ଭବାନୀପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ପାର୍ଟିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଶାହ କହିଛନ୍ତି ମୁଁ ଦୀର୍ଘ ଭାଷଣ ଦେବାକୁ ଆସି ନାହିଁ। ନିର୍ବାଚନ କାଳରେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ମୁଁ ପଶ୍ଚିମବଙ୍ଗରେ ରହିବି। ଆପଣମାନଙ୍କ ସହ କଥାବାର୍ତ୍ତା ହେବାକୁ ଅନେକ ଅବସର ଆସିବ, ହେଲେ ଆଜି ମୁଁ ଏଠାରେ ଆମର ୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ ଲାଗି ଆସିଛି, ଖାସ କରି ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଅସିଥିବା ସେ କହିଛନ୍ତି।

ନିର୍ବାଚନ ୧୫ଦିନ ପଶ୍ଚିମବଙ୍ଗରେ ରହିବେ ଅମିତ ଶାହ
ଅମିତ ଶାହ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ମୁଁ ପାଖାପାଖି ପୁରା ପଶ୍ଚିମବଙ୍ଗ ଗସ୍ତ କରିସାରିଲାଣି। ବେଙ୍ଗଲ ପ୍ରତ୍ୟେକ କୋଣରୁ ଗୋଟିଏ ସ୍ୱର ଆସୁଛି ଏହି ସରକାରଙ୍କୁ ବଦଳାଅ, ମମତା ବାନାର୍ଜୀଙ୍କୁ ଗୁଡବାଏ କୁହ। ସେ କହିଛନ୍ତି ଯେ ମୁଁ ପଶ୍ଚିମବଙ୍ଗକୁ ଖାସ ସେହି ଲୋକଙ୍କ ପାଇଁ ଆସିଛି ଯେଉଁମାନେ ଦାଦା ଚାନ୍ଦା ଆଦାୟ ଯୋଗୁ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଗୁଣ୍ଡାଗର୍ଦ୍ଦିରେ ଲୋକେ ଅତିଷ୍ଠ ହୋଇପଡିଲେଣି, ମହିଳାଙ୍କ ଅସୁରକ୍ଷା ଲୋକଙ୍କୁ ବ୍ୟଥିତ କରୁଛି, ଅନୁପ୍ରବେଶ କାରଣରୁ ହେଉଥିବା ଜନସଂଖ୍ୟା ପରିବର୍ତ୍ତନ ଲୋକେ ଆଉ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି।

ବିଜେପିକୁ ୧୭୦ ସିଟ୍ ମିଳିଲେ ପରିବର୍ତ୍ତନ ସମ୍ଭବ
ପୁରା ପଶ୍ଚିମବଙ୍ଗ ଏବେ ପରିବର୍ତ୍ତନ ଚାହୁଁଛି। ଏବେ ଏହି ରାଜ୍ୟରେ ପରିବର୍ତ୍ତନ ହେବା ଜରୁରି ବୋଲି ଅମିତ ଶାହ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏଠାରେ ଏନଡିଏ ସରକାର ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଭବାନୀପୁର ଭୋଟରଙ୍କୁ ମୁଁ ଏକ ଖାସ ଅପିଲ କରିବାକୁ ଆସିଛି। ପୁରା ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କୁ ବିଦାୟ ଦେବାକୁ ଏବେ ପ୍ରସ୍ତୁତ। ହେଲେ ବେଙ୍ଗଲରେ ପରିବର୍ତ୍ତନ ଆଣିବାର ଦାୟିତ୍ୱ ଆପଣମାନଙ୍କର। ଅମିତ ଶାହ କହିଛନ୍ତି ଯଦି ଆମକୁ ୧୭୦ ସିଟ୍ ମିଳେ ତେବେ ଯାଇ ବେଙ୍ଗଲର ପରିବର୍ତ୍ତନ ହେବ।

ନିଜ ନିର୍ବାଚନମଣ୍ଡଳିରେ ହାରିବେ ମମତା
ଅମିତ ଶାହ କହିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ। ହେଲେ ମୁଁ ତାଙ୍କୁ କହିଲି କେବଳ ନନ୍ଦିଗ୍ରାମରୁ ନୁହେଁ ମମତାଙ୍କୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳିରେ ଆମକୁ ହରାଇବାକୁ ପଡିବ। ମମତାଙ୍କ ରେକର୍ଡ ରହିଛି ସେ ଗତ ନିର୍ବାଚନରେ ପଶ୍ଚିମବଙ୍ଗରେ ସରକାର କରିଥିଲେ ହେଲେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଥିଲେ। ଏଥର ମମତା ବାନାର୍ଜୀ ପୁରା ପଶ୍ଚିମବଙ୍ଗ ଓ ଭବାନୀପୁରରୁ ମଧ୍ୟ ହାରିବେ।