ନୂଆଦିଲ୍ଲୀ ୧୨।୦୮; ଜିମ୍ବାୱେରେ ବଡ ଅଘଟଣ । କାରିବା ହ୍ରଦରେ ବୁଡିଗଲା ଯାତ୍ରୀବାହୀ ଡଙ୍ଗା। ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିବାରୁ ଅନେକ ପ୍ରାଣହାନୀ ହୋଇଛି। ଏହି ଦୁର୍ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ପ୍ରବଳ ଲହଡ଼ି ଓ ଇଞ୍ଜିନ୍ ଅଚଳ ହୋଇଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ନେଇ କୁହାଯାଉଛି।

ଜିମ୍ବାୱେର ପ୍ରସିଦ୍ଧ ହ୍ରଦ କାରିବା । ପ୍ରତିଦିନ ଭଳି ଗତକାଲି ମଧ୍ୟ ସ୍ଥାନୀୟ ଲୋକ ଓ ମାଛଧରାଳିମାନେ କାରିବା ସହରରୁ ଦ୍ୱୀପପୁଞ୍ଜ ଆଡ଼କୁ ଯାତ୍ରା କରୁଥିଲେ। ଡଙ୍ଗାଟିରେ ୯୦ ଜଣ ଯାତ୍ରୀ ଏବଂ ୫ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୯୫ ଜଣ ଥିଲେ। ପାଗ ଅତ୍ୟନ୍ତ ଖରାପ ଥିବା ସତ୍ତ୍ୱେ ଡଙ୍ଗାଟି ହ୍ରଦ ମଧ୍ୟକୁ ଯାତ୍ରା କରିଥିଲା। ହ୍ରଦର ମଝିଭାଗରେ ପହଞ୍ଚିବା ପରେ ହଠାତ୍ ସ୍ଥିତି ବିଗିଡ଼ି ଯାଇଥିଲା। ପ୍ରବଳ ଲହଡି ଓ ପବନରେ ଡଙ୍ଗାର ଇଞ୍ଜିନ୍ ଫେଲ୍ ହୋଇଯାଇଥିଲା। ନିୟନ୍ତ୍ରଣ ହରାଇ ଡଙ୍ଗାଟି ହ୍ରଦ ମଝିରେ ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା। ଖବର ପାଇବା କ୍ଷଣି ଉଦ୍ଧାର ପାଇଁ ହେଲିକପ୍ଟର ପଠାଯାଇଥିଲା। ଏହା ସହିତ କରିବା ସହରରୁ ବୁଡ଼ାଳି ଏବଂ ସେନାର ବଡ଼ ବଡ଼ ଡଙ୍ଗା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଏହି ଅଭିଯାନରେ ୬୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କିନ୍ତୁ ପ୍ରବଳ ଲହଡ଼ି ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେବାରୁ ୧୫ ଜଣଙ୍କ ପାଣିରେ ହିଁ ମୃତ୍ୟୁ ଘଟିଛି। ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ମୃତଦେହଗୁଡ଼ିକୁ ଚିହ୍ନଟ ପାଇଁ କରିବା ଶବଗୃହକୁ ପଠାଯାଇଛି। ନିଖୋଜ ଥିବା ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ପାଇଁ ଏବେ ବି ସେନା ଓ ବୁଡ଼ାଳି ଦଳଙ୍କ ଦ୍ୱାରା ଅଭିଯାନ ଜାରି ରହିଛି। ପ୍ରତିକୂଳ ପାଗରେ ଡଙ୍ଗା ଚଳାଚଳ ଏବଂ ସୁରକ୍ଷା ବ୍ୟବସ୍ଥାର ଅଭାବକୁ ନେଇ ଏବେ ସ୍ଥାନୀୟ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଭାସୁଥିବା ଜିନିଷପତ୍ର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।