ନୂଆଦିଲ୍ଲୀ ୦୪।୦୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ପୁଣି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଛି । ସେଠାକାର ସଶସ୍ତ୍ର ବିଚ୍ଛିନ୍ନତାବାଦୀ ସଂଗଠନ 'ବଲୁଚିସ୍ତାନ ଲିବରେସନ ଆର୍ମି' (BLA) ଗ୍ୱାଦରଠାରେ ପାକିସ୍ତାନୀ ସୁରକ୍ଷା ବଳକୁ ଟାର୍ଗେଟ୍ କରି ଏହି ଆତ୍ମଘାତୀ ଆକ୍ରମଣ କରିଛି । ଜିୱାନୀ ସ୍ଥିତ ପନୱାନ କୋଷ୍ଟ ଗାର୍ଡ ବେସ୍ କ୍ୟାମ୍ପ ଉପରେ ହୋଇଥିବା ଏହି ଆକ୍ରମଣରେ ୩୦ରୁ ଅଧିକ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିବା ବେଳେ ବହୁ ସଂଖ୍ୟାରେ ଯବାନ ଗୁରୁତର ଆହତ ହୋଇଥିବା ଦାବି କରାଯାଇଛି । BLA ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତି ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ଏହି ସୁଚିନ୍ତିତ ଫିଦାୟୀନ ଆକ୍ରମଣ କରାଯାଇଥିଲା । ସଂଗଠନର ଆତ୍ମଘାତୀ ସ୍କ୍ୱାଡ୍ 'ମଜିଦ୍ ବ୍ରିଗେଡ୍'ର ସଦସ୍ୟ ଅତାଉଲ୍ଲା ବଲୁଚ୍ ଓରଫ୍ ଅଜମଲ୍ ଏକ ମଜଦା ଟ୍ରକ ପ୍ରଚୁର ପରିମାଣର ବିସ୍ଫୋରକ ନେଇ କୋଷ୍ଟ ଗାର୍ଡ କ୍ୟାମ୍ପ ଭିତରକୁ ପଶିଯାଇଥିଲେ । ଏହାପରେ ସେଠାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟାଇଥିଲେ ।

ସେନା କ୍ୟାମ୍ପ ଧ୍ଵଂସ:

BLA ପ୍ରବକ୍ତା ଜିୟାନ୍ଦ ବଲୁଚ୍ଙ୍କ କହିବା ଅନୁସାରେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସମଗ୍ର କୋଷ୍ଟ ଗାର୍ଡ କ୍ୟାମ୍ପ ମାଟିରେ ମିଶିଯାଇଛି ଏବଂ ଭଗ୍ନାବଶେଷରେ ପରିଣତ ହୋଇଛି । କେବଳ ସେତିକି ନୁହେଁ, ଧମାକା ପରେ ପରେ ସଂଗଠନର ଆଗଧାଡ଼ିର ସଶସ୍ତ୍ର ୟୁନିଟ୍ 'ଫତେହ ସ୍କ୍ୱାଡ୍' ଚାରିପଟୁ ସେନା କ୍ୟାମ୍ପକୁ ଘେରି ଯାଇ ଆକ୍ରମଣ କରିଥିଲେ । BLA ର ସୂଚନା ମୁତାବକ, ଘଟଣାସ୍ଥଳରେ ୩୦ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇସାରିଛି । ଅନେକ ଯବାନ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବାରୁ ଏବଂ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ।

ଏହି ଆକ୍ରମଣର ସତ୍ୟତା ପ୍ରମାଣିତ କରିବା ପାଇଁ BLAର ମିଡିଆ ୱିଙ୍ଗ 'ହକ୍କାଲ' ପକ୍ଷରୁ ଏକ ଭିଡିଓ କ୍ଲିପ୍ ଜାରି କରାଯାଇଛି । ଭିଡିଓରେ ବିସ୍ଫୋରକ ବୋଝେଇ ଟ୍ରକଟି କ୍ୟାମ୍ପ ମଧ୍ୟକୁ ପ୍ରବେଶ କରୁଥିବା ଏବଂ ପରେ ଏକ ପ୍ରକମ୍ପିତ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡିଓରେ କ୍ୟାମ୍ପର ବଡ଼ ଅଂଶ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି । ସୂଚନାଯୋଗ୍ୟ ଯେ, ବେଲୁଚିସ୍ତାନର ସମ୍ପତ୍ତି ଓ ପ୍ରାକୃତିକ ସମ୍ପଦକୁ ପାକିସ୍ତାନ ସରକାର ଶୋଷଣ କରୁଥିବା ଅଭିଯୋଗ କରି BLA ଦୀର୍ଘ ଦିନ ହେବ ସେଠାରେ ସେନା ଓ ସରକାରୀ ପ୍ରତିଷ୍ଠାନ ଗୁଡ଼ିକୁ ଟାର୍ଗେଟ୍ କରିଆସୁଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଖୁବଶୀଘ୍ର ଏହି ସମ୍ପୂର୍ଣ୍ଣ ଅପରେସନର ବିସ୍ତୃତ ସୂଚନା ଜାରି କରାଯିବ ।