କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Election 2026)କୁ ନେଇ ସରଗରମ ରାଜନୀତି । ନିର୍ବାଚନୀ ପ୍ରଚାର ମୈଦାନରେ ସବୁ ଦଳ ଦମ୍ ଦେଖାଉଛନ୍ତି । ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି (BJP) ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜପେିର ବହୁ ହେଭିଓ୍ବେନ ନାଁ ସାମିଲ । ତାଲିକା ଆସିବା ପୂର୍ବରୁ ପିଏମ ମୋଦୀ ପଶ୍ଚିମବଙ୍ଗର କୁଚବିହାରରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।

ବେଙ୍ଗଲରେ କେଉଁମାନେ କରିବେ ପ୍ରଚାର ?

ବିଜେପିର ଷ୍ଟାର ପ୍ରଚାରକମାନଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜେ.ପି ନଡ୍ଡା, ନିତୀନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ଫଡନବୀସ୍, ଶିବରାଜ ସିଂହ ଚୌହାନ, ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ୱଶର୍ମା, ଅଶ୍ୱିନୀ ବୈଷ୍ଣବ, ମୋହନ ମାଝୀ ପ୍ରମୁଖ ସାମିଲ ।

Also Read: Bengal Polls: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଶା ନେତାଙ୍କୁ ଗୁରୁଦାୟିତ୍ଵ, ମନ୍ତ୍ରୀଠୁ ବିଧାୟକ ଆରମ୍ଭ କଲେଣି ପ୍ରଚାର

ସେହିଭଳି ଇନ୍ଦ୍ରଧନୁ ଅର୍ଜୁନ ମୁଣ୍ଡା, ବାବୁଲାଲ ମାରାଣ୍ଡି, ବିପ୍ଲବ କୁମାର ଦେବ, ମିଥୁନ ଚକ୍ରବର୍ତ୍ତୀ, କଙ୍ଗନା ରଣାୱତ, ହେମା ମାଳିନୀ, ମନୋଜ ତିୱାରୀ, ଲିଆଣ୍ଡର ପେସ୍, ଶୁଭେନ୍ଦୁ ଅଧିକାରୀ, ଦିଲୀପ ଘୋଷ, ସୁକାନ୍ତ ମଜୁମଦାର, ଶାନ୍ତନୁ ଠାକୁର, ଅମିତ ମାଲବ୍ୟଙ୍କ ସମେତ ଅନେକ କେନ୍ଦ୍ରୀୟ ତଥା ରାଜ୍ୟ ସ୍ତରୀୟ ନେତା ମଧ୍ୟ ବେଙ୍ଗଲରେ ପ୍ରଚାର କରିବେ।

କୁଚବିହାରରୁ ମୋଦୀଙ୍କ ପ୍ରଚାର ଆରମ୍ଭ

ପ୍ରଧାନମନ୍ତ୍ରୀ ମୋଦୀ ରବିବାର ପଶ୍ଚିମବଙ୍ଗର କୁଚବିହାରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ରାଲି ସମୟରେ ସେ କହିଥିଲେ, ‘ଆମର ପଶ୍ଚିମବଙ୍ଗ ହେଉଛି ଶକ୍ତି ପୂଜାର ଭୂମି। ମୁଁ ଏଠାରେ ସମସ୍ତ ଭଉଣୀମାନଙ୍କୁ କହିବାକୁ ଚାହୁଁଛି ,ଯେ ବିଜେପି ଆପଣଙ୍କ ସମ୍ମାନ ଏବଂ ସମୃଦ୍ଧି ପାଇଁ ମଇଦାନରେ ଅଛି। ଯଦି ବିଜେପି କ୍ଷମତାକୁ ଆସେ, ତେବେ ଏହା ପ୍ରକୃତ ମହିଳା ସଶକ୍ତିକରଣ ପାଇଁ ପଥ ପ୍ରଶସ୍ତ କରିବ ଏବଂ ଏହା ଆମର ଟ୍ରାକ୍ ରେକର୍ଡ।’

ସେ କହିଥିଲେ ଯେ, ମେ’୪ ପରେ ଆଇନ ତା'ର କାର୍ଯ୍ୟ କରିବ। ଅପରାଧୀ ଯେତେ ପ୍ରଭାବଶାଳୀ ହେଉ ନା କାହିଁକି, ଏଥର ନ୍ୟାୟର ଜୟ ହେବ। ବର୍ଷ ବର୍ଷ ଧରି ପଶ୍ଚିମବଙ୍ଗର ଲୋକଙ୍କ କଠିନ ପରିଶ୍ରମର ଟଙ୍କା ଲୁଟ୍ ହୋଇଛି। ପ୍ରତ୍ୟେକ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଦାୟୀ କରାଯିବ ଏବଂ ସେମାନଙ୍କୁ ଲୁଟ୍ ହୋଇଥିବା ସମ୍ପତ୍ତିକୁ ଜନସାଧାରଣଙ୍କୁ ଫେରାଇବାକୁ ପଡିବ।