କେନ୍ଦ୍ରାପଡ଼ା ୧୩।୬: କେନ୍ଦ୍ରାପଡ଼ା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ପୋଲିସ ଉଠାଇନେବା ଘଟଣାକୁ ନେଇ ଥମୁନି ଚର୍ଚ୍ଚା ଆଉ ବିବାଦ । ସରପଞ୍ଚ ଚାମେଲି ଓଝାଙ୍କ ବଢ଼ିପାରେ ଅଡ଼ୁଆ ।  ମେଡିକାଲରୁ ଚାମେଲିଙ୍କୁ ସ୍ଥାନାନ୍ତର କଲା ପୋଲିସ l କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରୁ କୌଣସି ଏକ ଅଜ୍ଞାତ ସ୍ଥାନକୁ ପୋଲିସ ଚାମେଲିଙ୍କୁ ନେଇଥିବା ଜଣାପଡିଛି l ତେବେ ଏଥିରୁ ଅନୁମାନ ଯେ ପୋଲିସ ଚାମେଲିଙ୍କ ଉପରେ ବଡ଼ ଆକ୍ସନ ନେଇପାରେ । ଏମିତି କି ସୂଚନା ମିଳିଛି ଯେ ସରପଞ୍ଚ ଚାମେଲି ଓଝାଙ୍କୁ ଗିରଫ କରିପାରେ ପୋଲିସ । ତେବେ ବିବାଦରେ ରହିଥିବା ଚାମେଲି ଓଝାଙ୍କ ପାଇଁ ଅଡ଼ୁଆ ବଢ଼ିପାରେ ବୋଲି କୁହାଯାଉଛି । ଚାମେଲିଙ୍କୁ ପୋଲିସ ଉଠାଇ ନେବା ପରେ ସେ ଅସୁସ୍ଥ ହୋଇ ପଡିଥିଲେ । ଫଳରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ।

ଲୋକଙ୍କ ସମସ୍ୟା ନେଇ ବିଡିଓଙ୍କୁ ଭେଟିବାକୁ ଯାଇଥିଲେ l କିନ୍ତୁ ବିବାଦରେ ଫଶିଗଲେ ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଗୁରୁବାର ପୂର୍ବାହ୍ନରେ ମହାକାଳପଡ଼ା ବ୍ଲକ୍ ବିଡିଓଙ୍କ ଚାମ୍ବରରେ ଚାମେଲି ଅଭିଯୋଗ କରିବା ସହ ଭିଡିଓ କରିବା ଘଟଣାରୁ ଆରମ୍ଭ ହୋଇଥିଲା ବିବାଦ । ବିଡିଓଙ୍କ ଫୋନ୍ ପାଇ ମହାକାଳପଡ଼ା ପୋଲିସ ପହଞ୍ଚି ଚାମେଲି ଓ ତାଙ୍କ ଭାଇଙ୍କୁ ଥାନାକୁ ନେଇଥିଲା । ଏହାର ଲାଇଭ୍ ଭିଡିଓ କରି ସେ ସୂଚନା ଦେଇଥିଲେ । ତେବେ ଥାନାକୁ ନେଲା ବେଳେ ଗାଡ଼ି ଭିତରେ ପୋଲିସ ତାଙ୍କୁ ମାଡ଼ ମାରିଥିବା ଚାମେଲି ଏସ୍‌ପିଙ୍କୁ ଲିଖିତ ଜଣାଇଛନ୍ତି । ଚାମେଲି ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି । ତେଣୁ ସଂଘର ସମ୍ପାଦକ ସଞ୍ଜୟ ସେଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏସ୍‌ପିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ସେହିପରି ଚାମେଲି ଓଝା ମଧ୍ୟ ମୁଖମନ୍ତ୍ରୀଙ୍କୁ ଘଟଣାରେ ଚିଠି ଲେଖି ଜଣାଇଛନ୍ତି ।

Also Read:- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା : ବାରଙ୍ଗ ଥାନାରେ ପହଞ୍ଚିଲା ପୁରୁଷ ବନ୍ଧୁ

ସେପଟେ ପୋଲିସ ବିରୋଧରେ ଚାମେଲିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡା ଏସ୍‌ପି । ଚାମେଲି ଥାନା ଭିତରେ ବସିଥିବାର ଏକ ସିସି କ୍ୟାମେରା ଭିଡିଓ ଗଣମାଧ୍ୟମ ସହ ସେୟାର କରିଛନ୍ତି ଏସ୍‌ପି ।ତେବେ ବିଡିଓଙ୍କ ଅଭିଯୋଗ ଆଧାରରେ ଚାମେଲିଙ୍କ ସାନଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି ପୋଲିସ।ଏବଂ ଚାମେଲିଙ୍କ ବିରୋଧରେ ପୋଲିସ ଦେଇଥିବା ଏତଲାକୁ ଗ୍ରହଣ କରି ମାମଲା ରୁଜୁ ହୋଇଛି । ପୋଲିସ ଗାଡି ଭିତରେ ସିସି କ୍ୟାମେରା ନଥିବାରୁ ଚାମେଲିଙ୍କୁ ମାଡ ଘଟଣାକୁ ପ୍ରମାଣ କରିବା ସହଜ ହେବ ନାହିଁ । କିନ୍ତୁ ବିଡିଓଙ୍କ ଚାମ୍ବରରେ ସିସି କ୍ୟାମେରାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।