ଉମରକୋଟ: ନାଗା ସାଧୁ ବେଶରେ ଆସି ଘର ବାସ୍ତୁ ଦୋଷ ଖଣ୍ଡନ କରିଦେବେ ବୋଲି କହି ସୁନା ଓ ଟଙ୍କା ଲୁଟି ନେଇଛନ୍ତି ୪ ଜଣ ଲୁଟେରା । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼କୁମାରୀ ଗାଁରୁ । ଗାଁର ହରିପଦ ମଣ୍ଡଳଙ୍କ ଘରେ ପୂଜାପାଠ ନାଁରେ ଏହି ଲୁଟ୍ ହୋଇଛି। ଖବର ପାଇ ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଜାରି ରଖିଛି ।

ସୂଚନା ଅନୁସାରେ, ଦ୍ବିପ୍ରହରରେ ଏକ ନାଲି ରଙ୍ଗର କାରରେ ହରିପଦ ମଣ୍ଡଳଙ୍କ ଘର ଆଗରେ ପହଞ୍ଚିଥିଲେ ୪ ଜଣ ବ୍ୟକ୍ତି। ସେମାନେ ସମସ୍ତେ ନାଗା ସାଧୁ ବେଶରେ ଥିଲେ। ଏମିତିରେ ପ୍ରଥମେ ସେମାନେ ପାଣି ମାଗିବା ବାହାନାରେ ଘର ଭିତରକୁ ପଶିଥିଲେ। ଆଉ ତା'ପରେ ଆରମ୍ଭ କରିଥିଲେ ନିଜର ଅସଲ ଖେଳ। ଘରେ ବହୁତ ଦୋଷ ରହିଛି, ସେଥିପାଇଁ ପରିବାରରେ ଅଶାନ୍ତି ଲାଗିରହୁଛି ବୋଲି କହି ହରିପଦଙ୍କ ପରିବାରକୁ ଡରାଇ ଦେଥିଲେ। ଆଉ ଦୋଷ କାଟିବା ପାଇଁ ମୁଠାଏ ଅରୁଆ ଚାଉଳ ଓ ଗୋଟିଏ ଢାଳ ମାଗିଥିଲେ ଏହି ନକଲି ସାଧୁ।

ପରେ ଘରେ ଥିବା ସମସ୍ତ ସୁନା ଅଳଙ୍କାର ଢାଳ ଭିତରେ ପକାଇବା ସହ ୨୧ ହଜାର ଟଙ୍କା ଦକ୍ଷିଣା ଦେବାକୁ ଦାବି କରିଥିଲେ । ଘର ଚାରିପଟେ ପାଣି ଛିଞ୍ଚିଲେ ଘରର ସମସ୍ତ ଦୋଷ ଦୂର ହୋଇଯିବ ବୋଲି ମଧ୍ୟ କହିଥିଲେ । ଆଉ ଏଥିରେ ଭୟଭୀତ ହୋଇ ହରିପଦ ପ୍ରଥମେ ଏକ ନାକଫୁଲ ଦେଇଥିଲେ, ହେଲେ ଦୁର୍ବୃତ୍ତମାନେ ଆହୁରି ସୁନା ମାଗିଥିଲେ। ଏମିତିକି ହରିପଦଙ୍କ ସୁନା ମୁଦି, ତାଙ୍କ ସ୍ତ୍ରୀଙ୍କ ବେକରେ ଥିବା ସୁନା ଚେନ୍ ଓ କାନଫୁଲ ମଧ୍ୟ ଖୋଲିଦେବାକୁ ବାଧ୍ୟ କରିଥିଲେ। ଏଥିସହ ନଗଦ ୧୫୦୦ ଟଙ୍କା ମଧ୍ୟ ନେଇଯାଇଥିଲେ।

Also Read: ଚିଲିକାରେ ମାଫିଆଙ୍କ ଉପରେ ଚଢ଼ାଉ: ଶହ ଶହ ଏକର ବେଆଇନ ଘେରୀ ଭାଙ୍ଗିଲା ପ୍ରଶାସନ

ତେବେ ଏହି ସବୁ ଭିତରେ ନକଲି ସାଧୁଙ୍କ ଗତିବିଧିକୁ ନେଇ ହରିପଦଙ୍କ ସ୍ତ୍ରୀଙ୍କର ସନ୍ଦେହ ହୋଇଥିଲା। ସେ ତୁରନ୍ତ ବାହାରକୁ ଯାଇ ପାଟି କରିବାରୁ ୪ ଜଣ ଯାକ ଦୁର୍ବୃତ୍ତ ଭୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପାଟି ଶୁଣି ଗ୍ରାମବାସୀ ଦୁର୍ବୃତ୍ତମାନଙ୍କୁ ଧରିବାକୁ ପିଛା କରିଥିଲେ ମଧ୍ୟ ସେମାନେ ନାଲି ରଙ୍ଗର କାରରେ ଦ୍ରୁତ ଗତିରେ ଖସି ପଳାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ଏବଂ ଗାଡ଼ି ନମ୍ବର ଆଧାରରେ ଲୁଟେରାମାନଙ୍କୁ ଖୋଜୁଛି ପୋଲିସ।