ନୂଆଦିଲ୍ଲୀ: ସେପ୍ଟେ ମ୍ବର ୧୨-୧୩ ମଧ୍ୟରେ ଭାରତରେ ବ୍ରିକ୍ସ ସମ୍ମିଳନୀ ହେବାକୁ ଯାଉଛି। ଏହି ମଉକାର ଋଷିଆ ଭାରତ ସହିତ ବେସାମିରକ ବିମାନଚଳାଚଳ କ୍ଷେତ୍ରରେ ଆହୁରି ମମ୍ପର୍କ ମଜଭୁତ କରିବାକୁ ଚାହୁଁଛି। ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ନିଜର ଉପସ୍ଥିତି ବଢ଼ାଇବାକୁ ରୁଷିଆ ଏବେ ବଡ଼ ପଦକ୍ଷେପ ନେଇଛି।

ଭାରତୀୟ ବିମାନ କମ୍ପାନୀଗୁଡ଼ିକ ସହ ରୁଷିଆ ବିମାନ କ୍ରୟ ଚୁକ୍ତି ଚାଲିଥିବା ବେଳେ ପ୍ରାୟ ୧୦୫ଟି ଆଞ୍ଚଳିକ ଯାତ୍ରୀବାହୀ ବିମାନ ପାଇଁ ପ୍ରସ୍ତାବ ରହିଛି। ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଭାରତରେ ନିଜର ବିମାନ ଚଳାଚଳ କ୍ଷେତ୍ରକୁ ବିସ୍ତାର କରିବା ଦିଗରେ ରୁଷିଆ ଜୋରସୋର୍‌ରେ କାମ ଆରମ୍ଭ କରିଦେଇଛି। ଦୁଇ ଦେଶ ମଧ୍ୟରେ ଯାତ୍ରୀବାହୀ ବିମାନ ସହଯୋଗରେ ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିଛି ରୁଷିଆର ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ୍ ବା UACର IL-114-300 ଆଞ୍ଚଳିକ ଯାତ୍ରୀବାହୀ ବିମାନ।

ଏନେଇ UACର ସଇଓ ଭାଦିମ ବାଦେଖା କହିଛନ୍ତି ଯେ ଗତ ୬ ମାସ ଧରି ଭାରତୀୟ ଭାଗୀଦାରମାନଙ୍କ ସହ ଆଲୋଚନାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ନୂଆଦିଲ୍ଲୀରେ ଚାଲିଥିବା ଇନୋପ୍ରମ୍ ଇଣ୍ଡିଆ (Innoprom India) ପ୍ରଦର୍ଶନୀ ସମୟରେ ଏକାଧିକ ଚୁକ୍ତିକୁ ଔପଚାରିକ ରୂପ ଦିଆଯିବ ବୋଲି ଆଶା କରାଯାଉଛି।

ପ୍ରସ୍ତାବିତ ଚୁକ୍ତି ଅନୁସାରେ ପିନାକେଲ୍ ଏୟାର (Pinnacle Air) ପାଇଁ ୫୦ଟି IL-114-300 ବିମାନ, ଏୟାର କେରଳା ପାଇଁ ୨୦ଟି ବିମାନ ଏବଂ ସ୍ଲିକ୍ ଆଭିଏସନ ସହ ହୋଇଥିବା ଚୁକ୍ତି ଅନୁସାରେ ଆଉ ୩୫ଟି ବିମାନ ସାମିଲ ରହିଛି। ଏହାପୂର୍ବରୁ ଜାନୁଆରୀରେ ରୁଷିଆର ୟୁଏସି ଭାରତୀୟ କମ୍ପାନୀ ଫ୍ଲେିମିଙ୍ଗୋ ଏରୋସ୍ପେସ୍‌ ସହ ୬ଟି IL-114-300 ବିମାନ ଯୋଗାଣ ପାଇଁ ଏକ ପ୍ରାରମ୍ଭିକ ଚୁକ୍ତି କରିଥିଲା। ହାଇଦ୍ରାବାଦରେ ଆୟୋଜିତ ୱିଙ୍ଗ୍ସ ଇଣ୍ଡିଆ ବିମାନ ପ୍ରଦର୍ଶନୀ ସମୟରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଥିଲା।

Also Read-  ଚୀନ, ଆମେରିକା ଓ ୟୁରୋପ ରାଷ୍ଟ୍ରଙ୍କ ତୁଳନାରେ ଭାରତରେ ଅଧିକ ମହଙ୍ଗା ସ୍ମାର୍ଟଫୋନ: ବିଶ୍ୱ ହାର ତୁଳନାରେ ୬% ଅଧିକ

କେବଳ ବିମାନ ବିକ୍ରି ନୁହେଁ, ଭାରତକୁ ବିମାନ ଉତ୍ପାଦନର ଏକ ବଡ଼ କେନ୍ଦ୍ର ଭାବେ ବିକଶିତ କରିବା ଦିଗରେ ମଧ୍ୟ ରୁଷିଆ ଆଗ୍ରହ ଦେଖାଉଛି। ଭାରତରେ SJ-100 ଆଞ୍ଚଳିକ ଜେଟ୍ ବିମାନର ସ୍ଥାନୀୟ ଉତ୍ପାଦନ ନେଇ ଆଲୋଚନା ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଥିବା ୟୁଏସି କହିଛି। ଖୁବଶୀଘ୍ର ଏନେଇ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି।

ଚଳିତ ବର୍ଷ ଆରମ୍ଭରେ UAC ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଭାରତରେ SJ-100 ବିମାନର ଲାଇସେନ୍ସପ୍ରାପ୍ତ ଯୁଗ୍ମ ଉତ୍ପାଦନ ସମ୍ପର୍କିତ ଏକ ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ଏହି ବଢ଼ୁଥିବା ସହଯୋଗ ଭାରତ-ରୁଷିଆ ସମ୍ପର୍କକୁ ପାରମ୍ପରିକ ପ୍ରତିରକ୍ଷା କ୍ଷେତ୍ର ବାହାରେ ନାଗରିକ ବିମାନ ଚଳାଚଳ, ଆଞ୍ଚଳିକ ଯୋଗାଯୋଗ ଓ ବିମାନ ଉତ୍ପାଦନ କ୍ଷେତ୍ରକୁ ବିସ୍ତାର କରିବାର ସଙ୍କେତ ଦେଉଛି।

ସେପ୍ଟେମ୍ବର ୯ରୁ ୧୧ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଚାଲିବାକୁ ଥିବା Innoprom India ପ୍ରଦର୍ଶନୀରେ ୧୨୦ରୁ ଅଧିକ ରୁଷୀୟ ଓ ଭାରତୀୟ କମ୍ପାନୀ ଯୋଗ ଦେଇଛନ୍ତି। ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଆୟୋଜିତ ଏହି ପ୍ରଦର୍ଶନୀ ଭାରତ-ରୁଷିଆ ଶିଳ୍ପ ଓ ବିମାନ ଚଳାଚଳ ସହଯୋଗକୁ ଆହୁରି ମଜବୁତ କରିବାର ଏକ ପ୍ରମୁଖ ମଞ୍ଚ ପାଲଟିଛି।

Also Read- ପ୍ରିମିୟମ ମୁହାଁ ଚୀନ ବ୍ରାଣ୍ଡ୍, ବଜେଟ ସେଗ୍ମେଣ୍ଟର ମାର୍କେଟ୍କୁ କବ୍ଜା କରିବାକୁ ବାହାରିଲେ ଭାରତୀୟ ସ୍ମାର୍ଟଫୋନ କମ୍ପାନୀ