ଚାନ୍ଦବାଲି:  ସ୍କୁଲ ଭିତରେ ପଶି ଯୁବକଙ୍କ ହଙ୍ଗାମା। ମାଷ୍ଟରଙ୍କୁ ଗାଳିଗୁଲଜ କରିବା ସହ ସ୍କୁଲରେ କଲେ ହାଇଡ୍ରାମା। ଫଳରେ ମଧ୍ୟାହ୍ନ ଭୋଜନ ନ ଖାଇ ଉପାସରେ ଫେରିଲେ ଛାତ୍ରଛାତ୍ରୀ। ଏପରିକି ପ୍ରଥମ ସିଟିଂ ପରୀକ୍ଷା ପରେ ଦ୍ଵିତୀୟ ସିଟିଂ ପରୀକ୍ଷା ବନ୍ଦ କରିବାକୁ ପଡ଼ିଛି। ପୁଣି ୭ ତାରିଖରେ ଥିବା ପରୀକ୍ଷା ମଧ୍ୟ ବନ୍ଦ ରହିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାଣ୍ଡ ଗରଡି ପଞ୍ଚାୟତ ତେନ୍ତୁଳିଦା ପ୍ରାଥମିକ ବିଦ୍ୟାଳୟରେ।

ଅଭିଯୋଗ ଅନୁଯାୟୀ କାଣ୍ଡଗରଡି ପଞ୍ଚାୟତ ତାଳଆଡିଆ ଗାଁର ଶୁଶାନ୍ତ ଦାସ ନାମକ ଜଣେ ଅଭିଭାବକ ସ୍କୁଲ ଭିତରକୁ ପଶି ହଙ୍ଗାମା କରିଥିଲେ। ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ କାହିଁକି ସୋୟାବିନ ତରକାରୀ ଭାତ ଦିଆଗଲା ବୋଲି ପଚାରି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ମଧ୍ୟାହ୍ନ ଭୋଜନକୁ ଖାଇବା ବନ୍ଦ କରିବା ସହ ପରୀକ୍ଷା ମଧ୍ୟ ବନ୍ଦ କରି ଦେଇଥିଲେ। ଘଣ୍ଟା ଘଣ୍ଟା ଧରି ସ୍କୁଲ ପରିସରରେ ରହି ଅସଭ୍ୟ ବ୍ୟବହାର କରିଥିଲେ। ଫଳରେ  ବିଦ୍ୟାଳୟରେ ପ୍ରଥମରୁ ୫ ମ ପର୍ଯ୍ୟନ୍ତ ୧୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି।

Also Read: ଗୁରୁବାର ଓଡ଼ିଶା ବନ୍ଦ ଡାକରା : ରାସ୍ତାଘାଟରୁ ଦୋକାନ ବଜାର ପ୍ରଭାବିତ ଆଶଙ୍କା, ଏସବୁ ସେବାକୁ ମିଳିବ ଛାଡ଼

ଯୁବକଙ୍କ ଗାଳିଗୁଲଜ ଭୟରେ ପିଲାମାନେ ଡରି ସ୍କୁଲରୁ ଫେରି ଆସିଥିଲେ। ମଧ୍ୟାହ୍ନ ଭୋଜନ ନ ଖାଇ ଉପାସରେ ଫେରିଲେ। ଏହି ଘଟଣାକୁ ଦୁଇ ଦିନ ହେଲା, ଏବେ ବି ପରୀକ୍ଷା ଓ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି। ପ୍ରଧାନ ଶିକ୍ଷକ ସୁଧାକର ଦାସ ଚାନ୍ଦବାଲି ଥାନାରେ ଶୁଶାନ୍ତ ଦାସ ଏବଂ ତାଙ୍କ ସହଯୋଗୀ କୂଳମଣି ଦାସଙ୍କ ନାଁରେ ଅଭିଯୋଗ କରିଛନ୍ତି। ପୋଲିସ ୩୫୩/୨୬ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।  ଅସୁରକ୍ଷିତ ମନେ କରି ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡୁ ନାହାନ୍ତି। ନ୍ୟାୟ ଦାବିରେ ଅଭିଭାବକମାନେ ସ୍କୁଲରେ ଧାରଣା ଦେଇ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।