କଟକ ୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏ ମାମଲାକୁ ନେଇ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ପ୍ରତିକ୍ରିୟା ରଖିଛନ୍ତି । ଭୀମସେନଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ପୋଲିସ ପାଇଛି । ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଭୀମସେନ ହିଁ ପରିସ୍ଥିତି ସୃଷ୍ଟି କରିଥିଲେ । ଯାହା ଫଳରେ ଚନ୍ଦ୍ରିକା ଏହିଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ । ଘଟଣା ଦିନ ଚନ୍ଦ୍ରିକା ଭୀମସେନଙ୍କୁ ବାରମ୍ବାର କଲ୍ କରିଥିଲେ ହେଲେ ସେ ଉଠାଇ ନଥିଲେ । ଏମିତିକି ଅନ୍ୟର ମୋବାଇଲ୍ ମାଗି ମଧ୍ୟ କଲ୍ କରିଥିଲେ ।

ଚନ୍ଦ୍ରିକାଙ୍କ ମୃତ୍ୟୁ ଖବର ପାଇ ଓଏଏସ ଟ୍ରେନିଂ ସେଣ୍ଟରରୁ ଫେରାର ହୋଇଯାଇଥିଲେ ଭୀମସେନ । ଭୁବନେଶ୍ୱର, ଖୋର୍ଦ୍ଧା, ଟାଙ୍ଗୀ, ମୟୂରଭଞ୍ଜ ଏବଂ ଝାଡ଼ଖଣ୍ଡରେ ପୋଲିସ ସହ ଲୁଚକାଳି ଖେଳୁଥିଲେ । ଯେତେବେଳେ ଫେରାରର ସବୁ ବାଟ ବନ୍ଦ ହୋଇ ଯାଇଥିଲା ସେତେବେଳେ ମୟୂରଭଞ୍ଜ ବିଶୋଇ ଥାନାରେ ଆତ୍ମସମର୍ପଣ କରିଥିଲେ । ଏହାପରେ ବାରଙ୍ଗ ଥାନା ପୋଲିସ ସେଠାରେ ପହଞ୍ଚି ଭୀମସେନଙ୍କୁ କଟକ ଆଣିଥିଲା ।

Also Read:- ସରପଞ୍ଚ ଚାମେଲି ଓଝାଙ୍କୁ ଅଜ୍ଞାତ ସ୍ଥାନକୁ ନେଲା ପୋଲିସ, ହେବ କି ବଡ଼ ଆକ୍ସନ ?

ଯୁକ୍ତ ଦୁଇରେ ପାଠ ପଢୁଥିବା ବେଳେ ଚନ୍ଦ୍ରିକା ଓ ଭୀମସେନଙ୍କ ବନ୍ଧୁତ୍ୱ ହୋଇଥିଲା । ଭୀମସେନଙ୍କ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଜାଣିବା ପରେ ସମ୍ପର୍କରେ ଫାଟ ହୋଇଥିଲା । କଳା ରଙ୍ଗ ଓ ପେଶାକୁ ନେଇ ଆକ୍ଷେପ କରି କହି ସମ୍ପର୍କ ଛିନ୍ନ କରିଥିଲେ ଭୀମସେନ । ଏହି ଘଟଣାରେ ଭୀମସେନଙ୍କ ମହିଳା ବନ୍ଧୁଙ୍କୁ ମଧ୍ୟ ଜେରା କରାଯିବ । ଭୀମସେନଙ୍କ ମୋବାଇଲ ଜବତ ସହ ଏସଏଫଏସଏଲକୁ ପଠାଯାଇଛି ।

ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ପାଇଁ ଦାୟୀ ଅଭିଯୋଗରେ ଭୀମସେନ ଟୁଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ତଥ୍ୟ ପାଇଁ ଦରକାର ପଡ଼ିଲେ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି କଟକ ଡିସିପି ।