କଳାହାଣ୍ଡି: ନିଖୋଜ ଥିଲେ ପ୍ରେମୀ ଯୁଗଳ । ହେଳେ ପାଞ୍ଚ ଦିନ ପରେ ଜଙ୍ଗଲରୁ ମିଳିଲା ଉଭୟଙ୍କ ଝୁଲନ୍ତା ମୃତଦେହ । କିନ୍ତୁ ଏହା ଆତ୍ମହତ୍ୟା ନା ହତ୍ୟା ? ବଢ଼ିଲା ସସପେନ୍ସ । କାରଣ ଏହି ପ୍ରେମୀ ଯୁଗଳଙ୍କ ଦୁଇ ହାତ ଶରୀରର ପଛପଟେ ବନ୍ଧା ହୋଇ ରହିଥିବା ବେଳେ, ଲାଗିଛି ରକ୍ତ ଛିଟା । ଧର୍ମଗଡ଼ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗାଁର ଅଜିତ କୁମାର ନାଏକ ଏବଂ ଧର୍ମଗଡ଼ ସହର କେନ୍ଦୁମୁଡ଼ିପଡ଼ାର ପ୍ରିୟଦର୍ଶିନୀ ନାଏକ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ଉଭୟ ଗତ ପାଞ୍ଚ ଦିନ ହେବ ନିଖୋଜ ଥିଲେ । ଏନେଇ କୋକସରା ଓ ଧର୍ମଗଡ଼ ଥାନାରେ ନିଖୋଜ ମାମଲା ହୋଇଥିଲା l

Also Read: ଗଣଦୁଷ୍କର୍ମ ପରେ ପୋଡ଼ି ମାରିଦେଲେ ! ବିଲରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ

ତେବେ ଗୁରୁବାର ସକାଳେ କଳାହାଣ୍ଡି ଜିଲ୍ଲା ବେହେରା ସ୍ଥିତ ଭଣ୍ଡାର ଡଙ୍ଗରି ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା କିଛି ଲୋକ ଗଛରେ ଝୁଲୁଥିବା ଦୁଇଟି ମୃତଦେହ ଦେଖିଥିଲେ l ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଏମିତିରେ ଉକ୍ତ ପ୍ରେମୀ ଯୁଗଳଙ୍କ ପରିବାର ଲୋକ ସେଠାରେ ପହଞ୍ଚିଥିଲେ ଏବଂ ମୃତଦେହ ଚିହ୍ନଟ କରିଥିଲେ ।

ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ, ହତ୍ୟା ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର l ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଉଭୟଙ୍କ ହାତ ପଛପଟେ ବନ୍ଧା ଥିବା ଏବଂ ଶରୀରରେ ରକ୍ତ ଛିଟା ଥିବାରୁ ହତ୍ୟା ସନ୍ଦେହ ପ୍ରକାଶ ପାଇଛି l ଅଜିତଙ୍କ ପରିବାର ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିବା ସହ ଯୁବତୀଙ୍କ ପରିବାର ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଘଟଣାସ୍ଥଳରେ ଧର୍ମଗଡ଼ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।