ନୂଆଦିଲ୍ଲୀ: ଲୋକକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ଶାସକ ଭାରତୀୟ ଜନତା ପାର୍ଟି ଜୋରଦାର ଟାର୍ଗେଟ କରିଛି । କିନ୍ତୁ ଏଥର ବିଜେପିର ସମାଲୋଚନା କରିବାର ଶୈଳୀ ଭିନ୍ନ । ବିଭିନ୍ନ ସୁପରହିଟ୍ ସିନେମାର ପୋଷ୍ଟରକୁ ପରିବର୍ତ୍ତନ କରି ସେଥିରେ ରାହୁଲ ଗାନ୍ଧୀଙ୍କ ଫଟୋ ଲଗାଇ ବିଜେପି କଂଗ୍ରେସ ସାଂସଦଙ୍କୁ କଟାକ୍ଷ କରିଛି । ଏହି ପୋଷ୍ଟର ଯୁଦ୍ଧରେ ରାହୁଲ ଗାନ୍ଧୀ ବର୍ତ୍ତମାନ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିବା ସହ ତାଙ୍କର ବାରମ୍ବାର ବିଦେଶ ଗସ୍ତ ପାଇଁ ଟଙ୍କା କେଉଁଠୁ ଆସୁଛି, ସେ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଅପରପକ୍ଷରେ କଂଗ୍ରେସ ଏହାର ଦୃଢ଼ ଜବାବ ଦେଇ କହିଛି ଯେ, ରାହୁଲ ଗାନ୍ଧୀ ଜଣେ ‘ବିଶ୍ୱସ୍ତରୀୟ ନେତା’ଏବଂ ବିଶ୍ୱର ଅନେକ ଦେଶ ତଥା ପ୍ରତିଷ୍ଠିତ ସଂସ୍ଥା ତାଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରୁଛନ୍ତି।

ବିଜେପିର ବିଭିନ୍ନ ରାଜ୍ୟ ୟୁନିଟ୍ ପକ୍ଷରୁ ସୋସିଆଲ ମିଡିଆରେ ଅନେକ ପୋଷ୍ଟର ସେୟାର କରାଯାଇଛି, ଯେଉଁଥିରେ ଲୋକପ୍ରିୟ ସିନେମାର ନାମକୁ ବଦଳାଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରାଯାଇଛି। ‘ଛାଡ୍ ଦେ ଇଣ୍ଡିଆ’ (Chhad de India),‘ଲାପତା ରାହୁଲ’ (Laapata Rahul),‘ଗୋ ରାହୁଲ ଗନ୍’ (Go Rahul Gone), ‘ଟୁରିଷ୍ଟ ଜିନ୍ଦା ହୈ’ (Tourist Zinda Hain),‘ପରଦେଶ’ (Pardesh) ଭଳି ପୋଷ୍ଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଦିଲ୍ଲୀ ବିଜେପି ପକ୍ଷରୁ ଏକ ପୋଷ୍ଟର ସେୟାର କରି ପ୍ରଶ୍ନ କରାଯାଇଛି, ‘ରାହୁଲ ବାବାଙ୍କୁ କଣ ପସନ୍ଦ? ସ୍ୱଦେଶ ନା ପରଦେଶ ?’ ସେହିପରି ଗୋଆ ବିଜେପି ପ୍ରଶ୍ନ କରିଛି ଯେ, ‘#WhereIsRahul? ସେ ଥାଇଲ୍ୟାଣ୍ଡରେ ଛୁଟି କାଟୁଛନ୍ତି ନା ଭାରତ ବିରୋଧରେ କୌଣସି ଗୁପ୍ତ ପ୍ରୋପାଗଣ୍ଡା ଚଳାଇବାକୁ ଯୋଜନା କରୁଛନ୍ତି?’ ରାହୁଲ ଗାନ୍ଧୀଙ୍କୁ ବିଜେପି Leader of Paryatan’ (ପର୍ଯ୍ୟଟନ ନେତା) ବୋଲି କହିଛି । ଏହା ସହିତ ବିଜେପିର ଅନ୍ୟତମ ମୁଖପାତ୍ର ଆର.ପି. ସିଂହ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ବାରମ୍ବାର ବିଦେଶ ଗସ୍ତର ଖର୍ଚ୍ଚ କିଏ ଏବଂ କେଉଁଠୁ ଆସୁଛି, ତାହାର ସ୍ପଷ୍ଟୀକରଣ ମିଳିବା ଦରକାର।

କଂଗ୍ରେସର ପାଲଟା ଜବାବ
ବିଜେପିର ଏହି ପୋଷ୍ଟର ଏବଂ ବିବୃତ୍ତି ଉପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ନେତାମାନେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ଏବଂ ବିଚାରଧାରା କେବଳ ଭାରତ ମଧ୍ୟରେ ସୀମିତ ନୁହେଁ। ସେ ଜଣେ ବିଶ୍ୱସ୍ତରୀୟ ଜନନାୟକ। ସେଥିପାଇଁ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚ, ବିଶ୍ୱବିଦ୍ୟାଳୟ ଏବଂ ବିଦେଶୀ ସରକାରୀ ପ୍ରତିନିଧିମାନେ ତାଙ୍କୁ ଆଲୋଚନା ଓ ବକ୍ତବ୍ୟ ରଖିବା ପାଇଁ ସମ୍ମାନର ସହ ଆମନ୍ତ୍ରଣ କରିଥାନ୍ତି। ବିଜେପି କେବଳ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ହୀନ ରାଜନୀତି କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।