ନୂଆଦିଲ୍ଲୀ: ମଙ୍ଗଳବାର ରୁର୍‌କିର ଏକ ବିବାହ ମଣ୍ଡପରେ ଦେଖିବାକୁ ମିଳିଛି ରୋଚକ ଡ୍ରାମା। ଏଠାରେ ଜଣେ ୨୪ ବର୍ଷୀୟା କନ୍ୟା ନିଜର ବିବାହକୁ ବାତିଲ କରିଦେଇଛନ୍ତି। ବରପକ୍ଷର ବରଯାତ୍ରୀମାନେ ତାଙ୍କ ପରିବାରର ମହିଳାମାନଙ୍କୁ ସେଠାରେ ହଇରାଣ ଓ ଅସଦାଚରଣ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏହା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମେ, ସେ କିଛି ଘଣ୍ଟା ମଧ୍ୟରେ ସେହି ବିବାହ ମଣ୍ଡପରେ ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି।

ଗାଙ୍ଗନହର ଥାନା ପ୍ରଭାରୀ (SHO) ମଣିଭୂଷଣ ଶ୍ରୀବାସ୍ତବଙ୍କ ସୂଚନା ଅନୁଯାୟୀ, ପିରାନ୍ କଲିୟାର ନିକଟସ୍ଥ ଏକ ଗାଁରୁ ବରଯାତ୍ରୀ ଗ୍ରୀନ୍ ପାର୍କ କଲୋନୀର ବିବାହ ମଣ୍ଡପକୁ ଆସିଥିଲେ। କିନ୍ତୁ ବିବାହର କିଛି ସମୟ ପୂର୍ବରୁ କନ୍ୟା ପକ୍ଷର ଲୋକ କିଛି ବରଯାତ୍ରୀଙ୍କ ଉପରେ ମହିଳା ଅତିଥିଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ତାହା ମାରପିଟ୍‌ରେ ପରିଣତ ହୋଇଥିଲା।

ସେପଟେ ଏହି ଅସଦାଚରଣ ଘଟଣାରେ ମର୍ମାହତ ହୋଇ କନ୍ୟା ଜଣକ ବିବାହ କରିବାକୁ ସିଧାସଳଖ ମନା କରିଦେଇଥିଲେ। ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ, ଉଭୟ ପରିବାର ପାରସ୍ପରିକ ସହମତିରେ ବିବାହ ବାତିଲ କରିବାକୁ ରାଜି ହୋଇଥିଲେ। ବରପକ୍ଷର ପରିବାର ମଧ୍ୟ ପୂର୍ବରୁ ନେଇଥିବା ସମସ୍ତ ଉପହାର ଫେରସ୍ତ କରିବାକୁ ଏବଂ ବିବାହ ସମାରୋହରେ କନ୍ୟା ପକ୍ଷର ଯେତିକି ଖର୍ଚ୍ଚ ହୋଇଥିଲା, ତାହା ଭରଣା କରିବାକୁ ରାଜି ହୋଇଥିଲେ।

Also Read: ଜଣେ ଯୁବକଙ୍କୁ ବିବାହ କଲେ ତିନି ଭଉଣୀ, କହିଲେ- “ରାଜା ଦଶରଥଙ୍କର ତିନିଜଣ ରାଣୀ ଥିଲେ...”

ତେବେ ଉଭୟ ପରିବାର ମଣ୍ଡପ ଛାଡ଼ି ଯିବା ସମୟରେ ପୁଣି ଥରେ ଉତ୍ତେଜନା ଦେଖିବାକୁ ମିଳିଥିଲା ଏବଂ ସେମାନଙ୍କ ମଧ୍ୟରେ ପୁନର୍ବାର ସଂଘର୍ଷ ଘଟିଥିଲା। ଏଥିରେ ପ୍ରାୟ ୧୦ ଜଣ ଲୋକ ସାମାନ୍ୟ ଆହତ ହୋଇଥିଲେ ଏବଂ ପୋଲିସ କହିଛି ଯେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।

ପରେ ସେହି ରାତିରେ ହିଁ, କନ୍ୟାଙ୍କ ପରିବାର ଲୋକେ ଉତ୍ତର ପ୍ରଦେଶର ସହାରନପୁର ଜିଲ୍ଲା ବିଲାସପୁର ଗାଁର ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ବିବାହ ସ୍ଥିର କରିଥିଲେ। ସେହି ସମାନ ବିବାହ ମଣ୍ଡପରେ କନ୍ୟା ଜଣକ ନୂଆ ବରଙ୍କ ସହ ବିବାହ ହୋଇଥିଲା।

ବର୍ତ୍ତମାନ ଏହି ମାମଲା ଗାଙ୍ଗନହର ଥାନାରେ ପହଞ୍ଚିଛି। SHO ଶ୍ରୀବାସ୍ତବ କହିଛନ୍ତି, "ବରପକ୍ଷ ନିଜର ଅଭିଯୋଗ ପ୍ରତ୍ୟାହାର କରିନେଇଥିବା ବେଳେ, କନ୍ୟା ପକ୍ଷ ଏକ FIR ରୁଜୁ କରିବାକୁ ଦାବି କରିଛନ୍ତି, ଘଟଣାର ତଦନ୍ତ ଚାଲିଛି।’’