ମୁମ୍ବାଇ: ଭାରତୀୟ ମୁଦ୍ରା ଟଙ୍କା ଉପରେ ପୁଣି ବଢିଲା ଚାପ। ଗୁରୁବାର ଟଙ୍କା ଆମେରିକୀୟ ଡଲାର ତୁଳନାରେ ୩୮ ପଇସା ଦୁର୍ବଳ ହୋଇ ୯୫.୪୬ ସ୍ତରରେ ବନ୍ଦ ହୋଇଛି। ଟଙ୍କା ଦର ହ୍ରାସ ଅଶୋଧିତ ତୈଳ ମୂଲ୍ୟ ବଢିବା ଯୋଗୁ ହୋଇଛି। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ବ୍ୟାରଲ ପିଛା ଦର ୧୦୨ ଡଲାରକୁ ପହଞ୍ଚିଛି। ଏଣୁ ଆମଦାନୀ ବିଲ୍ କୁ ନେଇ ଭାରତର ଚିନ୍ତା ବଢିଛି। ଏହାଛଡା ବିଦେଶୀ ନିବେଶକଙ୍କ ଷ୍ଟକ୍ ବିକ୍ରି ମଧ୍ୟ ଟଙ୍କା ଉପରେ ଚାପକୁ ଦ୍ୱିଗୁଣିତ କରିଛି। ତେବେ ମଜଭୁତ ବୈଦେଶିକ ମୁଦ୍ରାଭଣ୍ଡାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ସକ୍ରିୟ ଭୂମିକା ଟଙ୍କାକୁ ଏବେ ବଜାରରେ ବେଶ୍ ସହଯୋଗ କରୁଛି।

ଗୁରୁବାର ଇଣ୍ଟରବ୍ୟାଙ୍କ ଫରେନ ଏକ୍ସଚେଞ୍ଜ ମାର୍କେଟରେ ଟଙ୍କା ଡଲାର ତୁଳନାରେ ୯୫.୧୫ସ୍ତରରେ ଖୋଲିଥିଲା। କାରବାର କାଳରେ କ୍ରମଶଋ ଟଙ୍କା ଦୁର୍ବଳ ହେବାକୁ ଲାଗିଥିଲା ଓ ଏହା ୯୫.୪୬ ସ୍ତରରେ ବନ୍ଦ ହୋଇଛି। ବୁଧବାର ବ୍ୟବସାୟୀକ ଅଧିବେଶନରେ ଟଙ୍କା ୩୪ ପଇସା ହ୍ରାସ ହୋଇ ୯୫.୦୮ ସ୍ତରରେ ବନ୍ଦ ହୋଇଥିଲା। ଏଥିରେ ଗୁରୁବାର ଦ୍ୱିତୀୟ ଦିନ ମଧ୍ୟ ଟଙ୍କାରେ ହ୍ରାସ ଦେଖା ଯାଇଛି। ଦୁଇ ଦିନରେ ଟଙ୍କା ଉପରେ ମୋଟ ୭୨ ପଇସାର ଚାପ ବଢିଛି।

ତେବେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପଛରେ ଅଶୋଧିତ ତୈଳ ଦର ବୃଦ୍ଧିର ବ୍ୟାପକ ପ୍ରଭାବ ରହିଛି। ବ୍ରେଣ୍ଟ କ୍ରୁଡ ୧.୨୮% ବଢି ବ୍ୟାରଲ ପିଛା ଦର ୧୦୨.୫୧ ଡଲାରକୁ ପହଞ୍ଚି ଯାଇଛି। ତୈଳ ଦର ୧୦୦ ଡଲାର ଉପରକୁ ପହଞ୍ଚିଲେ ଭାରତର ଆମଦାନୀ ଖର୍ଚ୍ଚ ଉପରେ ଚାପ ବଢେ। ଭାରତ ନିଜ ତୈଳ ଆବଶ୍ୟକତାର ଏକ ବୃହତ୍ତ ଅଂଶ ବିଦେଶରୁ ଆମଦାନୀ କରିଥାଏ। ଏଣୁ ତୈଳ ମହଙ୍ଗା ହେବା ଟଙ୍କା ଲାଗି ଋଣାତ୍ମକ ସାବ୍ୟସ୍ତ ହୋଇଛି। ଟଙ୍କା ଉପରେ ବିଦେଶୀ ନିବେଶକଙ୍କ ସେୟାର ବିକ୍ରିର ଦୋହରା ଚାପ ମଧ୍ୟ ରହିଛି।

ଜୁଲାଇ ଓ ଅଗଷ୍ଟରେ ବିଦେଶୀ ନିବେଶକଙ୍କ ଆଭିମୁଖ୍ୟ ସକରାତ୍ମକ ରହିବା ପରେ ସେପ୍ଟେମ୍ବରରେ ପୁଣି ବିକ୍ରି ଆରମ୍ଭ ହୋଇଯାଇଛି। ଷ୍ଟକ୍ ଏକ୍ସଚେଞ୍ଜ ତଥ୍ୟ ଅନୁସାରେ ବୁଧବାର ବିଦେଶୀ ସଂସ୍ଥାଗତ ନିବେଶକ (ଏଫଆଇଆଇ)ଭାରତୀୟ ସେୟାର ବଜାରରୁ ୫୮୨ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି। ବିଦେଶୀ ପୁଞ୍ଜି ଉଠାଣ ଯୋଗୁ ଡଲାରର ଚାହିଦା ବଢିବ। ଏଣୁ ଟଙ୍କା ଉପରେ ଅତିରିକ୍ତ ଚାପ ପଡିଛି। ତେବେ ଖାସ କଥା ହେଉଛି ଟଙ୍କାର ମୂଲ୍ୟ ହ୍ରାସ ଡଲାର ମଜଭୁତ ହେବା ଯୋଗୁ ହେଉ ନାହିଁ। ଡଲାର ଇଣ୍ଡେକ୍ସ ୯୮.୮୧ରେ ଥିଲା ଓ ଏଥିରେ ବି ମାମୁଲି ହ୍ରାସ ହୋଇଛି। ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ଟଙ୍କା ଉପରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ଚାପ ପଡୁଛି। ଏଣୁ ଡଲାର ଦୁର୍ବଳ ହେବା ଟଙ୍କାକୁ ସାମାନ୍ୟ ଆଶ୍ୱସ୍ତ କରିଛି।

ଟଙ୍କାକୁ ଆରବିଆଇଙ୍କ ସକ୍ରିୟ ସମର୍ଥନ ମଧ୍ୟ ମିଳୁଛି। ବଜାରରେ ଆରବିଆଇଙ୍କ ଉପସ୍ଥିତି ଟଙ୍କାର ଦ୍ରୁତ ମୂଲ୍ୟ ହ୍ରାସ ରୋକିବାକୁ ସହାୟକ ହୋଇଛି। ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାର ମଧ୍ୟ ୭୪୦ ବିଲିୟନ ଡଲାରରୁ ଅଧିକ ରେକର୍ଡ ସ୍ତରରେ ରହିଛି। ତେବେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଓ ବିଦେଶୀ ପୁଞ୍ଜି ଉଠାଣ ଆଗକୁ ଚ୍ୟାଲେଞ୍ଜ ହେବାକୁ ଯାଉଛି।