙ୍କନରେ ଶ୍ରୀମା ସାହୁ ପ୍ରଥମ ହୋଇଥିଲେ । ସେହିପରି ପିଏମ୍ ପୋଷଣ ଚିତ୍ରକଳାରେ ରବିଶଙ୍କର ମାଝୀ ପ୍ରଥମ ସ୍ଥାନ ହାସଲ କରିଥିଲେ । ଜୁନିୟର ବିଭାଗରେ ଅମନ୍ ପ୍ରଧାନ ପ୍ରଥମ ହୋଇଥିଲେ । ଏଥିସହ ଦଳଗତ ସାଂସ୍କୃତିକ ପ୍ରତିଯୋଗିତାରେ ମଧ୍ୟ ମୁରା ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ହାସଲ କରିଥିଲେ ।

ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଏକ ଉତ୍ତମ ମଞ୍ଚ ପ୍ରଦାନ କରିଛି । ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଏହି ସଫଳତା ବିଦ୍ୟାଳୟ ପାଇଁ ଆନନ୍ଦର ବିଷୟ ପାଲଟିଛି ।