ନୂଆଦିଲ୍ଲୀ: ଇରାନ ଉପରେ ଆମେରିକାର ପୁଣି ଆକ୍ରମଣ ପରେ ବିଶ୍ୱରେ ଅଶୋଧିତ ତୈଳ ଦର ଏବେ ଆକାଶ ଛୁଇଁଛି। ଗୋଟିଏ ଦିନରେ ବ୍ରେଣ୍ଟ କ୍ରୁଡ ବ୍ୟାରଲପିଛା ଦର ୫% ବଢି ୯୫ ଡଲାରକୁ ପହଞ୍ଚି ଯାଇଛି, ଯାହା ପିଛିଲା ୪ ସପ୍ତାହରେ ସର୍ବାଧିକ। ଯଦି ଅଶୋଧିତ ତୈଳ ଦର ବୃଦ୍ଧି ଆଗକୁ ଜାରି ରହିଲା ତେବେ ସେପ୍ଚେମ୍ବରରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ୫%କୁ ପାର କରିଯିବା ପ୍ରାୟ ନିଶ୍ଚିତ। ଏହା ଦ୍ୱାରା ଅକ୍ଟୋବର-ନଭେମ୍ବର ପାର୍ବଣ ଋତୁରେ ବିକ୍ରି ପ୍ରଭାବିତ ହୋଇପାରେ।

ପାର୍ବଣ ଋତୁ ପୂର୍ବରୁ ବଢିବ ମୁଦ୍ରାସ୍ଫୀତି
ଦେଶରେ ପାର୍ବଣ କାଳରେ ଲୋକେ ପୋଷାକ, ଇଲେକ୍ଟ୍ରୋନିକ୍ ଉପଭୋକ୍ତା ବସ୍ତୁ, ବାସନକୁସନ ଓ ବାହନ କ୍ରୟ କରନ୍ତି। ପେଟ୍ରୋଲିୟମରୁ ପ୍ଲାଷ୍ଟିକ୍, କେମିକାଲ, ସିନ୍ଥେଟିକ୍ସ ଓ ଫାଇବର ସମେତ ଉଦ୍ୟୋଗ ପାଇଁ କଞ୍ଚାମାଲ ତିଆରି ହୁଏ। ଏଣୁ ଅଶୋଧିତ ତୈଳ ମହଙ୍ଗା ହେଲେ ଏଇଭଳି ସବୁ କଞ୍ଚାମାଲ ମହଙ୍ଗା ହୋଇଯିବ। ଏଣୁ ରିଟେଲ ଉତ୍ପାଦ ମୂଲ୍ୟ ପ୍ରଭାବିତ ହେବ। ଅଶୋଧିତ ତୈଳ ବ୍ୟାରଲ ପିଛା ଦର ୧୦ ଡଲାର ମହଙ୍ଗା ହେଲେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ପାଖାପାଖି ୦.୫% ପର୍ଯ୍ୟନ୍ତ ବଢିଯାଏ।

ଗତ ସପ୍ତାହରେ ୮୭ ଡଲାର ଥିଲା ବ୍ରେଣ୍ଟ କ୍ରୁଡ
ଗତ ସପ୍ତାହରେ ବ୍ରେଣ୍ଟ କ୍ରୁଡ ବ୍ୟାରଲପିଛା ଦର ୮୭ ଡଲାର ଆଖପାଖରେ କାରବାର ହେଉଥିଲା। ଭାରତ ନିଜ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ଅଶୋଧିତ ତୈଳ ବିଦେଶରୁ ଆମଦାନୀ କରିଥାଏ। ଏଥିରେ ଯଦି ପେଟ୍ରୋଲିୟମ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ନ ବଢାନ୍ତି ତେବେ ଘରୋଇ ପରିବହନ ଖର୍ଚ୍ଚ ବଢିବ ନାହିଁ। ହେଲେ ଆମଦାନୀ ହେଉଥିବା ସବୁ ମାଲର ପରିବହନ ଖର୍ଚ୍ଚ କିନ୍ତୁ ବଢିଯିବ। ଏ ସବୁ ଛଡା ସାର ମଧ୍ୟ ମହଙ୍ଗା ହେବ।

ଦରବଢିଲେ ପ୍ରଭାବିତ ହେବ ବେପାର
ଉଦ୍ୟମୀମାନେ କହିଛନ୍ତି ଯେ ପାର୍ବଣ ଋତୁରେ ଯଦି ମୁଦ୍ରାସ୍ଫୀତି ବଢେ ତେବେ କ୍ରୟର ପୁରା ପରିବେଶ ଉପରେ ପ୍ରଭାବ ପଡିବ। ଯେଉଁ ବସ୍ତୁର ଦର ନ ବଢେ ତାହାର ବିକ୍ରି ମଧ୍ୟ ପ୍ରଭାବିତ ହୁଏ। ଏହା ଛଡା ମୁଦ୍ରାସ୍ଫୀତି ହାଲା ଯୋଗୁ ମଧ୍ୟ ଲୋକେ କିଣାକିଣି ବନ୍ଦ କରିଦିଅନ୍ତି। ଗାର୍ମେଣ୍ଟ ସେକ୍ଟର ସହ ସମ୍ପର୍କିତ ଲୋକେ କହିଛନ୍ତି ଯେ ଫୁଡ ଆଇଟମ ମହଙ୍ଗା ହେଲେ ବସ୍ତ୍ର ବ୍ୟବସାୟ ମଧ୍ୟ ପ୍ରଭାବିତ ହୁଏ। ଲୋକେ ଦୁଇଟି ସ୍ଥାନରେ ଗୋଟିଏ ହଳ ପୋଷାକରେ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରନ୍ତି।

ମହଙ୍ଗା ହୋଇପାରେ ବ୍ୟାଙ୍କ ଲୋନ
ଆର୍ଥିକ ମାମଲା ସହ ସମ୍ପର୍କିତ ଲୋକେ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅକ୍ଟୋବର ମାସରେ ମୁଦ୍ରାନୀତି ସମୀକ୍ଷା କରିବେ। ଏହା ପୂର୍ବରୁ ଅଗଷ୍ଟ ଓ ସେପ୍ଚେମ୍ବର ମାସର ଖୁଚୁରା ମୁଦ୍ରାସ୍ଫୀତି ହାର ଜାରି ହେବ। ଯଦି ଏହି ଦୁଇ ମାସରେ ମୁଦ୍ରାସ୍ଫୀତି ବଢେ ଓ ୫.୫% ପାର କରିଯାଏ ତେବେ ଆରବିଆଇ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରିତ କରିବା ପାଇଁ ବ୍ୟାଙ୍କ ରେଟ୍ ବୃଦ୍ଧି କରିପାରନ୍ତି। ଏହାଫଳରେ ଋଣ ମହଙ୍ଗା ହୋଇଯିବ ସହ ସବୁ ପ୍ରକାର କ୍ରୟ ଉପରେ ପ୍ରଭାବ ପଡିବ। ୫୦ପ୍ରତିଶତରୁ ଅଧିକ ଇଲେକ୍ଟ୍ରୋନିକ ସାମଗ୍ରୀ ଲୋକେ ଋଣରେ କିଣିଥାନ୍ତି, ଏଥିରେ ଜୁଲାଇ ମୁଦ୍ରାସ୍ଫୀତି ୪.୪୫% ପର୍ଯ୍ୟନ୍ତ ପହଞ୍ଚିଥିଲା।