ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଶୁକ୍ରବାର, ସେପ୍ଟେମ୍ବର ୧୧ରେ ଭାରତ ମଣ୍ଡପମ୍ରେ ସମ୍ମିଳନୀର ଔପଚାରିକ ଶୁଭାରମ୍ଭ ହେବ। ସେପ୍ଟେମ୍ବର ୧୨ ଓ ୧୩ରେ ରାଷ୍ଟ୍ରମୁଖ୍ୟମାନଙ୍କ ସାକ୍ଷାତ ଓ ସେମାନଙ୍କ ଅଭିଭାଷଣ ହେବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ କରାଯାଇଛି।

ଏହି ସମ୍ମିଳନୀରେ ଭାରତ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବା ସିବିଡିସି ଏବଂ ଦ୍ରୁତ ପେମେଣ୍ଟ ସିଷ୍ଟମ୍ଗୁଡ଼ିକୁ ପରସ୍ପର ସହ ଯୋଡ଼ିବାର ପ୍ରସ୍ତାବ ଆଗକୁ ବଢ଼ାଇବ। ଏହାର ଉଦ୍ଦେଶ୍ୟ କୌଣସି ନୂଆ ବ୍ରିକ୍ସ ସାଧାରଣ ମୁଦ୍ରା ତିଆରି କରିବା ନୁହେଁ। ବରଂ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସୀମାପାର ଅର୍ଥ ପ୍ରଦାନକୁ ଅଧିକ ଦ୍ରୁତ, ସହଜ ଓ କମ୍ ଖର୍ଚ୍ଚରେ କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ଜଣାପଡ଼ିଛି।

୨୦୨୫ର ରିଓ ଡି ଜାନେରିଓ ଘୋଷଣାରେ ପେମେଣ୍ଟ ସିଷ୍ଟମ୍ଗୁଡ଼ିକର ଇଣ୍ଟରଅପରେବିଲିଟି ବଢ଼ାଇବା ନେଇ ସହମତି ହୋଇଥିଲା। ଏହି ପ୍ରସ୍ତାବ କେବଳ ସେହି ସହମତିକୁ ଆଗକୁ ନେବାର ଏକ ପ୍ରୟାସ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ମଧ୍ୟ ଅଗଷ୍ଟରେ ଏନେଇ ଆଗୁଆ ସୂଚନା ଦେଇ ସାରିଥିଲେ। ସେ କହିଥିଲେ ଯେ ବ୍ରିକ୍ସରେ CBDC ଏବଂ ଫାଷ୍ଟ ପେମେଣ୍ଟ ସିଷ୍ଟମ୍ର ଲିଙ୍କିଂ ସମେତ ବିଭିନ୍ନ ବିକଳ୍ପ ଉପରେ ଆଲୋଚନା ଚାଲିଛି।

CBDC ଲିଙ୍କ୍ ହେଲେ ଭାରତକୁ କ’ଣ ଲାଭ?

ଭାରତରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ରିଅଲ୍-ଟାଇମ୍ରେ ଟଙ୍କା ନେଣଦେଣକୁ ବେଶ୍ ସହଜ କରିଛି। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇବାର ସୁବିଧା ଯୋଗୁଁ ୟୁପିଆଇର ବ୍ୟବହାର ଦ୍ରୁତ ଗତିରେ ବଢ଼ିଛି। ଏବେ ଭାରତ ଏଭଳି ଡିଜିଟାଲ୍ ପେମେଣ୍ଟ କନେକ୍ଟିଭିଟିକୁ ଅନ୍ତର୍ଜାତୀୟ ସ୍ତରରେ ବଢ଼ାଇବାକୁ ଚାହୁଁଛି।

ବ୍ରିକ୍ସ ଦେଶଗୁଡ଼ିକର ପେମେଣ୍ଟ ସିଷ୍ଟମ୍ କିମ୍ବା ସିବିଡିସି ପରସ୍ପର ସହ କାର୍ଯ୍ୟକ୍ଷମ ହୋଇପାରିଲେ ବ୍ୟବସାୟୀ, ପର୍ଯ୍ୟଟକ ଏବଂ ସୀମାପାର ଅନ୍ୟ ବ୍ୟବହାରକାରୀମାନେ ଲମ୍ବା ବ୍ୟାଙ୍କିଂ ପ୍ରକ୍ରିୟା ଉପରେ କମ୍ ନିର୍ଭର କରିବାକୁ ପଡ଼ିବ। ପେମେଣ୍ଟ ଦ୍ରୁତ ହେବା ସହ ଖର୍ଚ୍ଚ ମଧ୍ୟ କମିପାରେ।ଏହା ଭାରତକୁ ନିଜର ଡିଜିଟାଲ୍ ପେମେଣ୍ଟ ଟେକ୍ନୋଲୋଜିକୁ ବ୍ରିକ୍ସ ଦେଶଗୁଡ଼ିକରେ ବିସ୍ତାର କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଟଙ୍କାର ବ୍ୟବହାର ବଢ଼ାଇବାର ସୁଯୋଗ ମଧ୍ୟ ଦେଇପାରେ।

Also Read- ବ୍ରିକ୍ସରେ ଭାରତର ବ୍ୟବସାୟିକ ସ୍ଥିତି ଜାଣିଲେ ଆଶ୍ଚର୍ଯ୍ୟ ହେବେ: ହେଲେ ଚୀନ-ଋଷ ବେପାର ଜବରଦସ୍ତ

ଭାରତ-ଚୀନ୍ ସମ୍ପର୍କ ହେବ ବଡ଼ ଚ୍ୟାଲେଞ୍ଜ?

ବ୍ରିକ୍ସରେ ଭାରତ ଆଣିବାକୁ ଯାଉଥିବା ସିବିଡିସି ପ୍ରସ୍ତାବର ବଡ଼ ପରୀକ୍ଷା ହେବ ଚୀନ୍ର ଉପସ୍ଥିତି। ଚୀନ୍ ବ୍ରିକ୍ସର ସବୁଠାରୁ ବଡ଼ ଆର୍ଥିକ ଶକ୍ତି। କିନ୍ତୁ ଭାରତ ଓ ଚୀନ୍ ମଧ୍ୟରେ ପାରସ୍ପରିକ ବିଶ୍ୱାସର ଅଭାବ ଏବେ ବି ରହିଛି। ରଏଟର୍ସର ଏକ ରିପୋର୍ଟ ଅନୁସାରେ, ଭାରତ ପୂର୍ବରୁ ନିଜର ଇନ୍ଷ୍ଟାଣ୍ଟ ପେମେଣ୍ଟ ସିଷ୍ଟମ୍ ସହ Alipay+କୁ ଯୋଡ଼ିବା ପ୍ରସ୍ତାବକୁ ଚୀନ୍ ସଂଯୋଗ ଓ ଜାତୀୟ ସୁରକ୍ଷା ସମ୍ପର୍କିତ ଚିନ୍ତା କାରଣରୁ ଅଟକାଇଥିଲା।

ତେଣୁ ଭାରତର ଆର୍ଥିକ ବ୍ୟବସ୍ଥାକୁ ଚୀନ୍ର ଡିଜିଟାଲ୍ ୟୁଆନ୍ କିମ୍ବା ଏହାର ପେମେଣ୍ଟ ଇନ୍ଫ୍ରାଷ୍ଟ୍ରକ୍ଚର ସହ ଯୋଡ଼ିବା ପାଇଁ କେବଳ ଟେକ୍ନୋଲୋଜିଗତ ସୁସଙ୍ଗତି ଯଥେଷ୍ଟ ହେବ ନାହିଁ। ଡାଟା ସୁରକ୍ଷା, ଜାତୀୟ ସୁରକ୍ଷା, ଆର୍ଥିକ ସାର୍ବଭୌମତ୍ୱ ଏବଂ ପାରସ୍ପରିକ ବିଶ୍ୱାସ ଭଳି ପ୍ରସଙ୍ଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ।

ରୁଷିଆ, ଇରାନ ଓ ୟୁଏଇ ସହ ମଧ୍ୟ ଚ୍ୟାଲେଞ୍ଜ୍

ବ୍ରିକ୍ସରେ ପେମେଣ୍ଟ କନେକ୍ଟିଭିଟି ସୃଷ୍ଟି କରିବାର ସମସ୍ୟା କେବଳ ଭାରତ-ଚୀନ୍ ସମ୍ପର୍କ ମଧ୍ୟରେ ସୀମିତ ନୁହେଁ। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଆର୍ଥିକ ବ୍ୟବସ୍ଥା, ନିୟମକାନୁନ ଏବଂ ଭୂ-ରାଜନୈତିକ ସ୍ୱାର୍ଥ ପରସ୍ପରଠାରୁ ବେଶ୍ ଭିନ୍ନ।

ରଏଟର୍ସ ରିପୋର୍ଟ ଅନୁସାରେ, ଇରାନ ଓ ୟୁଏଇ ମଧ୍ୟରେ ଆର୍ଥିକ ସମ୍ପର୍କରେ ତିକ୍ତତା ରହିଛି। ସେହିପରି ରୁଷିଆ ଉପରେ ପଶ୍ଚିମ ଦେଶଗୁଡ଼ିକର ପ୍ରତିବନ୍ଧକ ଯୋଗୁ ଏହାର ଅନ୍ତର୍ଜାତୀୟ ପେମେଣ୍ଟ ଚ୍ୟାନେଲ୍ଗୁଡ଼ିକ ପ୍ରଭାବିତ ହୋଇଛି। ତେଣୁ ଏକ ସାଧାରଣ ପେମେଣ୍ଟ ଆର୍କିଟେକ୍ଚର ତିଆରି କରିବା ପାଇଁ ଟେକ୍ନିକାଲ ବ୍ୟବସ୍ଥା ସହ ପ୍ରତିବନ୍ଧକ, ଗୋଟିଏ ମୁଦ୍ରାକୁ ଅନ୍ୟ ମୁଦ୍ରାରେ ପରିବର୍ତ୍ତନ ଏବଂ ବାଣିଜ୍ୟ ଅସନ୍ତୁଳନ ଭଳି ସମସ୍ୟାର ମଧ୍ୟ ସମାଧାନ ଆବଶ୍ୟକ ହେବ।

Also Read- ବେସାମିରକ ବିମାନ କ୍ଷେତ୍ରରେ ଭାରତ ସହ ସମ୍ପର୍କ ମଜଭୁତ କରିବାକୁ ଚାହୁଁଛି ଋଷ: ୧୦୫ ଯାତ୍ରୀବାହୀ ବିମାନ ଚୁକ୍ତି ଉପରେ ଆଲୋଚନା

ସିବିଡିସି ମାଧ୍ୟମରେ ଭାରତର ଲକ୍ଷ୍ୟ କ’ଣ?

ବ୍ରିକ୍ସ ଦେଶଗୁଡ଼ିକ ପରସ୍ପରର ମୁଦ୍ରାରେ ପେମେଣ୍ଟ କରିବାର ବ୍ୟବସ୍ଥା ତିଆରି କଲେ ମଧ୍ୟ ଏହାର ଅର୍ଥ ଡଲାରର ଗୁରୁତ୍ୱ ସମ୍ପୂର୍ଣ୍ଣ ଶେଷ ହୋଇଯିବ ନାହିଁ। ନିଜ ନିଜ ମୁଦ୍ରାରେ ନେଣଦେଣ କରିବା ଦ୍ୱାରା କିଛି କାରବାରରେ ଡଲାରର ଆବଶ୍ୟକତା କମିପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ଶେଷ ହେବ ନାହିଁ।

ରୁଷିଆର କହିବା ଅନୁସାରେ, ବ୍ରିକ୍ସ ଦେଶଗୁଡ଼ିକ ସହ ତା’ର ପ୍ରାୟ ୯୦ ପ୍ରତିଶତ କାରବାର ଏବେ ନିଜ ନିଜ ମୁଦ୍ରାରେ ହେଉଛି। କିନ୍ତୁ ଭାରତ-ରୁଷିଆ ବାଣିଜ୍ୟରେ ଭାରତୀୟ ଟଙ୍କା ଜମା ହୋଇ ରହିବା ଭଳି ସମସ୍ୟାରୁ ଜଣାପଡ଼ୁଛି ଯେ, ଲୋକାଲ୍ କରେନ୍ସିରେ ନେଣଦେଣ ସହ ଲିକ୍ୟୁଡିଟି ଓ ବାଣିଜ୍ୟ ଅସନ୍ତୁଳନ ଭଳି ଚ୍ୟାଲେଞ୍ଜ ମଧ୍ୟ ରହିଛି।

ଡି-ଡଲାରାଇଜେସନ୍ ନୁହେଁ, ପେମେଣ୍ଟ ସହଜ କରିବା ଲକ୍ଷ୍ୟ

ଭାରତର ବର୍ତ୍ତମାନର ଆଭିମୁଖ୍ୟକୁ ଦେଖିଲେ ବ୍ରିକ୍ସରେ ସିବିଡିସି ପ୍ରସ୍ତାବ ଆଗକୁ ବଢ଼ାଇବାକୁ ‘ଡଲାର ହଟାଅ ପ୍ରକଳ୍ପ’ ଭାବେ ଦେଖିବା ଠିକ୍ ହେବ ନାହିଁ। ଏହା ମୁଖ୍ୟତଃ ‘ପେମେଣ୍ଟ ସହଜ କର’ ଅଭିଯାନ।

ଭାରତ ସରକାରର ଅଧିକାରୀମାନେ ମଧ୍ୟ ସ୍ପଷ୍ଟ କରିଆସିଛନ୍ତି ଯେ, ବ୍ରିକ୍ସ କରେନ୍ସି ତିଆରି କରିବା କିମ୍ବା ତୁରନ୍ତ ଡି-ଡଲାରାଇଜେସନ୍ କରିବା ଭାରତର ପ୍ରାଥମିକ ଏଜେଣ୍ଡା ନୁହେଁ। ବରଂ ଗୋଟିଏ ଦେଶର ମୁଦ୍ରାରେ ଅନ୍ୟ ଦେଶ ସହ ସହଜ ଭାବରେ କିଣାବିକା ଓ ଅର୍ଥ ପ୍ରଦାନ ସମ୍ଭବ କରିବା ଉପରେ ଜୋର ଦିଆଯାଉଛି।

ଭାରତ କେବଳ ମୁଦ୍ରାଗୁଡ଼ିକର ପାରସ୍ପରିକ ସ୍ୱୀକୃତି ନୁହେଁ, ବରଂ ଦ୍ରୁତ ଓ ସୁବିଧାଜନକ ପେମେଣ୍ଟ ବ୍ୟବସ୍ଥା ବିକଶିତ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି। ଯଦି ଏଥିରେ ଭାରତ ସଫଳ ହୁଏ, ତେବେ ଏହାର ପ୍ରଥମ ଏବଂ ସବୁଠାରୁ ବ୍ୟବହାରିକ ଲାଭ ହେବ କମ୍ ଖର୍ଚ୍ଚ, ଦ୍ରୁତ ଅର୍ଥିକ ଫୈସଲା ଏବଂ ଅଧିକ ପେମେଣ୍ଟ ବିକଳ୍ପ। ତେବେ ବିଶ୍ୱର ଆର୍ଥିକ ବ୍ୟବସ୍ଥାରୁ ଡଲାରକୁ ସମ୍ପୂର୍ଣ୍ଣ ବାହାର କରିବାର ଲକ୍ଷ୍ୟ ଏବେ ମଧ୍ୟ ଦୂରରେ।