ନୂଆଦିଲ୍ଲୀ: କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ 'ୱିଲିଷ୍ଟନ୍ ଜଳାଶୟ'ରେ ଗତ କିଛି ସପ୍ତାହ ଧରି ଏକ ଭାସମାନ ଦ୍ୱୀପ ଦେଖାଯାଉଛି । ଏହା ନିଜର ସ୍ଥାନ ବଦଳାଇବା ସହ ବାରମ୍ବାର ଗାଏବ ହୋଇଯାଉଛି । ୧,୭୬୧ ବର୍ଗ କିଲୋମିଟର ବିଶିଷ୍ଟ ଏହି ବିଶାଳ ଜଳାଶୟକୁ 'BC Hydro' ନାମକ ସରକାରୀ ସଂସ୍ଥା ପରିଚାଳନା କରେ। 

ଜୁଲାଇ ୨୧ରେ ଦୁଇଟି ଆମେରିକୀୟ ଫୁଟବଲ୍ ପଡ଼ିଆ ଆକାରର ଏକ ଭାସମାନ ଦ୍ୱୀପ ପ୍ରଥମେ ନଜରକୁ ଆସିଥିଲା। ଅଗଷ୍ଟ ୫ରେ ଏହା ହଠାତ୍ ଗାଏବ ହୋଇଯାଇଥିଲା। ଅଗଷ୍ଟ ୧୨ ଓ ୩୦ରେ ଦ୍ୱୀପଟି ପୁଣିଥରେ ଜଳାଶୟର ଅନ୍ୟ ଏକ ସ୍ଥାନରେ ଦୃଶ୍ୟମାନ ହୋଇଥିଲା।

ଏହି ଦ୍ୱୀପ କିପରି ସୃଷ୍ଟି ହେଲା ?
ସରକାରୀ ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଏବଂ ବରଫ ତରଳିବା ହେତୁ ଜଳାଶୟର ଜଳସ୍ତର ରେକର୍ଡ ପରିମାଣରେ ବୃଦ୍ଧି ପାଇଥିଲା । ଫଳରେ ଉପକୂଳରୁ ଏହି ଖଣ୍ଡଟି ଅଲଗା ହୋଇ ଭାସିବାକୁ ଲାଗିଥିଲା। ଗଛର ଶୁଖିଲା କାଠଗଣ୍ଡି ଏକାଠି ହୋଇ ବହୁ ବର୍ଷ ଧରି ସଢ଼ିବା ପରେ ମାଟିରେ ପରିଣତ ହୋଇଥିଲା।

ଏହି ମାଟିରେ ସୃଷ୍ଟି ହୋଇଥିଲା ଗଛ ଏବଂ ସେଗୁଡ଼ିକର ଚେର ଏହି ଭୂଖଣ୍ଡକୁ ଦୃଢ଼ ଭାବରେ ବାନ୍ଧି ରଖିଛି । ଗଛଗୁଡ଼ିକ ପବନ ସଂସ୍ପର୍ଶରେ ଆସିବା ହେତୁ ଏହି ଭୂଖଣ୍ଡଟି ପାଣିରେ ପାଲଟଣା ଡଙ୍ଗା ଭଳି ଆଗକୁ ଭାସି ଚାଲିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଜଳାଶୟରେ ଏପରି ଆହୁରି ଏଭଳି ଭାସମାନ ଭୂଖଣ୍ଡ ଥାଇପାରେ। BC Hydro ସଂସ୍ଥା ନିୟମିତ ଏହି ସ୍ଥାନଗୁଡ଼ିକର ସର୍ଭେ କରୁଛି। ଜଳାଶୟରେ ପାଣି ଭିତରେ ବୁଡ଼ି ରହିଥିବା ଓ ଭାସୁଥିବା ବର୍ଜ୍ୟବସ୍ତୁ ଯୋଗୁଁ ନୌକାଚାଳକ ଏବଂ ପର୍ଯ୍ୟଟକଙ୍କୁ ସାବଧାନ ରହିବାକୁ ବୋର୍ଡ ପକ୍ଷରୁ ସଚେତନ କରାଯାଇଛି।