ମାଲକାନଗିରି ୧୩।୪: ମିଳିଲା ଧମକପୂର୍ଣ୍ଣ ମେଲ୍ । ଭୟରେ ଦୌଡ଼ିଲେ ସମସ୍ତେ । ବିଚାରପତିଙ୍କ ଠାରୁ ଓକିଲ ସମସ୍ତେ ଆସିଲେ ବାହାରକୁ । ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଯାହାକୁ ନେଇ ସମସ୍ତେ ଥରହର । ସମସ୍ତଙ୍କୁ କୋର୍ଟ ପରିସରରୁ ବାହାରକୁ ଚାଲିଆସିବାକୁ କହିଥିଲା ପୋଲିସ ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟ ଭିତରେ ବୋମା ରହିଛି । ଏଭଳି କିଛି ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା କୋର୍ଟ ମେଲ୍‌କୁ । ଯାହା ସାରା କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । କୋର୍ଟ ବିଚାରପତି, କର୍ମଚାରୀ, ଓକିଲଠୁ ଆରମ୍ଭ କରି କୋର୍ଟ ପରିସରରେ ଥିବା ସାଧାରଣ ଲୋକ ମଧ୍ୟ ଭୟଭୀତ ହୋଇଯାଇଥିଲେ । ଇ-ମେଲ୍ ପାଇବା ପରେ ଭୟଭୀତ ହୋଇ କୋର୍ଟ କମ୍ପ୍ଲେକ୍ସରୁ ବାହାରକୁ ଚାଲିଆସିଥିଲେ ବିଚାରପତି, ଓକିଲ ଓ କୋର୍ଟ କର୍ମଚାରୀ ।

Also Read:- SCB fire tragedy judicial inquiry: ଏସ୍‌ସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ : ପୂର୍ବତନ ବିଚାରପତିଙ୍କ ଦ୍ବାରା ତଦନ୍ତ ଆରମ୍ଭ

ଏ ନେଇ ତୁରମ୍ବ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ତୁରନ୍ତ କୋର୍ଟ ପରିସରରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା ପୋଲିସ । ବିଏସଏଫ ବାହିନୀର ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏମିତି କି ମାଇକ୍ ଯୋଗେ ପୋଲିସ ପକ୍ଷରୁ କୋର୍ଟ ପରିସରରୁ ବାହାରକୁ ଚାଲିଆସିବାକୁ ସମସ୍ତଙ୍କୁ କୁହାଯାଇଥିଲା । ତେବେ ଏଭଳି ଧମକପୂର୍ଣ୍ଣ ମେଲ୍ କେଉଁଠୁ ଆସିଛି, କିଏ ପଠାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେ ନେଇ ଅଧିକ ତଦନ୍ତ ଜାରି ରହିଛି ।