ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସୁପ୍ରିମକୋର୍ଟରେ ଜଜ ସଂଖ୍ୟା ବୃଦ୍ଧିକୁ ନେଇ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୩୪ରୁ ବଢାଇ ୩୮ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଛଅ ବର୍ଷ ପରେ ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହା ପୂର୍ବରୁ ୨୦୧୯ରେ ବିଚାରପତିଙ୍କ ସଂଖ୍ୟା ବଢାଯାଇ ୩୧ରୁ ୩୩ କରାଯାଇଥିଲା। ଏହି ପଦକ୍ଷେପ ଉଦ୍ଦେଶ୍ୟ ସୁପ୍ରିମକୋର୍ଟକୁ ମଜବୁତ କରିବା ଏବଂ ନ୍ୟାୟ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ବୋଲି ସରକାର କହିଛନ୍ତି। ସଂପ୍ରତି ସୁପ୍ରିମକୋର୍ଟରେ ୯୨ ହଜାରରୁ ଅଧିକ ମାମଲା ବିଚାରଧୀନ ରହିଛି।

କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଜଣାଇଛନ୍ତି ଯେ, ବର୍ତ୍ତମାନ ଅଦାଲତରେ ୩୩ ବିଚାରପତି ଏବଂ ଜଣେ ପ୍ରଧାନ ବିଚାରପତି ରହିଛନ୍ତି। ସଂସଦର ଆଗାମୀ ଅଧିବେଶନରେ ଏ ସଂପର୍କିତ ବିଧେୟକ ଆଗତ କରାଯିବ। ବିଧେୟକ ଗୃହୀତ ହେବା ପରେ ପ୍ରଧାନ ବିଚାରପତି ସହିତ ସୁପ୍ରିମକୋର୍ଟଙ୍କ ମୋଟ୍ ଜଜ୍ ସଂଖ୍ୟା ୩୮ କୁ ବୃଦ୍ଧି ଘ। କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନ୍ୟାୟାଳୟରେ ବିଚାରଧୀନ ମାମଲାର ବୋଝ କମ କରିବା ଏବଂ ନ୍ୟାୟ ପ୍ରକ୍ରିୟା ତ୍ଵରାନ୍ଵିତ କରିବା ଉଦ୍ଦେଶ୍ୟରେ ନେଇଛନ୍ତି।

Also Read: ଗୋଟିଏ ଭୋଟ୍ ପାଇଁ ହାରିଗଲେ DMKର ଟାଣୁଆ ନେତା, ଜିତିବେ ବୋଲି ଭାବି ଭୋଟ୍ ଦେଇନଥିଲେ ପରିବାର ଲୋକ

ଏହିପରି ବଢି ଚାଲିଛି ଜଜ୍ ସଂଖ୍ୟା

ସୁପ୍ରିମକୋର୍ଟ ଅଧିନିୟମ ୧୯୫୬ରେ ମୂଳତଃ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦେଲେ ୧୦ ବିଚାରପତିଙ୍କ ପ୍ରାବଧାନ ଥିଲା। ୧୯୬୦ରେ ଏହାକୁ ୧୩ ଏବଂ ପରେ ୧୭କୁ ବୃଦ୍ଧି କରାଯାଇଥିଲା। ୧୯୮୬ରେ ସଂଶୋଧନ ପରେ ଏହି ସଂଖ୍ୟା ୨୫କୁ ବୃଦ୍ଧି ପାଇଥିଲା ଏବଂ ୨୦୦୯ରେ ୩୦ରେ ପହଞ୍ଚିଥିଲା। ସଂପ୍ରତି ସଦ୍ୟତମ ପ୍ରସ୍ତାବ ପରେ ନ୍ୟାୟପାଳିକାକୁ ମଜବୁତ କରିବା ଦିଗରେ କେନ୍ଦ୍ର ସରକାର ଏହି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ଭାରତର ସମ୍ବିଧାନରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ଭାବେ କେତେ ରହିବ ତାହା ସ୍ଥିର ହୋଇନି। ଅନୁଚ୍ଛେଦ ୧୨୪(୧) ଆଧାରରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଅନ୍ୟ ଜଜଙ୍କ ସଂଖ୍ୟା ସଂସଦରେ ସ୍ଥିର କରାଯାଏ। ସମୟ ସମୟରେ ବଢୁଥିବା ମୋକଦ୍ଦମା ସଂଖ୍ୟାକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ କରାଯାଏ। ହେଲେ ଅନେକ ବିଶେଷଜ୍ଞଙ୍କ ମତରେ କେବଳ ଜଜ୍ ସଂଖ୍ୟା ବଢାଇ ଦେଲେ ଯେ ତୁରନ୍ତ ନ୍ୟାୟ ମିଳିବ ତାହା ଭୁଲ୍।

Also Read: ଓଡିଶା ହାଇକୋର୍ଟ ଏବଂ ନିମ୍ନ ଅଦାଲତଙ୍କ ୮ ରାୟରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ, ଜାମିନ ନିର୍ଦ୍ଦେଶ ଉପରେ ନିଜେ କରିବେ ବିଚାର​​​​​​​