ଭୁବନେଶ୍ୱର, ୨୫। ୦୭ : ଭୁବନେଶ୍ୱର ସ୍ଥିତ ହୋଟେଲ ମେଫେୟାର କନଭେନସନ ଠାରେ ସୁସାହିତ୍ୟିକ ସ୍ୱର୍ଗତ ବିନୋଦ ବିହାରୀ ପଲାଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ସ୍ଵର୍ଗତ ପଲାଇଙ୍କ ରଚିତ ତିନିଗୋଟି ପ୍ରବନ୍ଧ ଓ ସମାଲୋଚନା ପୁସ୍ତକର ଲୋକାର୍ପଣ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ଶ୍ରୀ ଶାନ୍ତନୁ ଆଚାର୍ଯ୍ୟ ଏହି ଅବସରରେ ମୁଖ୍ୟ ଅତିଥି, ଶ୍ରୀ ରବିନାରାୟଣ ସେନାପତି ମୁଖ୍ୟବକ୍ତା ଏବଂ ଶ୍ରୀ ପ୍ରଦୀପ ବିଶ୍ଵାଳ, ଶ୍ରୀ ରତ୍ନାକର ରାଉତ ଓ ଶ୍ରୀ ଉପେନ୍ଦ୍ର ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ବିନୋଦ ବିହାରୀଙ୍କ ତିନିଗୋଟି ପୁସ୍ତକ ‘ରଥରେ ଜଗନ୍ନାଥ’, ‘କବିତାର ଅବବୋଧରେ’ ଏବଂ ‘ସାହିତ୍ୟର ସମ୍ବୀକ୍ଷଣ’ ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ‘ରଥରେ ଜଗନ୍ନାଥ’ ଜଗନ୍ନାଥ ଚେତନା ଓ ଦର୍ଶନ ସମ୍ବନ୍ଧୀୟ ଏକ ଉପାଦେୟ ଗ୍ରନ୍ଥ। ଏଥିରେ ଶ୍ରୀ ପଲାଇ ଜଗନ୍ନାଥଙ୍କୁ ସାରା ବିଶ୍ବର ପାଳନକର୍ତ୍ତା ରୂପେ ଦର୍ଶାଇ ଜଗନ୍ନାଥ କୌଣସି ଏକ ଗୋଷ୍ଠୀର ସମ୍ପତ୍ତି ନୁହେଁ ବୋଲି ଯୁକ୍ତି ବାଢିଛନ୍ତି। ଜଗନ୍ନାଥ ଦର୍ଶନର ଗୂଢତତ୍ତ୍ବକୁ ସେ ଅତି ସୁନ୍ଦର ଭାବେ ଏହି ପୁସ୍ତକରେ ଚିତ୍ରଣ କରିଛନ୍ତି।

‘କବିତାର ଅବବୋଧରେ’ ଏବଂ ‘ସାହିତ୍ୟର ସମ୍ବୀକ୍ଷଣ’ ଓଡ଼ିଆ ସାହିତ୍ୟର ଦୁଇଟି ସମାଲୋଚନାମୂଳକ ଗ୍ରନ୍ଥ। ଏଥିରେ ପ୍ରାବନ୍ଧିକ ଓ ସମାଲୋଚକ ବିନୋଦ ବିହାରୀ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ବର୍ତ୍ତମାନର ସାହିତ୍ୟ କୌଣସି ବାଦ ମଧ୍ୟରେ ଆବଦ୍ଧ ନହୋଇ ଜୀବନବୋଧର କଥା କହିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ବାଦର ଉପଯୁକ୍ତ ତର୍ଜମା ନହୋଇ ତାକୁ ଭୁଲ ଅର୍ଥରେ ବ୍ୟବହାର କରିବା ଫଳରେ ସାହିତ୍ୟ ବ୍ୟକ୍ତିସର୍ବସ୍ଵ ହୋଇଯାଉଛି ଓ ସମାଜରେ ଗ୍ରହଣୀୟତା ହରାଉଛି। ଏହା ଚିନ୍ତାର ବିଷୟ ଏବଂ ଏ ବିଷୟରେ ତର୍ଜମାର ଆବଶ୍ୟକତା ଅଛି ବୋଲି ଶ୍ରୀ ପଲାଇ ତାଙ୍କର ସମାଲୋଚନା ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ବିନୋଦ ବିହାରୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିନୋଦ ବିହାରୀ ସ୍ମୃତି ପରିଷଦ ତରଫରୁ ପ୍ରଥମ ବିନୋଦ ବିହାରୀ ସ୍ମୃତି ସମ୍ମାନ ବିଶିଷ୍ଟ ସାହିତ୍ୟିକ ଶ୍ରୀ ଅସିତ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା। ବିନୋଦ ବିହାରୀଙ୍କ ରଚିତ ତିନିଗୋଟି ପୁସ୍ତକର ସମୀକ୍ଷା କରିଥିଲେ ଯୁବ ସାହିତ୍ୟିକ ମଦନ ମହାପାତ୍ର। ବିନୋଦ ବିହାରୀ ସ୍ମୃତି ସଂସଦର ଶ୍ରୀ ମଧୁସୂଦନ ପଲାଇ ସ୍ବାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡାକ୍ତର ତପନ କୁମାର ପଲାଇ। ଏହି ଅବସରରେ ଆଇ କେୟାର ପ୍ରକାଶନୀର ନରେଶ କୁମାର ବେହେରା, ବିନୋଦ ବିହାରୀଙ୍କ ପରିବାର ସଦସ୍ୟ ଏବଂ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।