ଇସଲାମାବାଦ, ୦୨ /୧୨: ପାକିସ୍ତାନ ହାତରୁ ଖସି ଖସି ଯାଉଛି ବେଲୁଚିସ୍ତାନ । ଲଗାତାର ଭାବେ ବେଲୁଚିସ୍ତାନର ଆଖପାଖ ଅଞ୍ଚଳରେ ହେଉଛି ବିସ୍ଫୋରଣ । ସୋମବାର କ୍ୱେଟାରେ ଥିବା ସେନା ମୁଖ୍ୟାଳୟରେ ବିସ୍ଫୋରଣ ପରେ ପାକିସ୍ତାନ ସରକାରଙ୍କ ମନୋବଳ ପୁରା ଭାଙ୍ଗିଯାଇଛି । ଦେଶ ଆଉ ଥରେ ଖଣ୍ଡ ଖଣ୍ଡ ହେବା ନେଇ ଆଶଙ୍କା ଦେଖାଦେଲାଣି । ସେପଟେ ପାକିସ୍ତାନ ସରକାର ଉପରେ ଚାପ ପକାଇବା ପାଇଁ କୌଣସି ସୁଯୋଗ ହାତଛଡା କରୁନି ବେଲୋଚ୍ ଲିବରେସନ୍ ଫ୍ରଣ୍ଟ୍ ବା ବିଏଲଏଫ।

ବିଏଲଏଫ ଦାବି କରିଛି ଯେ, ସେମାନେ ପାକିସ୍ତାନୀ ସେନାକୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ କରିଛନ୍ତି । ସେଥିପାଇଁ ଫିଦାଏଁ ବା ମାନବବୋମା ବ୍ୟବହାର କରାଯାଉଛି । ନିକଟରେ ଚାଇନା ପରିଚାଳିତ ଏକ ଖଣିରେ ମହିଳା ମାନବ ବୋମା ବ୍ୟବହାର ହୋଇଥିଲା । ଯେଉଁଥିରେ ପାକିସ୍ତାନର ୬ ଜଣ ଯବାନ ନିହତ ହୋଇଛନ୍ତି ।

ଏହାସହ ଆତ୍ମଘାତୀ ଆକ୍ରମଣ କରିଥିବା ମହିଳା ଫିଦାଏଁ ବା ମାନବ ବୋମାର ଫଟୋ ବିଏଲଏଫ ସେୟାର କରିଛି । ମହିଳାଜଣଙ୍କ ହେଲେ ଜରିନା ରଫିକ୍ । ଯିଏକି ସର୍ବୋତ୍ତମ ବଳିଦାନ ଦେଇଛନ୍ତି । ତେବେ ଏହି ଆକ୍ରମଣକୁ ଖାସ୍ କହିଛି ବିଏଲଏଫ୍ । କାରଣ ପୂର୍ବରୁ କେବେହେଲେ ମାନବବୋମା ବ୍ୟବହାର ହୋଇନଥିଲା । ଆକ୍ରମଣ ଘଟାଇଥିବା ବିଏଲଏଫର ମାଜିଦ୍ ବ୍ରିଗେଡ୍ ପୂର୍ବରୁ ଜାଫର ଏକ୍ସପ୍ରେସ ଅପହରଣ ଭଳି ଅନେକ ଘଟଣାକୁ ସଫଳାତର ସହ ସମ୍ପାଦନ କରିଛି ।

ବିଏଲଏଫର ମୁଖପାତ୍ର ଗ୍ୱାହରମ୍ ବାଲୋଚ କହିଛନ୍ତି ଯେ, ଏବେ ଅଧିକରୁ ଅଧିକ ମାନବ ବୋମା ବ୍ୟବହାର କରାଯିବ । ଏଥିରେ ଅନେକ ମହିଳା ନିଜ ଜୀବନକୁ ଉତ୍ସର୍ଗ କରିବା ପାଇଁ ରାଜି ଅଛନ୍ତି । ଆଗକୁ ଭୟଙ୍କର ଆକ୍ରମଣ ହେବା ନେଇ ସେ ଚେତାବନୀ ଦେଇଛନ୍ତି ।

ସୂତ୍ରାନୁସାରେ, ବେଲୋଚ୍ ଆର୍ମୀ ଦେଶରେ ଚାଇନାର ପ୍ରକଳ୍ପକୁ ବିରୋଧ କରି ଆସିଛି । ତେଣୁ ଚାଇନା ଏବଂ କାନାଡାର ଅନେକ ପ୍ରକଳ୍ପକୁ ଟାର୍ଗେଟ୍ କରାଯାଉଛି । ପ୍ରଥମେ ବିଏଲଏଫ ଟାର୍ଗେଟରେ କ୍ଷୁଦ୍ର ପ୍ରକଳ୍ପ ରହିଥିଲା । ଏବେ ବଡ ବଡ ପ୍ରୋଜେକ୍ଟରେ ବିସ୍ଫୋରଣ ଘଟାଇ ପାକିସ୍ତାନ ସରକାରକୁ ବାଲୋଚ୍ ଆର୍ମୀ ଚ୍ୟାଲେଞ୍ଜ୍ ଦେଇଛି ।