ନୂଆଦିଲ୍ଲୀ, ୦୪/୦୫: ଅଭିଯୁକ୍ତକୁ ମିଳିଥିଲା ପୋଲିସ ଷ୍ଟେସନ ସଫା କରିବାର ଦାୟିତ୍ୱ । ଜାମିନର ସର୍ତ୍ତରେ ପୋଲିସ ଷ୍ଟେସନ ସଫା କରିବାକୁ ହେବ । ତଳ କୋର୍ଟ ସହ ଓଡିଶା ହାଇକୋର୍ଟ ମଧ୍ୟ ଏପରି ଦଣ୍ଡକୁ କାଏମ୍ ରଖିଥିଲେ । ହେଲେ ସୁପ୍ରିମକୋର୍ଟ ମାମଲାକୁ ଗୁରୁତର ସହ ନେଇଛନ୍ତି । ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଜ ତରଫରୁ ବିଚାର କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, କୁମେଶ୍ୱର ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା । ସେ ଖଣି ଖାଦାନକୁ ବିରୋଧ କରି ଗିରଫ ହୋଇଥିଲେ । ଗିରଫ ପରେ ତଳ କୋର୍ଟରେ ତାଙ୍କର ମାମଲା ଚାଲିଥିଲା । ତଳ କୋର୍ଟ କୁମେଶ୍ୱରଙ୍କୁ ଜାମିନ ପାଇବା ସର୍ତ୍ତରେ ପୋଲିସ ଷ୍ଟେସନକୁ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ୍ ମଧ୍ୟ ଗତ ବର୍ଷ ମେ ୨୫ ତାରିଖରେ ଏପରି ଏକ ନିର୍ଦ୍ଦେଶ ଦେଇଥିଲେ। କଶୀପୁର ପୋଲିସ ଷ୍ଟେସନକୁ ସବୁଦିନ ସକାଳ ୬ଟାରୁ ୯ଟା ମଧ୍ୟରେ ପରିଷ୍କାର କରିବାକୁ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରି ଭାବେ ଦୁଇ ମାସ ପାଇଁ ତାଙ୍କୁ ଦଣ୍ଡ ମିଳିଥିଲା । ଏହା ତାଙ୍କର ଜାମିନର ସର୍ତ୍ତ ବୋଲି ସେତେବେଳେ କୋର୍ଟ କହିଥିଲେ ।

ଏବେ କିନ୍ତୁ ସୁପ୍ରିମକୋର୍ଟ ନିଜ ଆଡୁ ଏହି ମାମଲାକୁ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟା ବାଗଚୀ ଏହାର ବିଚାର କରିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ବର୍ଷ ମେ ମାସରୁ ୨୦୨୬ ଜାନୁଆରୀ ସୁଧା ରାଜ୍ୟରେ ଏପରି ଭାବେ ୮ଟି ନିର୍ଦ୍ଦେଶନାମା କୋର୍ଟ୍ ଦେଇଛନ୍ତି । ଏହାମଧ୍ୟରୁ ୭ଟି ନିର୍ଦ୍ଦେଶନାମା ରାୟଗଡା ଜିଲ୍ଲାର କୋର୍ଟ ଦେଇଥିବା ବେଳେ ଗୋଟିଏ ନିର୍ଦ୍ଦେଶ ରାଜ୍ୟ ହାଇକୋର୍ଟଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ସେହିପରି ମୋଟ୍ ୮ଟି ମାମଲାରେ ୬ ଜଣ ଆବେଦନକାରୀ ଦଳିତ ସମୁଦାୟରୁ ଆସୁଥିବା ବେଳେ ଦୁଇ ଜଣ ଆଦିବାସୀ ରହିଛନ୍ତି ।