ମୁମ୍ବାଇ,୦୩/୦୮:ଇସ୍ତଫା ଦେଲେ ବିଜେପି ବିଧାୟିକାଙ୍କ ଇଞ୍ଜିନିୟର ସ୍ୱାମୀ । ଛାଡିଲେ ସରକାରୀ ଚାକିରି । ବଡ ବାବୁ ହୋଇ ମଧ୍ୟ ଚାକିରିରେ ମନ ଲାଗିଲାନି । ମହାରାଷ୍ଟ୍ରରେ ଏପରି ଏକ ଖବର ଚର୍ଚ୍ଚାରେ ରହିଛି । କାରଣ ପୂର୍ତ୍ତ ବିଭାଗ ଅଧିନାୟରେ ଥିବା ମରାଠାଓ୍ୱାଡା ଆଞ୍ଚଳିକ ଡିଭିଜନର ମୁଖ୍ୟ ଯନ୍ତ୍ରୀ ଅତୁଲ ଚଭନ ଚାକିରି ଛାଡିଛନ୍ତି । ଗତ ଶୁକ୍ରବାର ସେ ନିଜ ଇସ୍ତଫାପତ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି । ତାଙ୍କ ଚାକିରିର କାର୍ଯ୍ୟକାଳ ଆହୁରି ଚାରି ବର୍ଷ ବାକି ଥିଲା ।

ସବୁଠାରୁ ବଡ କଥା ହେଉଛି ଯେ, ଅତୁଲ ସାଧାରଣ ଯନ୍ତ୍ରୀ ନୁହେଁ । ତାଙ୍କ ପତ୍ନୀ ହେଉଛନ୍ତି ବିଜେପି ବିଧାୟିକା ଅନୁରାଧା ଚଭନ । ୧୯୯୪ରେ ଚାକିରିରେ ଯୋଗ ଦେଇଥିବା ଅତୁଲ ୨୦୩୦ରେ ଅବସର ନେଇଥାନ୍ତେ । କିନ୍ତୁ ଜୁଲାଇ ୩୧ ତାରିଖରେ ସେ ବିଭାଗୀୟ ମୁଖ୍ୟଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।

ସଙ୍ଗୀନ ଅଭିଯୋଗ ପରେ ଇସ୍ତଫା

କିଛି ଦିନ ତଳେ ମହାରାଷ୍ଟ୍ରର ମନ୍ତ୍ରୀ ସଞ୍ଜୟ ସିରସତ ସର୍ବସାଧାରଣରେ ଅତୁଲଙ୍କ ସହ ଦୁର୍ବ୍ୟବହାର କରିଥିଲେ । ୧୪ କୋଟି ଟଙ୍କାରେ ନିର୍ମିତ ଏକ ସରକାରୀ ମେଡିକାଲ କଲେଜ କୋଠାକୁ ନେଇ ମନ୍ତ୍ରୀ ଅତୁଲଙ୍କ ଉପରେ ବର୍ଷିଥିଲେ । ମେଡିକାଲ କଲେଜ ଅନେକ କାମ ଅଧାପନ୍ତରିଆ ହୋଇ ପଡିଥିବା କଥା ମଧ୍ୟ ଉଠିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏହି ଘଟଣାର ୭ ଦିନ ପରେ ଯନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଇସ୍ତଫା ଦେଲା ପରେ ଏହା ଶେଷ ନୁହେଁ ବରଂ ଆରମ୍ଭ ବୋଲି ଅତୁଲ ନିଜ ହ୍ୱାଟସଆପ୍ ଷ୍ଟାଟସ ଦେଇଥିବା ଦେଖିବାକୁ ମିଳିଥିଲା ।

ଘଟଣାକୁ ନେଇ ଅତୁଲ କହିଛନ୍ତି ଯେ, ଖୁବ୍ କମ ବୟସରେ ସେ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ । ଚାକିରିରେ ସେ ୩୨ ବର୍ଷ କାଟି ସାରିଲେଣି । ଅନେକ ବଡ ପ୍ରୋଜେକ୍ଟକୁ ସେ ସଫଳତାର ସହ ଶେଷ କରିଛନ୍ତି । ସଦାବେଳେ ଲୋକଙ୍କ ପାଇଁ କାମ କରିବାକୁ ସେ ପସନ୍ଦ କରନ୍ତି । ବର୍ତ୍ତମାନ ସେ ଇସ୍ତଫା ପତ୍ର ଦେଇଛନ୍ତି । ୯୦ ଦିନ ପାଇଁ ନୋଟିସ୍ ପିରିୟଡରେ ରହିବେ । ଖାଲି ଏତିକି ନୁହେଁ ଇସ୍ତଫା ଦେବା ପୂର୍ବରୁ ତାଙ୍କୁ ସରକାର ବଦଳି କରିଥିଲେ । ଜୁଲାଇ ୩୧ ସୁଦ୍ଧା ସେ ନିଜର ନୂଆ ଦାୟିତ୍ୱ ନେଇଥାନ୍ତେ । କିନ୍ତୁ ଏହା ପୂର୍ବରୁ ସେ ଇସ୍ତଫା ପ୍ରଦାନ କରିଛନ୍ତି ।

Also Read :- ନିଜେ ଥିଲେ ମାନସିକ ରୋଗ ବିଶେଷଜ୍ଞ, କିନ୍ତୁ ନିଜେ ସହିପାରିଲେନି ଡିପ୍ରେସନର ଯନ୍ତ୍ରଣା

ସୂତ୍ରାନୁସାରେ, ଚଭନଙ୍କ ପରିବାର ସଦସ୍ୟ ସରକାର ଏବଂ ପ୍ରଶାସନରେ ବଡ ପଦବୀରେ ରହିଛନ୍ତି । ତେଣୁ ତାଙ୍କର ବଦଳି ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଅତୁଲ ମଧ୍ୟ ସଚିବ ପାହ୍ୟାକୁ ଆସିଥାନ୍ତେ । କିନ୍ତୁ ଏନେଇ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିନଥିଲେ । ୨୦୦୦ ମସିହାରେ ସେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ । ଅନେକ ବଡ ବଡ ପ୍ରକଳ୍ପକୁ ସେ ଖୁବ୍ କମ୍ ସମୟରେ ଶେଷ କରିଥିଲେ । ତାଙ୍କର କାର୍ଯ୍ୟ ପାଇଁ ୨୦୧୦ରେ ଅତୁଲଙ୍କୁ ଶ୍ରେଷ୍ଠ ଯନ୍ତ୍ରୀ ପୁରସ୍କାର ମଧ୍ୟ ମିଳିଥିଲା ।