ନୂଆଦିଲ୍ଲୀ: ରାଉଜ ଏଭେନ୍ୟୁ ସ୍ଥିତ ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟ ଗୁରୁବାର ଲାରା ପ୍ରୋଜେକ୍ଟସ୍ ମନିଲଣ୍ଡ୍ରିଂ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବଡୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବ ସମେତ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ)ରେ ଅଭିଯୋଗ ନିର୍ଦ୍ଧାରିତ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍ ବିଶାଲ ଗୋଗନେ ଏହି ଏହି ଆଦେଶ ଶୁଣାଇଛନ୍ତି। ତେବେ ମାମଲାରେ ଲାଲୁଙ୍କ ଜାମାତା ରାହୁଲ ଯାଦବଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଅଭିଯୋଗ ମୁକ୍ତ କରିଛନ୍ତି।

କୋର୍ଟ ଲାରା ପ୍ରୋଜେକ୍ଟସ୍, ସରଳା ଗୁପ୍ତା, ପ୍ରେମଚନ୍ଦ ଗୁପ୍ତା, ସୁଜାତା ହୋଟେଲସ୍, ବିନୟ କୋଚର ଓ ବିଜୟ କୋଚରଙ୍କ ବିରୋଧରେ ମଧ୍ୟ ପିଏମଏଲଏରେ ଅଭିଯୋଗ ନିର୍ଦ୍ଧାରିତ କରିଛନ୍ତି। ତେବେ ଅଭିଯୁକ୍ତମାନେ ଯାଞ୍ଚ ଓ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ମାମଲାରେ ସେମାନଙ୍କ ବିରୋଧରେ ମଜଭୁତ ପ୍ରମାଣ ନାହିଁ ଓ ମାମଲା ରାଜନୀତି ପ୍ରେରିତ। ମାମଲାର ପରବର୍ତ୍ତି ଶୁଣାଣି ଅକ୍ଟୋବର ୩ ତାରିଖରେ ହେବ।

ମାମଲା ଲାଲୁ ଯାଦବ ୨୦୦୪-୨୦୦୯ କେନ୍ଦ୍ର ରେଳମନ୍ତ୍ରୀ ଥିବା ବେଳେ ଆଇଆରସିଟିସି ହୋଟେଲ ଟେଣ୍ଡର ଅନିୟମିତତା ସମ୍ପର୍କିତ। ସିବିଆଇର ଅଭିଯୋଗ ଏହା ଯେ ଏହି ଅବଧିରେ ରାଞ୍ଚୀ ଓ ପୁରୀସ୍ଥିତ ଆଇଆରସିଟିସିର ୨ଟି ହୋଟେଲଙ୍କ ସଞ୍ଚାଳନ ଓ ରକ୍ଷଣାବେକ୍ଷଣା ଠିକା ଆବଣ୍ଟନ ପ୍ରକ୍ରିୟାରେ ହେରଫେର କରି ସୁଜାତା ହୋଟେଲସ୍ କୁ ଦିଆଯାଇଥିଲା। ତଦନ୍ତକାରୀ ସଂସ୍ଥାଙ୍କ ଅଭିଯୋଗ ହେଉଛି ଏହା ବଦଳେ ଲାଲୁ ଯାଦବ ଓ ତାଙ୍କ ପରିବାର ସମ୍ପର୍କିତ ସଂସ୍ଥାଙ୍କୁ ବଜାର ମୂଲ୍ୟରୁ ଢେର କମ ମୂଲ୍ୟରେ କୋଟି କୋଟି ଟଙ୍କାର ଜମି ଓ କମ୍ପାନୀର ସେୟାର ମିଳିଥିଲା।

ଏହି ମାମଲାରେ ରୁଜୁ ସିବିଆଇ ପ୍ରାଥମିକି ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପିଏମଏଲଏ ମାମଲା ରୁଜୁ କରିଥିଲା। ଏ ସମ୍ପର୍କିତ ସିବିଆଇ ମାମଲାରେ କୋର୍ଟ ପୂର୍ବରୁ ଲାଲୁ ଯାଦବଙ୍କ ବିରୋଧରେ ଭ୍ରଷ୍ଟାଚାର, ଅପାରଧିକ ଷଡ଼ଯନ୍ତ୍ର ଓ ଠକେଇ ସମ୍ପର୍କିତ ଅଭିଯୋଗ ନିର୍ଦ୍ଧାରିତ କରିଛି।