ଚେନ୍ନାଇ: ରାଜ୍ୟର କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ। ରାଜ୍ୟର କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ୍ ଯୋଗାଇ ଦେବାକୁ ‘ବେଟ୍ରି ଲାପଟପ୍ ଯୋଜନା’ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ଏହି ଯୋଜନା ପାଇଁ ସରକାର ୨,୦୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ମଧ୍ୟ କରିଛନ୍ତି।

୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍‌ରେ ଏହି ଯୋଜନା ଘୋଷଣା କରାଯାଇଥିଲା। ଏହାକୁ ସଫଳତାର ସହ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ନଭେମ୍ବର ୭ ତାରିଖ ଶନିବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ସରକାରୀ ବିବୃତି ଜାରି କରାଯାଇଛି।

କେଉଁମାନେ ପାଇବେ ମାଗଣା ଲାପଟପ୍ ?

ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ପଢୁଥିବା ସ୍ନାତକ ଓ ଡିପ୍ଲୋମା ପାଠ୍ୟକ୍ରମର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଏହି ଯୋଜନାରେ ଲାଭ ପାଇବେ। କଳା, ବିଜ୍ଞାନ, ଇଞ୍ଜିନିୟରିଂ, ମେଡିକାଲ, ପ୍ରାଣୀ ଚିକିତ୍ସା ବିଜ୍ଞାନ, କୃଷି, ମତ୍ସ୍ୟ ବିଜ୍ଞାନ ଏବଂ ଆଇନ ଭଳି ବିଭିନ୍ନ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଏହାର ସୁବିଧା ପାଇପାରିବେ।

Also Read: ବିଜେପି ସରକାରକୁ କଡା ସମାଲୋଚନା କଲେ ସୋନିଆ ଗାନ୍ଧୀ ! ମାଗିଲେ ୧୨ ବର୍ଷର ହିସାବ

ଏହା ସହିତ ପଲିଟେକନିକ ଓ ଆଇଟିଆଇରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣା ଲାପଟପ୍ ଦିଆଯିବ। ତେବେ ଯେଉଁ ଛାତ୍ରଛାତ୍ରୀ ୨୦୨୫-୨୬ ଶିକ୍ଷାବର୍ଷରେ ଏହି ସୁବିଧା ପାଇପାରିନାହାନ୍ତି, ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନରେ ବୃତ୍ତିଗତ ପାଠ୍ୟକ୍ରମର ତୃତୀୟ ଓ ଚତୁର୍ଥ ବର୍ଷରେ ପଢୁଥିବା ଏହି ବର୍ଗର ଛାତ୍ରଛାତ୍ରୀ ମଧ୍ୟ ଲାପଟପ୍ ପାଇବେ।

ଇଞ୍ଜିନିୟରିଂ ଛାତ୍ରଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା

ଇଞ୍ଜିନିୟରିଂ ପାଠ୍ୟକ୍ରମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ କ୍ଷମତାସମ୍ପନ୍ନ ଲାପଟପ୍ ଯୋଗାଇବାକୁ ଯୋଜନା କରିଛନ୍ତି ସରକାର। ସେମାନଙ୍କୁ Intel Core i5 ପ୍ରୋସେସର କିମ୍ବା ସମାନ କ୍ଷମତା ବିଶିଷ୍ଟ ଲାପଟପ୍ ମିଳିବ। ଲାପଟପ୍ କିଣିବା ଏବଂ ଛାତ୍ରଛାତ୍ରୀଙ୍କ ନିକଟରେ ଯୋଗାଣ କରିବାର ଦାୟିତ୍ଵ ସରକାରୀ କମ୍ପାନୀ ELCOTକୁ ଦିଆଯାଇଛି। ଏଥିପାଇଁ ପ୍ରଶାସନିକ ଅନୁମୋଦନ ମଧ୍ୟ ମିଳିସାରିଛି। ନିର୍ଦ୍ଧାରିତ ଗୁଣବତ୍ତା ମାନଦଣ୍ଡ ଅନୁଯାୟୀ କମ୍ପାନୀକୁ ଲାପଟପ୍ କିଣିବାକୁ ପଡ଼ିବ। ଏହି ଯୋଜନା ଦ୍ଵାରା ତାମିଲନାଡୁର ହଜାର ହଜାର କଲେଜ ଛାତ୍ରଛାତ୍ରୀ ଡିଜିଟାଲ୍ ଶିକ୍ଷା, ଅନଲାଇନ୍ ଅଧ୍ୟୟନ ଓ ବୈଷୟିକ ଦକ୍ଷତା ବୃଦ୍ଧିରେ ସହାୟତା ପାଇପାରିବେ ବୋଲି ଆଶା କରାଯାଉଛି।