ଜଗତସିଂହପୁର।ଝାରସୁଗୁଡ଼ା ୧୭।୭: କୋର୍ଟ ପିଛା ଛାଡ଼ୁନି ବୋମା ଧମକ । ବାରମ୍ବାର ବିଭିନ୍ନ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆସୁଛି ଧମକ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଜଗତସିଂହପୁର ଆଉ ଝାରସୁଗୁଡ଼ା କୋର୍ଟକୁ ଆସିଛି ବୋମା ଧମକ । ବୋମାରେ କୋର୍ଟକୁ ଉଡ଼ାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍ ।

ଜଗତସିଂହପୁର କୋର୍ଟକୁ ଆସିଛି ବୋମାରେ ଉଡ଼ାଇ ଦେବାକୁ ଧମକ । ଜିଲ୍ଲା ଦୌରାଜଜ୍‌ଙ୍କୁ ଇ-ମେଲ୍ ଯୋଗେ ବୋମା ଧମକ ଆସିଥିବା ଜଣାପଡିଛି । କୋର୍ଟ ଅଫିସ୍, ଜଜ୍ ଚାମ୍ବର ସହିତ ସମ୍ପୂର୍ଣ୍ଣ କୋର୍ଟକୁ ବୋମାରେ ଉଡାଇ ଦେବାକୁ ମେଲ୍‌ରେ ଧମକ ଆସିଛି । ଯାହା ଫଳରେ ଭୟରେ କୋର୍ଟ ବାହାରକୁ ପଳାଇ ଆସିଛନ୍ତି ସମସ୍ତ ଆଇନଜୀବୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । କୋର୍ଟ ପରିସରରେ ସନ୍ଧାନୀ କୁକୁର ସହିତ ବମ୍ ସ୍କ୍ବାଡ୍ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଏହି ମେଲ୍ କିଏ କରିଛି ତାହା ଜଣାପଡ଼ିନାହିଁ । ଏହି ଘଟଣାକୁ ନେଇ କୋର୍ଟ ପରିସରରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଅନେକ ଓକିଲ ଓ ସାଧାରଣ ଲୋକ ଭୟରେ କୋର୍ଟ ବାହାରେ ଆସି ଛିଡା ହୋଇଥିବା ଦେଖିବାକୁ ମିଳିଛି ।

Also Read:- ଶ୍ରୀଲେଦର୍ସ ସୋ’ ରୁମ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ସେହିଭଳି ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଛି । ଜିଲ୍ଲା ଜଜ୍‌ଙ୍କ କାର୍ଯ୍ୟାଳୟକୁ ଇ-ମେଲ୍ ଜରିଆରେ ଆସିଲା ଧମକ । ଯାହାକୁ ନେଇ କୋର୍ଟ ପରିସରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ସମସ୍ତ ଓକିଲ ଓ କର୍ମଚାରୀଙ୍କୁ ତୁରନ୍ତ କୋର୍ଟ ପରିସର ଖାଲି କରିବାକୁ ଜିଲ୍ଲା ବାର୍ ଆସୋସିଏସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଶାସନକୁ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଏହା ସହିତ ପରବର୍ତ୍ତୀ ସୂଚନା ନଆସିବା ପର୍ଯ୍ୟନ୍ତ ସୁରକ୍ଷା କର୍ମୀ ଓ ସ୍ଥାନୀୟ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାକୁ ବାର୍ ଆସୋସିଏସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଖବର ପାଇ ପୋଲିସ କୋର୍ଟ ପରିସରରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।