ଲକ୍ଷ୍ମୌ: ବହୁଜନ ସମାଜ ପାର୍ଟି (ବସପା) ମୁଖିଆ ମାୟାବତୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ପାର୍ଟିରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ମାୟାବତୀ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ରାଜ୍ୟସଭା ସଦସ୍ୟ ଥିବା ଅଶୋକ ସିଦ୍ଧାର୍ଥ ସକ୍ରିୟ ରାଜନୀତିରୁ ଇସ୍ତଫା ଘୋଷଣା କରିଛନ୍ତି। ଏହା ପରେ ମାୟାବତୀ ଅଶୋକ ସିଦ୍ଧାର୍ଥଙ୍କ ଜ୍ୱାଇଁ ଓ ନିଜର ବଡ଼ ପୁତୁରା ଆକାଶ ଆନନ୍ଦଙ୍କୁ ପାର୍ଟିରୁ ବାହାରକୁ ରାସ୍ତା ଦେଖାଇ ଦେଇଛନ୍ତି। ତେବେ ଆକାଶ ଆନନ୍ଦଙ୍କ ସ୍ଥାନରେ ସାନ ପୁତୁରା ତଥା ଜାତୀୟ ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କ ସାନ ପୁଅ ଇସାନ ଆନନ୍ଦଙ୍କୁ ପାର୍ଟିରେ ସାମିଲ କରିଛନ୍ତି।

ଇଶାନ ଆନନ୍ଦ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ମାୟାବତୀ ତାଙ୍କ ବଡ଼ ଭାଇ ଆକାଶ ଆନନ୍ଦଙ୍କୁ ପାର୍ଟିର ପଦ ଓ ଦାୟିତ୍ୱରୁ ମୁକ୍ତ କରି ଇଶାନ ଆନନ୍ଦଙ୍କୁ ପାର୍ଟିର ଏକ ବଡ଼ ଦାୟିତ୍ୱ ଅର୍ପଣ କରିଥିଲେ। ତେବେ ବସପାରେ ମାୟାବତୀଙ୍କ ଏହି ପଦକ୍ଷେପ ଯୋଗୁ ହଇଚଇ ସୃଷ୍ଟି ହୋଇଛି। ମାୟାବତୀ ତାଙ୍କ ସାନ ପୁତୁରରା ଇଶାନ ଆନନ୍ଦଙ୍କୁ ବଡ଼ ମଞ୍ଚରେ ଲଞ୍ଚ କରିଛନ୍ତି ଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ସାର୍ବଜନିକ ମଧ୍ୟ କରିଛନ୍ତି। ଏଥିରେ ମାୟାବତୀ ଟ୍ୱିଟ୍ କରି ଏହା ଇଶାନ ଆନନ୍ଦଙ୍କ ଅଧିକାରୀକ ଟ୍ୱିଟ୍ ବୋଲି ଉଲ୍ଲେଖ କରିଛନ୍ତି।

ବସପା ସୁପ୍ରିମୋ ମାୟାବତୀ ଇଶାନ ଆନନ୍ଦଙ୍କୁ ପାର୍ଟିରେ ବଡ଼ ପଦବୀ ନ୍ୟସ୍ତ କରିବା ସହ କେତେକ ରାଜ୍ୟ(୧୫ରୁ ୧୯ ରାଜ୍ୟ)ର ସେକ୍ଟର ପ୍ରଭାରୀ ନିଯୁକ୍ତ କରିଛନ୍ତି। ତେବେ ତାଙ୍କୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡଭଳି ନିର୍ବାଚନୀ ରାଜ୍ୟରୁ ଦୂରରେ ରଖା ଯାଇଛି। ଇଶାନ ଆନନ୍ଦ ଅନ୍ୟ ରାଜ୍ୟମାନଙ୍କରେ ସଙ୍ଗଠାନାତ୍ମକ କାର୍ଯ୍ୟ ଓ ଗତିବିଦ୍ଧି ସମୀକ୍ଷା କରିବା ଓ ତାଙ୍କ ରିପୋର୍ଟ ସିଧା ମାୟାବତୀ ଓ ପିତା ଆନନ୍ଦ କୁମାରଙ୍କୁ ଦେବାକୁ କହିଛନ୍ତି। ଇଶାନ ଆନନ୍ଦଙ୍କ ପିତା ଆନନ୍ଦ କୁମାର ବସପା ଉପାଧ୍ୟକ୍ଷ ଅଛନ୍ତି ଓ ତାଙ୍କ ବଡ଼ ଭାଇ ଆକାଶ ଆନନ୍ଦ ଅତୀତରେ ଜାତୀୟ କୋ-ଅର୍ଡିନେଟର ଥିଲେ। ଇଶାନ ଆନନ୍ଦ ନୋଏଡାର ଜେନେସିସ୍ ଗ୍ଲୋବାଲ ସ୍କୁଲରେ ପ୍ରାରମ୍ଭିକ ପାଠପଢା ଶେଷ କରିବା ପରେ ଲଣ୍ଡନର ୱେଷ୍ଟମିନେଷ୍ଟର ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରି ହାସଲ କରିଛନ୍ତି।

ମାୟାବତୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ସିଦ୍ଧାର୍ଥଙ୍କ ଦ୍ୱାରା ରାଜନୀତିରୁ ସନ୍ୟାସ ଘୋଷଣା ଅତି ବିଳମ୍ବରେ ନିଆଯାଇଥିବା ନିଷ୍ପତ୍ତି ହୋଇଥିଲେ ହେଁ ଏକ ଉପଯୁକ୍ତ ପଦକ୍ଷେପ। ମାୟାବତୀ ଅଶୋକ ସିଦ୍ଧାର୍ଥ ଓ ଆକାଶ ଆନନ୍ଦ ପାର୍ଟି ସ୍ୱାର୍ଥରୁ ଊର୍ଦ୍ଧ୍ୱରେ ପାରିବାରିକ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଆକାଶ ଆନନ୍ଦଙ୍କ ଠାରେ ପାର୍ଟି ପ୍ରତି ବିଶ୍ୱସ୍ଥତା କମ୍ ଦେଖାଯାଇଛି। କାରଣ ସେ ଶ୍ୱଶୂରଙ୍କ ମୋହରେ ପଡି ବସପା ଅଧିକାରୀକ ସୋସିଆଲ ମିଡିଆ ପୋଷ୍ଟକୁ ରିପୋର୍ଟ ମଧ୍ୟ କଲେନି।