କୋଲକାତ: ଆଇଭିଏଫ୍ (ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍)କୁ ନେଇ ଏକ ଦମ୍ପତିଙ୍କ ଆବେଦନ ଉପରେ କଲିକତା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୨୦୧୪ ମସିହାରୁ ସନ୍ତାନ ପାଇଁ ସଂଗ୍ରାମ କରୁଥିବା ଦମ୍ପତିଙ୍କୁ ଆଇଭିଏଫ୍ ଚିକିତ୍ସା ପାଇଁ କଲିକତା ହାଇକୋର୍ଟ ଅନୁମତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଯଦି ଜଣେ ସ୍ତ୍ରୀ ଆସିଷ୍ଟେଡ୍ ରିପ୍ରଡକ୍ଟଟିଭ୍ ଟେକ୍ନୋଲୋଜି (ART) ଅଧିନିୟମ, ୨୦୨୧ ଅନୁଯାୟୀ ଯୋଗ୍ୟ ଅଟନ୍ତି, ତେବେ ସ୍ୱାମୀଙ୍କ ବୟସ ଆଇନଗତ ସୀମାଠାରୁ ଅଧିକ ହୋଇଥିବା ଦର୍ଶାଇ ତାଙ୍କୁ ଚିକିତ୍ସା ପାଇଁ ମନା କରାଯାଇପାରିବ ନାହିଁ । ହାଇକୋର୍ଟଙ୍କ ଏହି ରାୟ ଆଇଭିଏଫକୁ ନେଇ ଥିବା ବୟସ ସୀମା ଉପରେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି ।

ଜଷ୍ଟିସ୍ କୃଷ୍ଣା ରାଓ କହିଛନ୍ତି ଯେ ଜଣେ ଯୋଗ୍ୟ ସ୍ତ୍ରୀଙ୍କ ସନ୍ତାନ ପାଇବାର ଅଧିକାରରେ ସ୍ୱାମୀଙ୍କ ବୟସ ବାଧା ସୃଷ୍ଟି କରିବା ଠିକ୍ ନୁହେଁ । ସେ ଦର୍ଶାଇଛନ୍ତି ଯେ ପ୍ରକୃତ ଏଟିଆର ପ୍ରକ୍ରିୟାରେ ପୁରୁଷଙ୍କର କୌଣସି ଶାରୀରିକ ଭୂମିକା ନଥାଏ । ମହିଳା ଜଣକ ହିଁ ଗର୍ଭଧାରଣ କରି ଭ୍ରୂଣକୁ ନିଜ ଗର୍ଭରେ ବଢ଼ାଇଥାନ୍ତି ।

କୋର୍ଟ କହିଛନ୍ତି, "ମହିଳାଙ୍କୁ ମାନସିକ ସମର୍ଥନ ଦେବା ବ୍ୟତୀତ, ଶିଶୁର ଜନ୍ମରେ ପୁରୁଷଙ୍କର ଅନ୍ୟ କୌଣସି ଭୂମିକା ନଥାଏ । ମହିଳା ଜଣକ ଏକାକୀ ଗର୍ଭଧାରଣ ବାହକ (gestational carrier) ଭାବରେ କାର୍ଯ୍ୟ କରନ୍ତି । ମହିଳାଙ୍କ ମେଡିକାଲ୍ ରିପୋର୍ଟ ଅନୁସାରେ ସେ ଶାରୀରିକ ଭାବେ ଭ୍ରୂଣ ଧାରଣ କରିବା ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ବୟସ ଏବଂ ସ୍ୱାସ୍ଥ୍ୟ ଉଭୟ ଦୃଷ୍ଟିରୁ ଏଟିଆର ସେବା ପାଇବାକୁ ଯୋଗ୍ୟ ।"

ଉଲ୍ଲେଖଯୋଗ୍ୟ ଯେ ଏହି ବିବାହିତ ଦମ୍ପତି ଆଇଭିଏଫ୍ ଚିକିତ୍ସା ପାଇଁ ଅନୁମତି ମାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ଏକ ଏଟିଆର୍ ବ୍ୟାଙ୍କରୁ ଶୁକ୍ରାଣୁ ଏବଂ ଡିମ୍ବାଣୁ ସଂଗ୍ରହ କରି ଗର୍ଭଧାରଣ କରିବାକୁ ଚାହୁଁଥିଲେ । ସେମାନଙ୍କ ଓକିଲ ସ୍ୱପ୍ନଦ୍ୱୀପ ରାୟ କୋର୍ଟଙ୍କୁ ଜଣାଇଥିଲେ ଯେ ୨୦୧୪ରୁ ବିବାହ ପରେ ମଧ୍ୟ ସେମାନଙ୍କର କୌଣସି ସନ୍ତାନ ନାହିଁ । ହସ୍ପିଟାଲ୍ ଏହି ଚିକିତ୍ସା କରିବାକୁ ମନା କରିଦେଇଥିଲା କାରଣ ସ୍ୱାମୀଙ୍କ ବୟସ ୫୭ ବର୍ଷ ଥିଲା । ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରକ୍ରିୟା ପାଇଁ ପୁରୁଷଙ୍କ ନିର୍ଦ୍ଧାରିତ ସର୍ବୋଚ୍ଚ ବୟସ ସୀମା ୫୫ ବର୍ଷ ଏବଂ ମହିଳାଙ୍କ ପାଇଁ ଏହି ସୀମା ୫୦ ବର୍ଷ ରହିଛି ।

ସରକାରଙ୍କ ପକ୍ଷରୁ ଓକିଲମାନେ ଏହାକୁ ବିରୋଧ କରିଥିଲେ । ସେମାନଙ୍କ ଯୁକ୍ତି ଥିଲା ଯେ ଦମ୍ପତିଙ୍କ ବୟସ ଆଇନ ଅନୁସାରେ ଅଧିକ (ସ୍ତ୍ରୀଙ୍କୁ ୪୯ ଏବଂ ସ୍ୱାମୀଙ୍କୁ ୫୭), ଯାହା ଏଟିଆର୍ ଆକ୍ଟର ଧାରା ୨୧(ଜି)(ii)ର ଉଲ୍ଲଂଘନ କରୁଛି ।

କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ଆଇନ ଅନୁସାରେ ଯେକୌଣସି ବ୍ୟକ୍ତି ଏଟିଆର ସେବା ପାଇପାରିବେ । ଜଣେ ବିବାହିତ ମହିଳା ନିଜେ ଏକାକୀ କ୍ଲିନିକକୁ ଯାଇପାରିବେ ଏବଂ କ୍ଲିନିକ ତାଙ୍କୁ ମନା କରିପାରିବ ନାହିଁ । ଏହି ମାମଲାରେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବାରୁ ସେମାନେ ଏକାଠି ଆବେଦନ କରିଥିଲେ । ବୟସ ସୀମାର ଏକ ଉଦ୍ଦେଶ୍ୟ ଅଛି । ଅପବ୍ୟବହାରକୁ ରୋକିବା ପାଇଁ କରାଯାଇଛି । କିନ୍ତୁ ଆଇନକୁ ଏପରି ଭାବରେ ବ୍ୟାଖ୍ୟା କରାଯାଇପାରିବ ନାହିଁ ଯାହାଦ୍ୱାରା ଏହା ଅକାମୀ ହୋଇଯିବ । ସ୍ୱାମୀଙ୍କ ଅଯୋଗ୍ୟତା ପାଇଁ ସ୍ତ୍ରୀ କାହିଁକି କଷ୍ଟ ପାଇବେ ବୋଲି ପ୍ରଶ୍ନ କରି କୋର୍ଟ ହସ୍ପିଟାଲକୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।