ଆଠଗଡ଼ ୨୪।୧୦: ଆଠଗଡ଼ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଆକ୍ରମଣ । ବିଷ ପିଇ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଉନ୍ମତ୍ତକାଣ୍ଡ । ଡାକ୍ତରଙ୍କ ଉପରକୁ ପଟାସ ପାଣି ଢାଳିବା ସହ ବାଲ୍ଟିରେ ପିଟିଲେ । ଆକ୍ରମଣରେ ଆହତ ଡାକ୍ତର ସନ୍ତୋଷ କାଣ୍ଡୋଲା କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କୁ ଆକ୍ରମଣର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଡାକ୍ତରଙ୍କ ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ଗିରଫ କରିଛି ମାଣିଆବନ୍ଧ ପୋଲିସ । ମାଣିଆବନ୍ଧ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତ ଡାକ୍ତରଙ୍କୁ ଉଦ୍ଧାର କରିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା ।

କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ କଷିକିଆରି ଗାଁର ଆଦର୍ଶ ସେଠ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଉପସ୍ଥିତ ଡାକ୍ତର ସନ୍ତୋଷ କାଣ୍ଡୋଲା ସମ୍ପୃକ୍ତ ବ୍ୟକ୍ତିଙ୍କୁ କେଉଁ ପଦାର୍ଥ ଖାଇଛନ୍ତି ଏବଂ କେତେ ପରିମାଣରେ ଖାଇଛନ୍ତି ବୋଲି ପଚାରିଥିଲେ । ଏହି ପଚରାଉଚରାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ହଠାତ୍ ଉତ୍ତେଜିତ ହୋଇପଡ଼ିଥିଲେ । ବ୍ୟକ୍ତି ଜଣଙ୍କ ସୋଡିୟମ ଖାଇଥିବା କହିବା ପରେ ସମ୍ପର୍କୀୟ ମାନେ ଡାକ୍ତରଙ୍କ ଉପରକୁ ପଟାସ ପାଣି ଢାଳିବା ସହ ବାଲ୍ଟିରେ ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ ଡାକ୍ତର ସନ୍ତୋଷ କାଣ୍ଡୋଲା ଆହତ ହୋଇଥିଲେ ।

Also Read:- ଅକ୍ଟୋବରରେ କାହିଁକି ଅଧିକ ବାତ୍ୟା ? କାରଣ କହିଲେ ବିଶେଷଜ୍ଞ

ଖବର ପାଇ ମାଣିଆବନ୍ଧ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତ ଡାକ୍ତରଙ୍କୁ ଉଦ୍ଧାର କରିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା । ଅନ୍ୟପଟେ, ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ ଶ୍ରବଣ କୁମାର ସେଠ ଓ ବିଜୟ କୁମାର ସେଠ ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଜାରି ରଖିଛି ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Watch Video: