ଭୁବନେଶ୍ବର ୭।୧୦: ଅକ୍ଟୋବର ୮ ତାରିଖ ଅର୍ଥାତ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡିଆ ବ୍ଲକ୍ । ଇଣ୍ଡିଆ ବ୍ଲକ୍ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି । ତେବେ ବନ୍ଦ ଡାକରା ସତ୍ତ୍ୱେ ବସ୍ ସେବା ଜାରି ରହିବ । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି ସୂଚନା ଦେଇଛନ୍ତି । ଘରୋଇ ବସ୍ ସେବା ସବୁ ଦିନ ପରି ଗୁରୁବାର ମଧ୍ୟ ସ୍ୱାଭାବିକ ରହିବ । ଆମ ସହିତ ଆନ୍ଦୋଳନ ପାଇଁ ବସ୍ ଚଳାଚଳ ବନ୍ଦ ରଖିବାକୁ ଏବେ ଯାଏଁ କେହି ଯୋଗାଯୋଗ କରି ନାହାନ୍ତି । ଏବେ ଯାଏଁ ଆମ ନିଷ୍ପତ୍ତି ଗୁରୁବାର ବସ୍ ସେବା ଜାରି ରହିବ ।

ସେପଟେ ବନ୍ଦ ଡାକରା ସତ୍ତ୍ବେ ଖୋଲା ରହିବ କଟକର ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳୀ ମାଲଗୋଦାମ । ଏନେଇ ରାଜ୍ୟ ମାଲଗୋଦାମ ବ୍ୟବସାୟୀ ସଂଘ ସୂଚନା ଦେଇଛନ୍ତି । ଆନ୍ଦୋଳନ ପାଇଁ ମାଲଗୋଦାମ ବନ୍ଦ ରଖିବାକୁ ଏବେ ଯାଏଁ କେହି ଯୋଗାଯୋଗ କରି ନାହାନ୍ତି ବୋଲି କହିଛନ୍ତି ମାଲଗୋଦାମ ବ୍ୟବସାୟୀ ସଙ୍ଘ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ।

ବନ୍ଦ ସମୟରେ ରେଳ, ବସ୍, ସରକାରୀ, ବେସରକାରୀ ଅଫିସ୍ ବନ୍ଦ ରଖିବା ସହ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି । ହସ୍ପିଟାଲ, ଆମ୍ବୁଲାନ୍ସ ସେବା, ମେଡିକାଲ ଷ୍ଟୋର ସମେତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯିବ ।

Also Read:- ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ: ଶେଷ ଅଭିଯୁକ୍ତ ବୁଦ୍ଧିଆକୁ ଜାମିନ, ୨୦୧୯ରେ ହୋଇଥିଲା ଗିରଫ

ଏସ୍ଆଇଆର୍ ପ୍ରସଙ୍ଗରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର ଦାବି କରାଯାଇଛି । ଏମଏମଡିଆର୍ ଆଇନ ସଂଶୋଧନ ପ୍ରତ୍ୟାହାର କରି ଓଡ଼ିଶାର ଖଣିଜ ସମ୍ପଦ ସୁରକ୍ଷା କରିବାକୁ ଦାବି ହୋଇଛି । ବନ୍ୟା ପୀଡ଼ିତଙ୍କୁ ପର୍ଯ୍ୟାପ୍ତ ସହାୟତା ଓ ପୁନର୍ବାସ ଯୋଗାଇବା ସହ ପ୍ରାଥମିକ ଶିକ୍ଷା ପାଠ୍ୟପୁସ୍ତକ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଇଣ୍ଡିମେଣ୍ଟ ।

ଏହି ବନ୍ଦ ପାଳନ ଅବସରରେ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ଆଦି ସବୁ କିଛି ବନ୍ଦ ରହିବ ବୋଲି ସୂଚନା ରହିଛି । ବନ୍ଦ ପାଳନ ପୂର୍ବରୁ ବୁଧବାର ଭୁବନେଶ୍ୱରରେ ପଦଯାତ୍ରା କରିଛି କଂଗ୍ରେସ ଓ ବାମ ଦଳ । ଏଜି ଛକରେ ଥିବା ଆମ୍ବେଦକର ପ୍ରତିମୂର୍ତ୍ତି ଆଗରେ ପ୍ରତିବାଦ କରଯାଇଛି ।

Watch Video: