ଭୁବନେଶ୍ଵର: ସ୍କୁଲ ଆଗରେ ଗୁପଚୁପ୍ । କଲେଜ ଆଗରେ ଗୁପଚୁପ । ରାସ୍ତାଘାଟ ସବୁଠି ମାଳ ମାଳ ଗୁପଚୁପ୍ ଦୋକାନୀଙ୍କ ଆଗରେ ଜମେ ଲୋକଙ୍କ ଭିଡ଼ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଚଟପଟା ଗୁପଚୁପ୍ ଖାଇବାକୁ ବେଶ୍ ଭଲ ପାଆନ୍ତି । ବାହାଘର ବ୍ରତଘର ଭୋଜିରେ ତ ଷ୍ଟାଟରରେ ଟିକେ ଚଟପଟା ଗୁପଚୁପ ନଥିଲେ କାହାର ପସନ୍ଦ ହେବନି । ଖଟାମିଠା ପାନିପୁରୀ ବା ଗୁପଚୁପ ୧୦/୨୦ଟା ଖାଇ ଟିକେ ପୋଦିନା ମିଶା ଖଟା ପାଣି ପିଇଦେଇ ଟାକରା ମାରନ୍ତି ଲୋକେ । କିନ୍ତୁ ସମସ୍ତଙ୍କ ପସନ୍ଦର ଗୁପଚୁପ କେଉଁଠି କେମିତି କେଉଁ ଅବସ୍ଥାରେ ତିଆରି ହେଉଛି ତାକୁ କେବେ ଦେଖିଛନ୍ତି କି ? ଏହାକୁ ଯଦି ଦେଖିବେ ଆପଣଙ୍କର ଗୁପଚୁପ୍ ଖାଇବା ନିଶା ପୂରା ଉତୁରିଯିବ । 

ଆଜି ଭୁବନେଶ୍ବରେ BMC ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ଖାରବେଳ ନଗର ବସ୍ତି ଅଂଚଳରେ ଥିବା କିଛି ଗୁପଚୁପ କାରଖାନା ଉପରେ ଚଢ଼ାଉ କରାଯାଇଥିଲା । ଆଉ ସେଠାରେ ଯେଉଁ ପରିବେଶରେ ଆଉ ଯେଭଳି ପ୍ରକ୍ରିୟାରେ ଗୁପଚୁପ ତିଆରି ହେଉଥିଲା ତାକୁ ଦେଖିଲେ ଆପଣ ଗୁପଚୁପ ଖାଇବା ଭୁଲିଯିବେ । ଦେଖନ୍ତୁ ଇଏ ହେଉଛି ସେସବୁ ଗୁପଚୁପ୍ କାରଖାନାର ଦୃଶ୍ୟ । ଏମିତି ଅସ୍ବାସ୍ଥ୍ୟକର ପରିବେଶ ଭିତରେ ତିଆରି ହେଉଛି ଗୁପଚୁପ୍ । ପୋଚା ଆଳୁକୁ ସିଝାଇ ଗୁପଚୁପ ପାଇଁ ମସଲା ତିଆରି କରାଯାଉଛି ।

Also Read:ଓଡ଼ିଶା ବନ୍ଦ ଡାକରାକୁ ନେଇ ଅପଡେଟ୍ : ଚାଲୁ ରହିବ ବସ୍ ସେବା, ଖୋଲା ରହିବ ମାଲଗୋଦାମ

ଗୋଟିଏ ଟ୍ରେରେ ରଖାଯାଇଥିଲା ପୋଚା ଆଳୁ । ପୋଡ଼ା ତେଲରେ ଛଣା ହେଉଛି ଗୁପଚୁପର ପୁଚକା ବା ପାମ୍ପୁଡ଼ି । ଆଉ ଖଟାପାଣି ପାଇଁ ବ୍ୟବହାର ହେଉଥିବା ପାଣି ଉପରେ ବି ଟିକେ ନଜର ପକାନ୍ତୁ । ପାଇଖାନାରେ ଲାଗିଥିବା ଟ୍ୟାପରୁ ପାଣି ଆଣି ଗୁପଚୁପ୍ ପାଇଁ ଖଟାପାଣି ତିଆରି ହେଉଥିଲା ।

ମାଛି ଭଣଭଣ ପରିବେଶରେ ତିଆରି ହେଉଛି ଗୁପଚୁପ । ଏତେ ଅସ୍ବାସ୍ଥ୍ୟକର ପରିସ୍ଥିତିରେ ଗୁପଚୁପ ତିଆରି ହେଉଥିଲା ଯେ, ତାହାକୁ ଦେଖିବା ପରେ କେଉଁ ଭାଷାରେ ତାକୁ ବର୍ଣ୍ଣନା କରିବେ ଶବ୍ଦ ପାଉନଥିଲେ ଯାଞ୍ଚ କରିବାକୁ ଯାଇଥିବା BMCର ଫୁଡ୍ ସେଫ୍ଟି ଅଧିକାରୀ ।

Also Read:ମଧ୍ୟାହ୍ନ ଭୋଜନର ଅଣ୍ଡାକୁ ନେଇ ସ୍କୁଲ ଭିତରେ ପଶି ଯୁବକଙ୍କ ହଙ୍ଗାମା, ଉପାସରେ ଫେରିଲେ ଛାତ୍ରଛାତ୍ରୀ

ସୁନ୍ଦର ସୁନ୍ଦର ଠେଲାଗାଡ଼ିରେ ଫୁଲକା ଫୁଲକା ଗୁପଚୁପ ଦେଖିଲେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ କାହାର ବି ପାଟିରୁ ଆପେ ଆପେ ଲାଳ ଗଡ଼ିଆସେ । ଆଉ ପତ୍ର ଠୋଲାଟିଏ ଧରି ସେମାନେ ଗୁପଚୁପ୍ ଖାଇବାକୁ ହାତ ବଢ଼ାଇ ଦିଅନ୍ତି । ଗୋଟା ଗୋଟା ଗୁପଚୁପକୁ ମହା ଆନନ୍ଦରେ ଟାଉଁ ଟାଉଁ କରି ଗିଳିଦେଉଥିବା ଲୋକମାନେ ଗୁପଚୁପ ତିଆରିର ଏଭଳି ଫଣ୍ଡାକୁ ଦେଖିବା ପରେ ଆଉ ଗୁପଚୁପ୍ ଖାଇବେ ତ ?