ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରରେ ପ୍ରାୟ ୨୬ ଦିନ ଧରି ଭାସୁଥିବା ଏକ ଡଙ୍ଗା ସ୍ପେନର କ୍ୟାନେରୀ ଦ୍ୱୀପପୁଞ୍ଜ ନିକଟରୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସ୍ପେନର ସମ୍ବାଦ ସଂସ୍ଥା EFE ନୋଟିସିଆସର ରିପୋର୍ଟ ଅନୁଯାୟୀ, ଉତ୍ତର-ପଶ୍ଚିମ ଆଫ୍ରିକା ଉପକୂଳରେ ଥିବା ଦ୍ୱୀପପୁଞ୍ଜ ନିକଟରେ ଏହି କ୍ଷୁଦ୍ର ଡଙ୍ଗାରୁ ବହୁ ସଂଖ୍ୟକ ମୃତଦେହ ମିଳିଛି।

ସୂଚନା ଅନୁଯାୟୀ, ଡଙ୍ଗାରେ ମୋଟ ୧୨୮ ଜଣ ଯାତ୍ରୀ ଥିଲେ, ଯେଉଁଥିରୁ ୪୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୫ଟି ମୃତଦେହ ମିଳିଛି। ବାକି ଯାତ୍ରୀ ନିଖୋଜ ଥିବା କୁହାଯାଉଛି। ଉଦ୍ଧାର ହୋଇଥିବା ଡଙ୍ଗାଟିକୁ ଗ୍ରାନ୍ କାନାରିଆର 'ଆର୍ଗୁଇନେଗୁଇନ୍' ବନ୍ଦରକୁ ଅଣାଯାଇଛି। ରେଡକ୍ରସକୁ ସୂଚନା ଦେଇ ଜୀବନ୍ତ ଉଦ୍ଧାର ହୋଇଥିବା ଯାତ୍ରୀମାନେ କହିଛନ୍ତି ଯେ, ଡଙ୍ଗାରେ ୧୦୦ରୁ ଅଧିକ ଲୋକ ଯାତ୍ରା କରୁଥିଲେ ।

Also Read: ଦୃଶ୍ୟମାନ ହେଉଛି, ପୁଣି ଲୁଚିଯାଉଛି... ବିଶାଳ ଜଳାଶୟ ମଧ୍ୟରେ କାହିଁକି ଲୁଚକାଳି ଖେଳୁଛି ଏହି ଦ୍ବୀପ ?

ସ୍ପେନର ବେସରକାରୀ ସଂସ୍ଥା 'କାମିନାଣ୍ଡୋ ଫ୍ରଣ୍ଟେରାସ୍'କୁ ସିଭିଲ୍ ଗାର୍ଡ ଦେଇଥିବା ସୂଚନା ଅନୁଯାୟୀ, ଡଙ୍ଗାର ଗଠନ ଏବଂ ସେଥିରେ ଥିବା ଲେଖାରୁ ଏହା ଗାମ୍ବିଆରୁ ବାହାରିଥିବା ଅନୁମାନ କରାଯାଉଛି। ଦି ଟାଇମ୍ସର ରିପୋର୍ଟ ଅନୁଯାୟୀ, ଉଦ୍ଧାର ହୋଇଥିବା ସମସ୍ତ ବ୍ୟକ୍ତି ଗାମ୍ବିଆ ଏବଂ ମାଲିର ନାଗରିକ। ସ୍ପେନର ସାମୁଦ୍ରିକ ଉଦ୍ଧାରକାରୀ ଦଳ ବୁଧବାର ଅପରାହ୍ନରେ ପ୍ରଥମେ ଏହି ଡଙ୍ଗାଟିକୁ ଦେଖିବା ପରେ ମଧ୍ୟରାତ୍ରିରେ 'ଗାର୍ଡାମାର୍ ଉରାନିଆ' ଜାହାଜ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରିଥିଲେ।

ଏହି ଦୁର୍ଘଟଣାର ମାତ୍ର ଗୋଟିଏ ଦିନ ପୂର୍ବରୁ ମୋରୋକୋ ନୌସେନା କ୍ୟାନେରୀ ଦ୍ୱୀପପୁଞ୍ଜ ଆଡ଼କୁ ଯାଉଥିବା ୨୦୧ ଜଣ ଶରଣାର୍ଥୀଙ୍କୁ ଉଦ୍ଧାର କରିଥିଲା। ପଶ୍ଚିମ ଆଫ୍ରିକାରୁ କ୍ୟାନେରୀ ଦ୍ୱୀପପୁଞ୍ଜ ପର୍ଯ୍ୟନ୍ତ ବିସ୍ତୃତ ଆଟଲାଣ୍ଟିକ୍ ସମୁଦ୍ର ପଥ ଏବେ ଅତ୍ୟନ୍ତ ବିପଜ୍ଜନକ ପାଲଟିଛି। 'ମିସିଂ ମାଇଗ୍ରାଣ୍ଟସ୍ ପ୍ରୋଜେକ୍ଟ'ର ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୫ ମଧ୍ୟରେ ଏହି ରୁଟରେ ମୃତ୍ୟୁ ସଂଖ୍ୟା ୪୮୦ ପ୍ରତିଶତ ବୃଦ୍ଧି ପାଇଛି । ଯାହା ୨୦୨ରୁ ବୃଦ୍ଧି ପାଇ ୧,୧୭୨ରେ ପହଞ୍ଚିଛି। ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ (IOM) ଚେତାବନୀ ଦେଇଛି ଯେ, କଠୋର ଆଇନ ଯୋଗୁଁ ଶରଣାର୍ଥୀମାନେ  ସାଧାରଣ ମାଛଧରା ଡଙ୍ଗାରେ ସମୁଦ୍ର ଯାତ୍ରା କରୁଛନ୍ତି। ୨୦୨୬ ମସିହାରେ ବର୍ତ୍ତମାନ ସୁଦ୍ଧା ଏହି ରୁଟ୍‌ରେ ୩୪୯ ଜଣଙ୍କର ମୃତ୍ୟୁ ପଞ୍ଜୀକୃତ ହୋଇସାରିଛି।